ଟେଷ୍ଟିଂ କିଟ୍ ଯୋଗାଇବ ଦକ୍ଷିଣ କୋରିଆ କମ୍ପାନୀ

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ଚୀନର ରାପିଡ୍ ଟେଷ୍ଟିଂ କିଟ୍ ନିମ୍ନମାନର ସାବ୍ୟସ୍ତ ହେବା ପରେ ଭାରତକୁ ଦକ୍ଷିଣ କୋରିଆ କମ୍ପାନୀ ସହଯୋଗ କରିବ ବୋଲି ଜଣାପଡ଼ିଛି। ଦେଶର ଅନେକ ରାଜ୍ୟକୁ ଏହି କିଟ୍‌ ଯୋଗାଇ ଦେବାକୁ ଆଗକୁ ଆସିଛି ଦକ୍ଷିଣ କୋରିଆ କମ୍ପାନୀ ଏଚ୍ଏଲ୍ଏଲ୍। ଏହି କମ୍ପାନୀର କିଟ୍‌ ମୂଲ୍ୟ ଚୀନ୍‌ କିଟ୍‌ର ପ୍ରାୟ ଅଧା ଦରରେ ମିଳିବ।

ସୂଚନା ଅନୁସାରେ ହରିୟାଣାର ସ୍ଵାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜଙ୍କ ଦ୍ଵାରା ଚୀନର କମ୍ପାନୀ ସହ କରାଯାଇଥିବା ଚୁକ୍ତି ରଦ୍ଦ ହେବା ପରେ ମାନେସର ସ୍ଥିତ ଦକ୍ଷିଣ କୋରିଆ କମ୍ପାନୀ ଏଚ୍ଏଲ୍ଏଲ୍ ରାପିଡ୍ ଟେଷ୍ଟିଂ କିଟ୍‌ ଯୋଗାଇ ଦେବ ବୋଲି ଜଣାପଡ଼ିଛି। ଅର୍ଡର ଅନୁସାରେ ଉକ୍ତ କମ୍ପାନୀ ଟେଷ୍ଟିଂ କିଟ୍‌ ଉପଲବ୍ଧ କରାଇବାକୁ ସକ୍ଷମ ଥିବା କୁହାଯାଉଛି। ଗୁରୁତ୍ଵପୂର୍ଣ୍ଣ ଯେ ସରକାରଙ୍କୁ ପ୍ରତି କିଟ୍ ପିଛା କମ୍ପାନୀକୁ ମାତ୍ର ୩୮୦ ଟଙ୍କା ଦେବାକୁ ପଡ଼ିବ। ଏଥିରେ ସରକାରଙ୍କୁ ୪୦୦ ଟଙ୍କା ଫାଇଦା ହେବ। ଏହା ପୂର୍ବରୁ ସରକାରଙ୍କୁ କିଟ୍ ପିଛା ଚୀନକୁ ୭୮୦ ଟଙ୍କା ଦେବାକୁ ପଡୁଥିଲା। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର୍) ପକ୍ଷରୁ ରାପିଡ୍ ଟେଷ୍ଟିଂ କିଟ୍‌ ଜରିଆରେ କୋଭିଡ୍-୧୯ର ଯାଞ୍ଚ ଅନୁମତି ଦେବା ପରଠୁ ଏଚ୍ଏଲ୍ଏଲ କମ୍ପାନୀ କିଟ୍‌ର ଉତ୍ପାଦନ ଆରମ୍ଭ କରିସାରିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର କମ୍ପାନୀଠୁ ୨୫ ହଜାର ରାପିଡ୍ ଟେଷ୍ଟିଂ କିଟ୍ କିଣିଛନ୍ତି। ସେହିପରି ଛତିଶଗଡ଼ ସରକାର ମଧ୍ୟ ୨୫ ହଜାର ଟେଷ୍ଟିଂ କିଟ୍‌ ଦକ୍ଷିଣ କୋରିଆ କମ୍ପାନୀରୁ କିଣିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *