ଏବେ ରାଜ୍ୟ ରାଜନୀତି ଥଣ୍ଡାବସ୍ତାରେ

ଏବେ ରାଜନୀତିରେ ଚାଲିଛି ଶୀତଳାବସ୍ଥା। ବିଜୁ ଜନତା ଦଳ କେନ୍ଦ୍ର ଅବହେଳା କଥା ଉଠାଉନାହିଁ। ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କର ଦୋଷ ଦୁର୍ବଳତାକୁ ନେଇ ଆକ୍ଷେପ କରୁନାହିଁ। କଂଗ୍ରେସ ନବୀନ ଓ ମୋଦୀ ସରକାରଙ୍କୁ ଆକ୍ଷେପ କରିବା ଅବସ୍ଥାରେ ନାହିଁ। ଏହାକୁ କହନ୍ତି ରାଜନୀତିରେ ଶୀତଳାବସ୍ଥା। ତେବେ ଏଭଳି ଅବସ୍ଥା କେତେଦିନ ଲାଗି ରହିବ?

ଭାରତୀୟ ଜନତା ପାର୍ଟିର ତମାମ ପ୍ରଚେଷ୍ଟା ପରେ ବି ଓଡ଼ିଶାରେ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟା ଗରିଷ୍ଠତା ମିଳିଛି। ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ କ୍ଷମତା ବଜାୟ ରଖିଛନ୍ତି। ଭାରତୀୟ ଜନତା ପାର୍ଟିକୁ ଏମିତି ସଂଖ୍ୟା ବିଧାନସଭାରେ ମିଳି ନାହିଁ, ଯାହାକୁ ନେଇ ଏହି ଦଳ ଆରମ୍ଭରୁ ଆକ୍ରମଣ ମୁଦ୍ରାକୁ ଚାଲିଯାଇପାରିବ। ସେହିପରି ନବୀନ ପଟ୍ଟନାୟକଙ୍କ ସମସ୍ତ ଇଚ୍ଛା ଓ ଆଶା ବିପରୀତରେ କେନ୍ଦ୍ରରେ ପୁନର୍ବାର ମୋଦୀ ସରକାର ଅବସ୍ଥାପିତ ହୋଇଛନ୍ତି। ତାହା ପୁଣି ଅଧିକ ଶକ୍ତି ସହିତ।

ରାଜ୍ୟରେ ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟିକୁ ମୂଳପୋଛ କରିଦେଇଥିଲେ ଏହି ଦଳକୁ ତାତ୍ସଲ୍ୟ କରିବାକୁ ନବୀନ ବାବୁ ସୁଯୋଗ ପାଇଥାନ୍ତେ। କିନ୍ତୁ ଓଡ଼ିଶାର ଭୋଟର ତାଙ୍କୁ ୨୧ରୁ ୨୧ ସୁଯୋଗ ଦେଲେ ନାହିଁ। ଏଣେ କେନ୍ଦ୍ରରେ ମଜଭୁତ ବିଜେପି ସରକାର। ତେଣୁ ବର୍ତ୍ତମାନ କେନ୍ଦ୍ର ଅବହେଳା କଥା ଉଠାଇଲେ ତାହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

କଂଗ୍ରେସ ଅବସ୍ଥା ଅତ୍ୟନ୍ତ ସାଙ୍ଘାତିକ। କେବଳ ରାଜ୍ୟରେ ନୁହେଁ, ସାରା ଦେଶରେ ଅବସ୍ଥା ଖରାପ। ଓଡ଼ିଶାରେ ଦଳ ବିଧାନସଭାରେ ଦୁଇ ସଂଖ୍ୟା ଛୁଇଁପାରି ନାହିଁ। ଅବଶ୍ୟ ନବଗ୍ରହ କହି କିଛି ନେତା ଆତ୍ମସନ୍ତୋଷ ଅନୁଭବ କରୁଛନ୍ତି। ଏଣେ କେନ୍ଦ୍ରରେ କ୍ଷମତାକୁ ଫେରିବାର ସ୍ୱପ୍ନ ଭାଙ୍ଗିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଲାଣି। ତେଣୁ ରାଜ୍ୟ ଓ କେନ୍ଦ୍ରର ଅବସ୍ଥା ପରେ ଓଡ଼ିଶା କଂଗ୍ରେସ ନାଁ ନବୀନ ସରକାରଙ୍କୁ ସମାଲୋଚନା କରିପାରୁଛି, ନା ମୋଦୀ ସରକାରଙ୍କୁ।

ମୋଟାମୋଟି ଭାବେ ତିନି ଦଳର ଚିତ୍ର ଏୟା। ମାତ୍ର ଓଡ଼ିଶାରେ ପ୍ରସଙ୍ଗର ଅଭାବ ନାହିଁ। ଫୋନି ମହାବାତ୍ୟାକୁ ମାସେ ପୂରିଯିବା ପରେ ମଧ୍ୟ ଏପର୍ଯ୍ୟନ୍ତ ଅନେକ ଅଞ୍ଚଳକୁ ପହଞ୍ଚି ନାହିଁ ବିଜୁଳି ଏହା ଏକ ବିରାଟ ପ୍ରଶ୍ନ। ବିପର୍ଯ୍ୟୟ ମୁକାବିଲା ଏବଂ ପୁନଃ ନିର୍ମାଣ ନାମରେ କୋଟି କୋଟି ଟଙ୍କା ହରିଲୁଟ ହେଉଛି। ଅଥଚ ବିରୋଧୀ ଦଳ ବିଜେପି ହେଉ କି କଂଗ୍ରେସ ସମ୍ପୂର୍ଣ୍ଣ ଚୁପ । ଗତ ଡିସେମ୍ୱର ମାସରେ ବିଶ୍ୱ କପ ହକି ଆୟୋଜିତ ହୋଇଥିଲା କଳିଙ୍ଗ ଷ୍ଟାଡିୟମରେ। ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରିଥିଲେ। ଏପର୍ଯ୍ୟନ୍ତ ଅଡିଟର ଜେନେରାଲଙ୍କୁ ଆୟ-ବ୍ୟୟର ହିସାବ ଦେଇ ନାହାନ୍ତି ସରକାର। ଦେବାକୁ ବି ଚାହୁଁ ନାହାନ୍ତି। ଏଣେ ବିଶ୍ୱ ହକି ଫାଇନାଲ ସିରିଜ ଆରମ୍ଭ ହେଇଛି ଆଜିଠାରୁ। କିନ୍ତୁ ବିରୋଧୀ ଦଳ ସମ୍ପୂର୍ଣ୍ଣ ଚୁପ ।

ନିର୍ବାଚନ ସରିଯିବା ପରେ ପ୍ରସଙ୍ଗ ସରିନାହିଁ। କିନ୍ତୁ ଶାସକ ଦଳ ହୁଅନ୍ତୁ କି ବିରୋଧୀ ଦଳ କେହି କାହାରିକୁ ଆକ୍ରମଣ ବା ପ୍ରତିଆକ୍ରମଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ବୋଧହୁଏ ବିରୋଧୀ ଦଳ ବିଧାନସଭା ଅଧିବେଶନକୁ ଅପେକ୍ଷା କରିଛି। ତେବେ ନବୀନ ସରକାର କେନ୍ଦ୍ରର ମୋଦୀ ସରକାରଙ୍କ ସହ ବୁଝାମଣାର ପକ୍ଷପାତି ବୋଲି ସଗ୍ଧେତ ଦେଲେଣି। ନବୀନଙ୍କ ପାଖରେ ଆଉ ସମଦୂରତା ସ୍ଲୋଗାନ ନାହିଁ। କଂଗ୍ରେସ ଶକ୍ତି ବିହୀନ ହୋଇସାରିଥିବାରୁ ନବୀନ ନିରାପଦ କାର୍ଡ଼ ଖେଳିବା ସକାଶେ ଆଗକୁ ମୋଦୀ ସରକାରଙ୍କୁ ସବୁ ପ୍ରକାର ସମର୍ଥନ ଯୋଗାଇବେ ବୋଲି ଅନୁମାନ କରାଯାଉଛି।

