ଭୁବନେଶ୍ଵରକୁ ଶ୍ରମିକ ଆସିବେ ରେଳରେ- ରେଳବାଇ ବୋର୍ଡକୁ ଅନୁରୋଧ କଲା କେରଳ ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ଖେଲିବା ପୂର୍ବରୁ ବିଭିନ୍ନ ରାଜ୍ୟରେ ଫସି ରୖିଥିବା ପ୍ରବାସୀ ଶ୍ରମିକଙ୍କୁ ସମ୍ପୃକ୍ତ ରାଜ୍ୟର ରାଜ୍ୟସରକାରମାନେ ଫେରାଇ ନେବାକୁ ଉଦ୍ୟମ କରୁଛନ୍ତି। ରାଜ୍ୟମାନେ ମଧ୍ୟ ସେମାନଙ୍କ ରାଜ୍ୟରେ ଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ସ୍ଵତନ୍ତ୍ର ଆୟୋଜନ କରୁଛନ୍ତି। ଏହିକ୍ରମରେ କେରଳ ସରକାଙ୍କ ପକ୍ଷରୁ ଏକ ସ୍ଵତନ୍ତ୍ର ଟ୍ରେନ୍‌ ଆୟୋଜନ ପାଇଁ ରେଳବାଇ ବୋର୍ଡକୁ ଚିଠି ଲେଖାଯାଇଛି। ରେଳବାଇ ବୋର୍ଡ଼ ଦକ୍ଷିଣ ରେଳବାଇକୁ ଏନେଇ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି।

ଏହି ଟ୍ରେନ୍‌ ଆଜି ସନ୍ଧ୍ୟାରେ ଏଣ୍ଣାକୁଲମ୍‌ ଷ୍ଟେସନ୍‌ ଛାଡ଼ିବା ସମ୍ଭାବନା ରହିଛି। ସିଧାସଳଖ ଏହା ଭୁବନେଶ୍ଵର ପହଞ୍ଚିପାରେ। କିନ୍ତୁ ଏନେଇ କୌଣସି ସୂଚନା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଏପରିକି ପୂର୍ବତଟ ରେଳବାଇଙ୍କୁ ଏନେଇ କୌଣସି ସୂଚନା ଦକ୍ଷଣ ରେଳବାଇ ଦେଇ ନାହିଁ ବୋଲି ବିଶ୍ଵସ୍ତ ସୁତ୍ରରୁ ଜଣାପଡ଼ିଛି।

ଅନ୍ୟଏକ ଘଟଣାକ୍ରମେ ଆଜି ସକାଳ ସାଢ଼େ ୪ଟା ବେଳୁ  ତେଲେଙ୍ଗାନା ରାଜ୍ୟରେ ଅଟକିଥିବା ୧୨୦୦ ଝାଡ଼ଖଣ୍ଡୀ ଶ୍ରମିକଙ୍କୁ ନେଇ ଏକ ଟ୍ରେନ୍‌ ଯାତ୍ରା କରିଛି। ଏହା ଲିଙ୍ଗାମପଲ୍ଲୀ ଜିଲ୍ଲାରୁ ଝାଡ଼ଖଣ୍ଡର ହତିଆ ଯାଏ ଯାତ୍ରା କରିବ। ତେଲେଙ୍ଗାନା ସରକାରଙ୍କ ବିଶେଷ ଅନୁରୋଧରେ ରେଳବାଇ ବୋର୍ଡ ଏହି  ଆୟୋଜନ କରିଛନ୍ତି। ହାଇଦ୍ରାବାଦ ସ୍ଥିତ  ଆଇଆଇଟି କ୍ୟାଣ୍ଡି କ୍ୟାମ୍ପସ ରେ ଏହି ଶ୍ରମିକମାନେ ରହିଥିଲେ।

ମହାରାଷ୍ଟ୍ରରେ ସ୍ଵତନ୍ତ୍ର ଟ୍ରେନ୍‌ ଚାଲିବା ଗୁଜବକୁ ନେଇ ଶ୍ରମିକମାନେ ଯେଉଁପରି ରାଜରାସ୍ତାକୁ ଆସିଲେ ସେହି ଅଭାବନୀୟ ଘଟଣାକୁ ଏଡ଼ାଇବା ଲାଗି ରେଳବାଇ ପକ୍ଷରୁ ବିନା କୌଣସି ପ୍ରଚାରରେ ଏହି କାର୍ଯ୍ୟ କରାଯାଉଛି।

ଝାଡ଼ଖଣ୍ଡ ଅଭିମୁଖେ ଯାଇଥିବା ଟ୍ରେନ୍‌ରେ ୨୪ଟି କୋଚ୍‌ ରହିଛି। ଗୋଟିଏ କୋଚ୍‌ରେ ୭୨ଜଭଣ ବସିବା ବ୍ୟବସ୍ଥା ଥିଲେ ମଧ୍ୟ ସେଥିରେ ୫୪ଜଣ ବସିପାରିବେ। ସୋଶାଲ୍‌ ଡିଷ୍ଟାନ୍ସିଂ ରଖିବା ଲାଗି ଏହି ବ୍ୟବସ୍ଥା ଆପଣା ଯାଇଛି।

ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ହୋଇଥିବା ଉଦ୍ୟମ ଦ୍ଵାରା ଗୁଜରାଟ ସୁରାଟ୍‌ରେ ଅଟକିଥିବା ୨୦୦ ଶ୍ରମିକଙ୍କୁ ବସ୍‌ଯୋଗେ ଅଣାଯାଇଛି। ଆଗକୁ ଏହିପରି ବସ୍‌ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

 

Leave a Reply

Your email address will not be published. Required fields are marked *