ଦକ୍ଷିଣ ଭାରତରେ ମୋଦିଙ୍କ କାମକୁ କମ‍୍‌ ସମର୍ଥନ

ଦକ୍ଷିଣ ଭାରତର ପଡ଼ୁଚେରୀ, କେରଲ ଓ ତାମିଲନାଡୁରେ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାମକୁ ନେଇ ସବୁଠାରୁ କମ‍୍‌ ସନ୍ତୁଷ୍ଟ ଥିବାବେଳେ ଝାଡ଼ଖଣ୍ଡ, ରାଜସ୍ଥାନ ଓ ଗୋଆର ଲୋକମାନେ ସବୁଠାରୁ ଅଧିକ ସନ୍ତୁଷ୍ଟ ବୋଲି ମତ ଦେଇଛନ୍ତି। ସି-ଭୋଟର-ଆଇଏନଏସ ଟ୍ରାକର ପକ୍ଷରୁ ଲଗାତର ଦୁଇଥର ୨୦୧୯ ନିର୍ବାଚନୀ ସର୍ଭେରେ ମୋଦି ନିଜର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ବହୁ ପଛରେ ପକାଇ ଲୋକପ୍ରିୟ ନେତାର ସ୍ଥାନ ହାସଲ କରିଛନ୍ତି। ରାଜ୍ୟମାନଙ୍କରୁ ମିଳିଥିବା ସୂଚନା ଅନୁସାରେ ଅତି କମରେ ୧୩ଟି ରାଜ୍ୟର ୫୦ ପ୍ରତିଶତରୁ ଅଧିକ ଲୋକ ମୋଦିଙ୍କ କାମକୁ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଝାଡ଼ଖଣ୍ଡ-ରାଜସ୍ଥାନ-ଗୋଆରେ ସର୍ବାଧିକ ସମର୍ଥନ

ଜନମତ ସର୍ଭେ ରିପୋର୍ଟ ଅନୁସାରେ ଝାଡ଼ଖଣ୍ଡ ଏଥିରେ ଶୀର୍ଷ ସ୍ଥାନ ହାସଲ କରିଛି। ଝାଡ଼ଖଣ୍ଡର ୭୪ ପ୍ରତିଶତ ଲୋକ ମୋଦିଙ୍କ ଶାସନରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ପରେ ରାଜସ୍ଥାନର ୬୮.୩ ପ୍ରତିଶତ ଓ ଗୋଆର ୬୬.୩ ପ୍ରତିଶତ ଲୋକ ମୋଦିଙ୍କ କାମରେ ସନ୍ତୁଷ୍ଟ ବୋଲି ମତ ଦେଇଛନ୍ତି। ଏହା ପରେ ବିଜେପି ସରକାର ଥିବା ହରିଆନାରେ ୬୫.୯ ପ୍ରତିଶତ ଲୋକ ମୋଦିଙ୍କ କାମକୁ ସମର୍ଥନ କରିଛନ୍ତି।

ତାମିଲନାଡୁରେ ସବୁଠାରୁ କମ‍୍‌ ସମର୍ଥନ ୨.୨ ପ୍ରତିଶତ

ସର୍ଭେରେ ସାମିଲ ହୋଇଥିବା ଯେଉଁ ରାଜ୍ୟରେ ମୋଦିଙ୍କ କାମକୁ ୫୦ ପ୍ରତିଶତରୁ କମ‍୍‌ ସମର୍ଥନ ମିଳିଛି ତାହା ହେଲା ମହାରାଷ୍ଟ୍ର ୪୭.୯ ପ୍ରତିଶତ, ଉତ୍ତରପ୍ରଦେଶ ୪୩.୯ ପ୍ରତିଶତ, ପଶ୍ଚିମବଙ୍ଗ ୪୩.୨ପ୍ରତିଶତ, ଜମ୍ମୁ-କାଶ୍ମୀର ୩୯.୬ ପ୍ରତିଶତ। ସବୁଠାରୁ କମ‍୍‌ ସମର୍ଥନ ୨.୨ ପ୍ରତିଶତ ତାମିଲନାଡୁରେ ମିଳିଛି। ତାମିଲନାଡୁର ଲୋକମାନେ ମୋଦିଙ୍କ କାମରେ ଆଦୌ ସନ୍ତୁଷ୍ଟ ନଥିବା ପ୍ରକାଶ କରିଛନ୍ତି। କେରଳରେ ୭.୭ ପ୍ରତିଶତ ଓ ପୁଡୁଚେରୀରେ ୧୦.୭ ପ୍ରତିଶତ ଲୋକ ମୋଦିଙ୍କ କାମକୁ ସମର୍ଥନ କରିଛନ୍ତି।

କଂଗ୍ରେସ ସରକାର ଥିବା ପଞ୍ଜାବରେ ମୋଦିଙ୍କ କାମକୁ ୧୨ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ୨୩.୬ ପ୍ରତିଶତ ଲୋକ ମୋଦିଙ୍କ କାମକୁ ସମର୍ଥନ କରିଛନ୍ତି।

Leave a Reply

Your email address will not be published.