ତେବେ ଏହି ବାତାବରଣ ଭିତରେ ସିବିଆଇ ତଦନ୍ତ ସବୁଦିନ ସକାଶେ ଦିଗହରା ହୋଇଯିବ କି? ଏହି ପ୍ରଶ୍ନ ଏବେ ଗୁଞ୍ଜୁରୁଛି ଲୋକଙ୍କ ଭିତରେ। ୨୦୧୯ରେ କେନ୍ଦ୍ରରେ ସଂଖ୍ୟା ଅଭାବ ହେଲେ ବିଜୁ ଜନତା ଦଳର ସହାୟତା ଲୋଡ଼ିବା ଆଶାରେ ନରେନ୍ଦ୍ର ମୋଦୀ ନବୀନଙ୍କ ପ୍ରତି ନରମ ମନୋଭାବ ଦେଖାଇ ଥିଲେ। କିନ୍ତୁ ଏବେ ସେ ଭୟ ଆଗାମୀ ୫ବର୍ଷ ଲାଗି ଦୂର ହୋଇଛି।

ଏପରି କି ୨୦୨୦ ଜୁଲାଇ ପରେ ରାଜ୍ୟସଭାରେ ମଧ୍ୟ ବିଜୁ ଜନତା ଦଳର ସମର୍ଥନ ଦରକାର ପଡ଼ିବ ନାହିଁ ମୋଦୀ ସରକାରଙ୍କୁ। କିନ୍ତୁ ୨୦୨୪ରେ ଓଡ଼ିଶା ହିଁ ବିଜେପିକୁ ଯଥେଷ୍ଟ ଅଧିକ ଲୋକସଭା ଆସନ ଦେଇପାରିବ। ତେବେ ଏଥିପାଇଁ ନରମ ନୁହେଁ, ଗରମ ମନୋଭାବ ଦେଖାଇବାକୁ ପଡ଼ିବ ମୋଦୀ ଏବଂ ଶାହାଙ୍କୁ। ହାତରେ ଅଛି ଅମୋଘ ଅସ୍ତ୍ର। ଏହାର ସଠିକ ଉପଯୋଗ ହିଁ ନବୀନ ସରକାରଙ୍କୁ କାଠଗଡ଼ାରେ ଠିଆ କରାଇବ ଏବଂ ବିଜେପିକୁ ବିରାଟ ରାଜନୈତିକ ଫାଇଦା ଦେବ।

ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦିହୋଇ ରହିଛନ୍ତି ନବୀନ ସରକାର। ଚିଟଫଣ୍ଡ ଏବଂ ବ୍ଲାକରୋଜ ଘଟଣାର ସିବିଆଇ ତଦନ୍ତ ଚାଲିଛି। ମନରେଗା ଦୁର୍ନୀତିର ସିବିଆଇ ତଦନ୍ତ ଶେଷ ହୋଇ ନାହିଁ। ପୁଣି ହାତରେ ଖଣି ଦୁର୍ନୀତି ଅଛି। ଯଦି ମୋଦୀ ସରକାର ସିବିଆଇ ତଦନ୍ତ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଅନ୍ତି, ତେବେ ବିଜୁ ଜନତା ଦଳରେ ଅସ୍ଥିରତା ସୃଷ୍ଟି ହେବାକୁ ବାଧ୍ୟ। ଏହା ମଧ୍ୟ ୨୦୨୪ ପାଇଁ ବିଜେପି ସକାଶେ ଏକ ବିରାଟ ଭିତ୍ତିଭୂମି ସୃଷ୍ଟି କରିପାରିବ।

କିନ୍ତୁ ବର୍ତ୍ତମାନ ନୂଆ ସରକାର ଆସୁଆସୁ ସିବିଆଇ ଚଳଚଞ୍ଚଳ ହୋଇଉଠିଲେ ହୁଏତ କିଛି ମହଲ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗ କରିପାରନ୍ତି। ଏଭଳି ଅଭିଯୋଗ ବିଶେଷ ଦାନା ଧରିବ ନାହିଁ। ତେବେ କୁଲିଂ ପରିୟଡ଼ ଶେଷ ହୋଇଯିବାକୁ ମୋଦୀ ସରକାର ଅପେକ୍ଷା କରିବେ ବୋଲି ଶୁଣାଯାଉଛି। ଏବେ ନବୀନ ସରକାରଙ୍କ ମତିଗତି ମାପିବାର ସମୟ।

ଅମିତ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ବିଜୁ ଜନତା ଦଳ ଭିତରେ ଏକ ଛାନିଆଁ ପଶିଛି। ଶାହାଙ୍କୁ କଳିବା ଏତେ ସହଜ ନୁହେଁ। ଭାବି ବିଚାରି ମାପଚୁପ କରି ନିଷ୍ପତ୍ତି ନେବାରେ ଓସ୍ତାଦ ହେଉଛନ୍ତି ଶାହା। ତେଣୁ କ୍ଷମତା ହାସଲର ଆନନ୍ଦ ମୁହୂର୍ତ୍ତ ସରିଯିବା ପରେ ଯେତେବେଳେ ଅସଲ ବିଜନେସ ଆରମ୍ଭ ହେବ ସେତେବେଳେ ସିବିଆଇ ଚାପ ବଢ଼ିବ। ଏହି ସୂଚନା ଆପାତତଃ ମିଳିଛି।

ବିଶାଳ ସଂଖ୍ୟାଗରିଷ୍ଠତା ହାସଲ ସତ୍ତ୍ୱେ ବିଜୁ ଜନତା ଦଳରେ ଅସନ୍ତୋଷ କମି ନାହିଁ, ବରଂ ବଢ଼ିଛି। ମନ୍ତ୍ରିମଣ୍ଡଳ ଗଠନ ଓ ବିଭାଗ ବଣ୍ଟନକୁ ନେଇ ପ୍ରବଳ ଅସନ୍ତୋଷ ଅଛି। ସମସ୍ତେ ଅପେକ୍ଷା କରିଛନ୍ତି ରାଜ୍ୟସଭାକୁ କେଉଁମାନଙ୍କୁ ପଠାଉଛନ୍ତି ନବୀନ। ତା’ପରେ ନବୀନଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇଛି ଦଳର ନେତାମାନଙ୍କ ପାଇଁ। ଏହି ମୌକା ଶାହା ଏବଂ ମୋଦୀ ହାତଛଡ଼ା କରିବେ ବୋଲି ମନେହେଉ ନାହିଁ। ତେବେ ଏହା ବି ହୋଇପାରେ, ଗତଥର ପରି ମୋଦୀ ଓ ନବୀନଙ୍କ ଭିତରେ ଏକ ଭିନ୍ନ ଧରଣର ବୁଝାମଣା ହୋଇଯାଇପାରେ।

ତେବେ ସେ ପ୍ରକାର ବୁଝାମଣା ବିଜେପି ଲାଗି ଆତ୍ମଘାତୀ ହେବ। ମାତ୍ର ଏଭଳି ଅବସ୍ଥାରୁ ଫାଇଦା ଉଠାଇବାକୁ କଂଗ୍ରେସ ପ୍ରସ୍ତୁତ ଥିବା ଭଳି ଜଣାପଡ଼ୁ ନାହିଁ। ରାଜନୀତିର ଶୀତଳ ଅବସ୍ଥା ଦୂର ହୋଇ କେବେ ଆସିବ ଗରମ ପରିସ୍ଥିତି? ଏହାକୁ ସମସ୍ତେ ନିଶ୍ଚୟ ଅପେକ୍ଷା କରି ରହିବେ।

Leave a Reply

Your email address will not be published.