ସାଇନାଙ୍କ ବାୟୋପିକରୁ ଆଉଟ୍ ହେଲେ ଶ୍ରଦ୍ଧା
ଭାରତ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିବା ବ୍ୟାଡମିଣ୍ଟନ୍ ଖେଳାଳୀ ସାଇନା ନେହେବାଲଙ୍କ ଉପରେ ବାୟୋପିକ୍ ନିର୍ମିତ ହେଉଛି ବୋଲି ଖବର ଆସିଥିଲା । ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଥିଲା ଏବଂ ଏଥିରେ ସାଇନାଙ୍କ ଭୂମୀକାରେ ଥିବା ଶ୍ରଦ୍ଧା କପୁର୍ ଜୋର୍ଜୋର୍ରେ ବ୍ୟାଡମିଣ୍ଟନ୍ ପ୍ରାକଟିସ୍ ମଧ୍ୟ ଆରମ୍ଭ କରିଦେଇଥିଲେ । କିନ୍ତୁ ଇତିମଧ୍ୟରେ ଆଉ ଏକ ଖବର ଶୁଣିବାକୁ ମିଳିଛି ଯେ ଶ୍ରଦ୍ଧା ଏହି ଫିଲ୍ମରୁ ଆଉଟ୍ ହୋଇଛନ୍ତି ଏବଂ ଶ୍ରଦ୍ଧାଙ୍କ ସ୍ଥାନରେ ପରିଣୀତିଙ୍କୁ ସାଇନ୍ କରାଯାଇଛି ।
ଏଭଳି ଏକ ବଡ଼ ନିଷ୍ପତି ପଛରେ ଥିବା କାରଣ ଦର୍ଶାଇ ଫିଲ୍ମର ନିର୍ମାତା ଭୂଷଣ କୁମାର କହିଛନ୍ତି ଯେ ଶ୍ରଦ୍ଧାଙ୍କ ସୁଟିଂ ଡେଟସ୍ ସାଇନାଙ୍କ ସହ ମ୍ୟାଚ୍ କରୁନାହିଁ । ୨୦୨୦ ପୂର୍ବରୁ ଫିଲ୍ମ ରିଲିଜ୍ କରାଯିବ ବୋଲି ସ୍ଥିର ହୋଇଛି। ତେଣୁ ଶ୍ରଦ୍ଧାଙ୍କ ସୁଟିଂ ଡେଟ୍ ସମସ୍ୟା ପାଇଁ ଫିଲ୍ମର ସୁଟିଂକୁ ଆହୁରି ଘୁଞ୍ଚେଇବା ସମ୍ଭବ ନୁହେଁ । ତେଣୁ ଶ୍ରଦ୍ଧାଙ୍କ ସ୍ଥାନରେ ପରିଣୀତିଙ୍କୁ ସାଇନ୍ କରାଯାଇଛି । ଏ ସମ୍ପର୍କରେ ପରିଣୀତି କହିଛନ୍ତି ଯେ ‘ବ୍ୟାଡମିଣ୍ଟନ୍ ମୋର ଜୀବନର ଆଉ ଏକ ଅବିଛେଦ୍ୟ ଅଙ୍ଗା। କିନ୍ତୁ ଅଭିନୟ ପାଇଁ ମୁଁ ଏହାକୁ ଟିକେ କମ୍ ଗୁରୁତ୍ୱ ଦେଇଛି । ତେଣୁ ସାଇନାଙ୍କ ଭଳି ଜଣେ ଖେଳାଳିଙ୍କ ବାୟୋପିକ୍ ପାଇଁ ମୋତେ ଚୟନ କରାଯାଇଥିବାରୁ ମୁଁ କୃତଜ୍ଞ’ । ତେବେ ଖୁବ୍ ଶୀଘ୍ର ଏହି ବାୟୋପିକ୍ ସିନେମାଘରକୁ ଆସିବ ବୋଲି ଫିଲ୍ମଟିମ୍ ପକ୍ଷରୁ ସୂଚନା ମିଳିଛି ।