କେନ୍ଦ୍ରପଡ଼ାରେ ଅନୁଭବଙ୍କୁ ଟକ୍କର ଦେଲେ ବାବୁସାନ
କେନ୍ଦ୍ରାପଡ଼ା ନିର୍ବାଚନ ମଇଦାନରେ ସିନେ ଅଭିନେତାଙ୍କ ଲଢ଼େଇ ଆଜିଠାରୁ ଆରମ୍ଭ ହୋଇଛି। ଜଣେ ଅଭିନେତା ନିଜେ ପ୍ରତିଦ୍ୱନ୍ଦ୍ୱୀ ଥିବାବେଳେ ଆଉ ଜଣେ କା’ ପ୍ରତିଦ୍ୱନ୍ଦ୍ୱୀ ହୋଇ ମିଦାନରେ ଗର୍ଜନ ଆରମ୍ଭ କରିଛନ୍ତି। ନିର୍ବାଚନରେ ଏଭଳି ଅଭିନେତାମାନଙ୍କର ଲଢ଼େି ଆଗାମୀ ଦିନରେ ଆହୁରି ଅଧିକ ହେବ ବୋଲି ଆଭାସ ମିଳିଲାଣି।

ଆଜି ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ ଛତାହାଟ ଗାଆଁରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ସଭା ମଞ୍ଚରେ ଓଲିଉଡର ସୁପରଷ୍ଟାର୍ ବାବୁସାନଙ୍କୁ ଦେଖିବାକୁ ମିଳିଛି। ଏହି ସଭାରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ଉପସ୍ଥିତ ଥିଲେ।
ତେବେ ବାବୁସାନ୍ ତ ବିଜେପିରେ ନାହାନ୍ତି ,ତେବେ ଏହି ସଭାରେ ସେ କାହିଁକି ଯୋଗ ଦେଇଥିଲେ। ହଁ, ବାବୁସାନଙ୍କ ମାଆ ତଥା ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତର ଆସନରୁ ବିଜେପିର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧ କ୍ରମେ ସେହି ସଭାକୁ ଆସିଥିଲେ ବାବୁସାନ୍। ଏକଥା ସେ ନିଜେ ସଭା ମଞ୍ଚରେ ଘୋଷଣା କରିଛନ୍ତି।
ବାବୁସାନ ଉଦବୋଧନ ଦେଇ କହିଛନ୍ତି ଯେ କେନ୍ଦ୍ରାପଡ଼ାର ଉନ୍ନତିଲାଗି ବୈଜୟନ୍ତ ପଣ୍ଡା ଗତ ୧୦ ବର୍ଷ ହେବ ନିରନ୍ତର ପ୍ରଚେଷ୍ଟା କରି ଚାଲିଛନ୍ତି। କେନ୍ଦ୍ରରେ ମୋଦୀ ସରକାର ଏବଂ ରାଜ୍ୟରେ ବିଜେପି ସରକାର ଆସିବା ଦରକାର ବୋଲି କହିଛନ୍ତି। ବାବୁସାନ୍ ଏହି ମଞ୍ଚରେ ବୈଜୟନ୍ତ ପଣ୍ଡାଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ କାରଣ ତାଙ୍କ ସଂସ୍ଥା ପକ୍ଷରୁ ପ୍ରଯୋଜିତ ସୁପରହିଟ୍ ସିନେମାରେ କାମ କରି ଲୋକପ୍ରୟତା ହାସଲ କରିଛନ୍ତି। ଏହି ସଭାପରେ ଯାହା ଜଣାପଡ଼ୁଛି ଏଥର କେନ୍ଦ୍ରାପଡ଼ାରେ ଅନୁଭବ ବନାମ ବୈଜୟନ୍ତ ନୁହେଁ ବରଂ ବାବୁସାନ୍ ବନାମ ଅନୁଭବ ସ୍ଥିତି ହୋଇଛି। ଅନୁଭବଙ୍କ ଷ୍ଟାରଡମକୁ ଟକ୍କର ଦେବାଲାଗି ବାବୁସାନଙ୍କୁ କେନ୍ଦ୍ରାପଡ଼ାରେ ଘନଘନ ପ୍ରଚାରଲାଗି ଅଣାଯିବ ବୋଲି କୁହାଯାଉଛି।