ସୁରକ୍ଷାରେ ସାଲିସ ନକରନ୍ତୁ ଜନସାଧାରଣ: ବିଷ୍ଣୁପଦ ସେଠୀ, ସ୍ଵତନ୍ତ୍ର ରିଲିଫ୍ କମିଶନର
ଭୁବନେଶ୍ଵର, (ଓଟି): ବିଭିନ୍ନ ସମୟରେ ଜଳ ରାଶିରେ ଦୁର୍ଘଟଣା ହେଉଛି। ହୀରାକୁଦ, ଚିଲିକା ଏବଂ ଏବେ ମହାନଦୀରେ ନୌକା ଓଲଟିବା ଘଟଣା ଏସବୁରୁ ଗୋଟିଏ ଗେଟିଏ ଜ୍ବଳନ୍ତ ଉଦାହରଣ। ଜନସାଧାରଣ ଜାଣିବା ଦରକାର ଯେ, ଯେତେବେଳେ ସେମାନେ ଡଙ୍ଗାରେ ଯାଉଛନ୍ତି ସେତେବେଳେ ଲାଇଫ୍ ଜ୍ୟାକେଟ୍ ପରିଧାନ କରନ୍ତୁ। ସରକାର ଲାଇଫ୍ଜ୍ୟାକେଟ୍ ଦେବାର ବ୍ୟବସ୍ଥା କରିଛନ୍ତି ଏଣୁ ଏହାର ଫାଇଦା ଜନସାଧାରଣ ନିଅନ୍ତୁ ବୋଲି କହିଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ। ଅପରପକ୍ଷେ ମାଛଧରା ଡଙ୍ଗାରେ ଯାତ୍ରୀ ପରିବହନକୁ ମନା କରାଯାଇଥିବା ସେ କହିଛନ୍ତି। ଯେଉଁ ଡଙ୍ଗାଟି ମହାନଦୀରେ ଓଲଟିଲା ତାହା ଏକ ମାଛଧରା ଡଙ୍ଗା ଥିଲା ବୋଲି ସଳଚନା ଦେଇଛନ୍ତି।
ଯେତେବେଳେ ଡଙ୍ଗାରେ ଯାତ୍ରା କରିବା କଥା ଚିନ୍ତା କରୁଛନ୍ତି ସେତେବେଳେ ଡଙ୍ଗା ଚାଳକ ଏଥିପାଇଁ ଉପଯୁକ୍ତ କି ନୁହେଁ ପ୍ରଥାମେ ତନଖି କରନ୍ତୁ। ତାଙ୍କୁ ଡଙ୍ଗା ଚାଳନା ଲାଇସେନ୍ସ ସହ ଡଙ୍ଗାର ଫିଟ୍ନେସ୍ ପ୍ରମାଣପତ୍ର ମାଗନ୍ତୁ ବୋଲି କହିଛନ୍ତି ଶ୍ରୀ ସେଠୀ। କିନ୍ତୁ ଏସବୁକୁ ଭ୍ରୁକ୍ଷେପ ନକରି ଲୋକେ ଡଙ୍ଗାରେ ଯାତ୍ରା କରୁଛନ୍ତି ବୋଲି ଶ୍ରୀ ସେଠୀ କହିଛନ୍ତି। ଏଣୁ ’ଜନସାଧାରଣଙ୍କୁ ଆମେ ଅନୁରୋଧ କରୁଛୁ ଏପରି ବିଷୟଗୁଡ଼ିକୁ ଧ୍ୟାନ ଦିଅନ୍ତୁ। ବିଶେଷକରି ବ୍ୟକ୍ତିଗତ ସୁରକ୍ଷାରେ ସାଲିସ ନକରନ୍ତୁ’ ବୋଲି ସେ କହିଛନ୍ତି।
ବୁଧବାରଦିନ ଜଗତସିଂହପୁର କୁଜଙ୍ଗର ୫୫ ଜଣ ଲୋକ ପିକ୍ନିକ୍ ସାରି ହୁକିତୁଲାରୁ ଫେରିଲାବେଳେ ସନ୍ଧ୍ୟା ୬ଟା ୨୦ରେ ବତୀଘର ଗ୍ରାମପଞ୍ଚାୟତର ସାନ ପାଣିଆଠାରେ ଡଙ୍ଗା ବୁଡ଼ିଥିଲା। ସେଥିରେ ୧୦ଜଣ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ୯ଟି ମୃତ ଦେହ ଉଦ୍ଧାର କରାଯାଇଛି। ଆଉ ଜଣେ ଝିଅର ମୃତଦେହକୁ ଖୋଜା ଚାଲିଛି। ଉଦ୍ଧାର କରାଯାଇଥିବା ମୃତ ଦେହ ଭିତରେ ୨ ଜଣ ମହିଳା ରହିଛନ୍ତି। ରାତିରେ ପ୍ରବଳ ଥଣ୍ଡା ଭିତରେ ଅଗ୍ନିଶମ ଦଳ, ସ୍ଥାନୀୟ ଲୋକେ ଏବଂ ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।
ଯେଉଁ ସ୍ଥାନରେ ଘଟଣା ଘଟିଥିଲା ସେଠାରେ କୁମ୍ଭୀର ଚଳ ପ୍ରଚଳ କରନ୍ତି। ସେ ଅଞ୍ଚଳ ଦେଇ ଡଙ୍ଗା ଚଳାଇବା ମନା। କିନ୍ତୁ ତାହାକୁ ଭ୍ରୁକ୍ଷେପ କରି ଏସବୁ ହୋଇଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି।
ଉଦ୍ଧାର କରାଯାଇଥିବା ମୃତୁଦେହକୁ ପୋଷ୍ଟମଟ;ମ ପାଇଁ ପଠାଯାଇଛି। ଏହାପରେ ଶବ ହସ୍ତାନ୍ତର ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘେଶଷଣା କରାଯାଇଥିବା ସହାୟତା ରାଶିକୁ ମଧ୍ୟ ସମ୍ପୃକ୍ତ ପରିବାରକୁ ପ୍ରଦାନ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି। ଏଥିନେଇ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରବର୍ଗ ପାଇଁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।