ଏନସିପି ଶରଣରେ ଯିବେ ଶ୍ରୀକାନ୍ତ
କଂଗ୍ରେସରୁ ଅପମାନିତ ହୋଇ ବିତାଡ଼ିତ ହେବା ପରେ ଲଗାତାର ଭାବେ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟନାୟକଙ୍କୁ ଖଣି ଦୁର୍ନୀତି ବ୍ୟାପାରରେ ଟାର୍ଗେଟ କରି ଆସୁଛନ୍ତି ଶ୍ରୀକାନ୍ତ ଜେନା। ସେ ସାମାଜିକ ନ୍ୟାୟ ସମାବେଶକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଣିବା ପରେ ଶ୍ରୀକାନ୍ତ ଜେନା ଆମ ଆଦମୀ ପାର୍ଟିରେ ଯୋଗ ଦେଉଛନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇଥିଲା। କିନ୍ତୁ ପରବର୍ତ୍ତୀ କାଳରେ ସେ କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏପରି କି ପୂର୍ବରୁ ଏଥର ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ।
ଏହା ତାଙ୍କର ବାଧ୍ୟବାଧକତା। କାରଣ କୌଣସି ଦଳରେ ସେ ଏବେ ନାହାନ୍ତି। ନିଜ ଦମରେ ନିର୍ବାଚନ ଜିତିବା ଆଦୌ ସହଜ ନୁହେଁ, ଏକଥା ସେ ଜାଣିଛନ୍ତି। ୨୦୦୯ରେ ସେ ବାଲେଶ୍ୱର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କେନ୍ଦ୍ରରେ ମନ୍ତ୍ରୀପଦ ମିଳିଥିଲା। କିନ୍ତୁ ୨୦୧୪ରେ ରହିଲେ ତୃତୀୟ ସ୍ଥାନରେ। ସେତେବେଳେ ତ କଂଗ୍ରେସ ଦଳ ଥିଲା। କିନ୍ତୁ ଏବେ ଦଳ ଶୂନ୍ୟ ଅବସ୍ଥାରେ ଛିଡ଼ା ହେବେ କେଉଁଠୁ?
ଦଳ ନାହିଁ, କିନ୍ତୁ ଶ୍ରୀକାନ୍ତଙ୍କ ମନ ଭିତରେ କଂଗ୍ରେସକୁ ରାଜ୍ୟରେ ପାନେ ଚଖାଇବା ନିଶା ଦିନକୁ ଦିନ ପ୍ରବଳ। ସେଥିପାଇଁ ଶ୍ରୀକାନ୍ତ ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ ଯୋଗ ଦେବାଲାଗି ବ୍ୟଗ୍ର ହୋଇ ପଡ଼ିଛନ୍ତି। ଦିଲ୍ଲୀରେ ଏଥିପାଇଁ ଲବି ଚଳାଇଛନ୍ତି ଶ୍ରୀକାନ୍ତ। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତାଙ୍କ ସହ ଏହା ଭିତରେ ତାଙ୍କର ଏକାଧିକ ଥର ଆଲୋଚନା ମଧ୍ୟ ହୋଇସାରିଲାଣି। ଚିତ୍ର ସ୍ପଷ୍ଟ ନହେଲେ ମଧ୍ୟ ଶ୍ରୀକାନ୍ତ ଜେନା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।
ଏକଦା ସୌମ୍ୟରଞ୍ଜନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ରାଜ୍ୟ ସଭାପତି ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଦଳ ଛାଡ଼ି ସେ କଂଗ୍ରେସକୁ ଫେରି ଯାଇଥିଲେ। ଏହାପରେ ଓଡ଼ିଶାରେ କିଛି ପରୀକ୍ଷା ନିରୀକ୍ଷା ହୋଇଥିଲା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ। ଓଡ଼ିଶା ଗଣପରିଷଦ ଏବଂ ଧର୍ମ ନିରପେକ୍ଷ ଜନତା ଦଳ ରାଜ୍ୟ ଶାଖା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ ସାମିଲ ହୋଇଯାଇଥିଲେ। ବିଜୟ ମହାପାତ୍ର ଏବଂ ଅଶୋକ ଦାସ ଜାତୀୟ ଦଳରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେବା ଦ୍ୱାରା ରାଜ୍ୟରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ବିକାଶ ଘଟିବ ବୋଲି ଅନୁମାନ କରାଯାଉଥିଲା।
୨୦୦୭ରେ ଓଜିପି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ ମିଶିବା ବେଳେ ଏହାର ୪ଜଣ ବିଧାୟକ ଥିଲେ। କିନ୍ତୁ ନବୀନ ପଟ୍ଟନାୟକ ୨୦୦୮ରେ ଆସ୍ଥା ଭୋଟ ବେଳେ ବିଜୟଙ୍କ ଅନିଚ୍ଛା ସତ୍ତ୍ୱ୍ୱେ ଶରଦ ପାୱାରଙ୍କ ସମର୍ଥନ ହାସଲ କରିଥିଲେ। ୪ଜଣ ବିଧାୟକ ଅମର ଶତପଥୀ, ଉତ୍କଳ ପରିଡ଼ା, ଅରୁଣ ଦେ ଏବଂ ରାମଚନ୍ଦ୍ର ହାଁସଦା ନବୀନ ସରକାରଙ୍କୁ ସମର୍ଥନ କରିଥିଲେ ଏବଂ ପରବର୍ତ୍ତୀ କାଳରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ଏହା ସହ ରାଜ୍ୟରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସତ୍ତା
ଲୋପ ପାଇଯାଇଥିଲା।
ଏବେ ସାନି ପରୀକ୍ଷା କରିପାରନ୍ତି ଶରଦ ପାୱାର। କିନ୍ତୁ ଶ୍ରୀକାନ୍ତ ୨୦୦୭-୦୮ର ସେହି ଘଟଣାକୁ କେବେ ବି ଭୁଲି ନଥିବେ। ନବୀନଙ୍କ କଥାରେ ଯଦି ପାୱାର ଶ୍ରୀକାନ୍ତଙ୍କୁ ନେବା ପାଇଁ ମନା କରିଦିଅନ୍ତି, ତେବେ ତାଙ୍କ ପାଇଁ ଆଉ ଏକ ଧକ୍କା ହେବ। ଯଦିବା କଂଗ୍ରେସ ଭୋଟ କାଟି ବିଜେଡ଼ିକୁ ସାହାଯ୍ୟ କରିବା ସକାଶେ ପାୱାର ଶ୍ରୀକାନ୍ତଙ୍କୁ ସୁଯୋଗ ଦିଅନ୍ତି, ତେବେ ଏଭଳି ବୁଝାମଣା କେତେଦିନ ସ୍ଥାୟୀ ରହିବ, ତାହା ମଧ୍ୟ କୋଟିଏ ଟଙ୍କାର ପ୍ରଶ୍ନ।











