ଶ୍ରୀକାନ୍ତ ଫମ୍ପା ମାଠିଆ!
କଂଗ୍ରେସରୁ ବହିଷ୍କୃତ ହୋଇଥିବା ଶ୍ରୀକାନ୍ତ ଜଣେ ଫମ୍ପା ମାଠିଆ। ଏକଥା ଆମେ କହୁନାହୁଁ ସେ ନିଜେ ପ୍ରମାଣିତ କରି ଦେଖାଇଛନ୍ତି। ନିର୍ବାଚନରେ କଂଗ୍ରେସ ଓ ପଟ୍ଟନାୟକ ପରିବାର ବିରୋଧରେ ବୁଲି ବୁଲି ପ୍ରଚାର କରିବେ ବୋଲି ବହୁ ଆଗରୁ ବଡ଼ ଜୋରେ କହୁଥିଲେ। ଏବେ ରାଜ୍ୟରେ ନିର୍ବାଚନ ସରିବାକୁ ଯାଉଛି। ଆଜିଠାରୁ ପ୍ରଚାର ବି ବନ୍ଦ ହେଉଛି। କିନ୍ତୁ ଶ୍ରୀକାନ୍ତଙ୍କ ଦେଖା ମଳିଲା ନାହିଁ।
ଶ୍ରୀକାନ୍ତ ଉଭାନ
ଏବେ ରାଜ୍ୟରେ ନିର୍ବାଚନ ମାହୋଲ ବେଶ ସରଗରମ ରହିଛି । ରାଜ୍ୟର ରାଜନୀତିକ ବାତାବରଣ ବେଶ ଉଷ୍ମ ହୋଇଛି। ଶାସକ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଓ ଆରୋପ-ପ୍ରତ୍ୟାରୋପ ଚାଲିଛି । ସବୁ ପ୍ରମୁଖ ନେତା ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ଏତେ ହୋ ହଲ୍ଲା ଭିତରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କେଉଁଆଡ଼େ ହଜିଯାଇଛନ୍ତି । ତାଙ୍କର କୌଣସି ସୋର ଶବ୍ଦ ନାହିଁ । ନିର୍ବାଚନ ପୂର୍ବରୁ ସେ ବହୁ ରଣ ହୁଙ୍କାର ଦେଇଥିଲେ । ଆଶା କରାଯାଉଥିଲା ନିର୍ବାଚନ ବେଳେ ସେ କଂଗ୍ରେସ ଓ ବିଜେଡିକୁ ଘାଇଲା କରିବେ ।
କେବଳ ୫ଟି ପ୍ରଶ୍ନ

ସେ ନିଜେ ବି ଘୋଷଣା କରିଥିଲେ ଏମାନଙ୍କର ମୁଖା ଖୋଲିବେ । ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଯାଇ ପ୍ରଚାର କରିବେ। ହେଲେ ନିର୍ବାଚନ ମଇଦାନରେ ତାଙ୍କ ଦେଖା ମିଳିଲା ନାହିଁ । ଆଜି ଓଡ଼ିଶାକୁ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ବାଲେଶ୍ୱରକୁ ରାହୁଲ ଗାନ୍ଧି ଆସୁଥିବାରୁ ଶ୍ରୀକାନ୍ତ ତାଙ୍କ ପୁରୁଣା ଷ୍ଟାଇଲରେ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ୫ଟି ପ୍ରଶ୍ନ ପଚାରିଛନ୍ତି । କିନ୍ତୁ ସେ ଯେଉଁ ଘୋଷଣା କରିଥିଲେ ସେଥିରୁ କାହିଁକି ପଛଘୁଞ୍ଚା ଦେଲେ ଓ ସନ୍ୟାସ ନେଲାଭଳି ନିର୍ବାଚନ ରାଜନୀତି ମଇଦାନରୁ ଉଭାନ ହୋଇଗଲେ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି ।
କାହିଁକି ଚୁପ ରହିଲେ?
କଣ ପାଇଁ ଶ୍ରୀକାନ୍ତ ଚୁପ ରହିଲେ ସେ କଥା ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଯେଉଁ ନେତା ନିର୍ବାଚନ ପୂର୍ବରୁ ଏତେ ଗର୍ଜନ ତର୍ଜନ କରୁଥିଲେ ସେ କିଭଳି ଭାବରେ ଚୁପ ରହିଲେ ଓ କାହିଁକି ରହିଲେ ଏହା ପଛର ରହସ୍ୟ କଣ ସେ ବିଷୟ ଜାଣିବା ପାଇଁ ସମସ୍ତେ ଏବେ ଉତ୍କଣ୍ଠା ସହ ଅନାଇ ରହିଛନ୍ତି । ଏହାର ଉତ୍ତର କେବେ ଶ୍ରୀକାନ୍ତ ଜନସାଧାରଣଙ୍କୁ ଦେଉଛନ୍ତି ତାହା ଦେଖିବା କଥା ।
ନିର୍ବାଚନର କିଛିଦିନ ପୂର୍ବରୁ ଶ୍ରୀକାନ୍ତଙ୍କୁ କଂଗ୍ରେସରୁ ବିଦା କରିଦିଆଗଲା । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଗଲା । ଦଳରେ ଥିଲା ବେଳେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ମତ ରଖିବା ଏବଂ ଦଳ ଓ ନେତାମାନଙ୍କ ବିରୋଧରେ ଯାଇ ମତ ରଖୁଥିବା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ସୁରକ୍ଷା ଦେବା ଘଟଣାକୁ ନେଇ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିଲା ।
ଦଳରୁ ବିଦାହେଲା ପରେ ଶ୍ରୀକାନ୍ତ ରଣହୁଙ୍କାର ଦେଇଥିଲେ । ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଥିଲେ । ରାହୁଲଙ୍କ ମୁଖା ଖୋଲିବେ ବୋଲି ଘୋଷଣା ମଧ୍ୟ କରିଥିଲେ । ହେଲେ ରାହୁଲ ଏହା ମାଧ୍ୟରେ ଏକାଧିକବାର ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିସାରିଲେଣି କିନ୍ତୁ ତାଙ୍କ ମୁଖା ଖୋଲିପାରି ନାହାଁନ୍ତି ଶ୍ରୀକାନ୍ତ । କେବଳ ପ୍ରଶ୍ନ ପଚାରି ସୀମିତ ରହିଛନ୍ତି ।