ସୌମ୍ୟ ବି ଖୋଜୁଛନ୍ତି ବିଜେଡି ଟିକେଟ୍‌

ନିକଟରେ ବିଜେଡିରେ ଯୋଗ ଦେଇ ରାଜ୍ୟସଭା ସାଂସଦ ହୋଇଥିବା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣିଥରେ ଟିକେଟ୍‌ ରେସ୍‌ରେ। ବିଧାନସଭା ହେଉ କି ଲୋକସଭା ସେ କୌଣସି ନା କୌଣସି ଆସନ ପାଇଁ ଲଢ଼ିବାକୁ ଆଶାୟୀ। ସୌମ୍ୟଙ୍କ ଏହି ଆଶାକୁ ନେଇ ବିଜେଡି ମହଲରେ ଅଙ୍କ କଷା ଚାଲିଛି। ଏପରିକି ସେ ଆଶା କରୁଥିବା ଖଣ୍ଡପଡ଼ା ବିଧାନସଭା ଅଥବା କଟକ ଲୋକସଭା ଆସନରୁ କାହାକୁ ଦଳ ପ୍ରାର୍ଥୀ ବୋଲି ଘୋଷଣା କରିପାରୁନାହିଁ।

ରାଜନୀତିକ ସୂତ୍ର ଅନୁସାରେ ବିଜେଡିର ନିର୍ବାଚନ ରଣନୀତି ଟିମ୍‌ ସୌମ୍ୟଙ୍କୁ କଟକ ଲୋକସଭା ଆସନରୁ ଟିକେଟ୍‌ ଦେବାକୁ ଏକ ପ୍ରକାର ସ୍ଥିର କରିଛନ୍ତି। ଏହିକ୍ରମରେ ବର୍ତ୍ତମାନର ସାଂସଦ ଭର୍ତ୍ତୃହରି ବଳିର ଛେଳି ହୋଇପାରନ୍ତି। ୧୯୯୮ ମସିହାରୁ ଭର୍ତ୍ତୃହରି ଏଠାର ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ସଂସଦରେ ତାଙ୍କ କାର୍ଯ୍ୟଦକ୍ଷତା ବି ଯଥେଷ୍ଟ ରହିଛି। କିନ୍ତୁ ଆଉ ଅଧିକ ଦିନ ସାଂସଦ ରହିଲେ ତାଙ୍କ ପରାକ୍ରମ କାଳେ ଅଧିକ ବଢ଼ିବ ତାହା ଆଶଙ୍କା କରି ଦଳକୁ ନିୟନ୍ତ୍ରଣରେ ରଖିବା ଲାଗି ତାଙ୍କୁ ଏଥର ତଳକୁ ଖସାଇବା ଲାଗି ବିଜେଡି ଚାହିଁଛି । ଏହିକ୍ରମରେ ସୌମ୍ୟ ଜଣେ ଖବରକାଗଜ ସମ୍ପାଦକ ଭାବେ ସମ୍ପାଦକଙ୍କୁ ହଟାଇପାରିବେ ବୋଲି ଆଶା କରାଯାଏ।

ଅପରପକ୍ଷେ କଟକ ବିଜେଡି ପାଇଁ ଏକ ନିଶ୍ଚିତ ବିଜୟ ବୋଲି ଗ୍ରହଣ କରାଯାଏ। ବିଜେଡିର ଗଡ଼ ହୋଇଥିବାରୁ ଏହି ଚିହ୍ନରେ ଯାହାକୁ ଠିଆ କରାଯିବ ସେ ଜିତିବେ ବୋଲି ଚର୍ଚା ହେଉଛି। ପୁଣି ସୌମ୍ୟ ଯେଉଁ ଖଣ୍ଡପଡ଼ା ଆସନରୁ ବାରମ୍ବାର ପରାଜୟର ମୁହଁ ଦେଖିଛନ୍ତି ତାହା କଟକ ନିର୍ବାଚନ ମଣ୍ଡଳୀ ଅଧୀନରେ ରହୁଛି। ଏଣୁ କଟକ ଲୋକ ଏହାଙ୍କୁ ବାହାର ଲୋକ ବୋଲି କହିବେ ନାହିଁ।

କିନ୍ତୁ ସୌମ୍ୟ ଖଣ୍ଡପଡ଼ା ଜିଦ୍‌ରେ ଅଟଳ ଅଛନ୍ତି। ତାଙ୍କ ମତରେ ଖଣ୍ଡପଡ଼ାରୁ ସେ ଜିତିଲେ ତାଙ୍କର ପୂର୍ବ ପରାଜୟର ପ୍ରତିଶୋଧ ମିଳିବ। ୨୦୦୯ରେ କଂଗ୍ରେସ ଟିକେଟ୍‌ରେ ଆଉ ୨୦୧୪ରେ ଆମ ଓଡ଼ିଶା ପାର୍ଟି ଟିକେଟ୍‌ରେ ସେ ହାରିଥିଲେ। ଅନେକ ଅର୍ଥ ସେ ସେତେବେଳେ ଖର୍ଚ କରିଥିବା ଗଣମାଧ୍ୟମରେ ଚର୍ଚା ହୋଇଛି । କିନ୍ତୁ ବିଜେଡି ଚିହ୍ନ ଆଗରେ ତାଙ୍କୁ ପରାଜୟ ସ୍ଵୀକାର କରିବାକୁ ପଡ଼ିଥିଲା।

ଏ ଭିତରେ ସୌମ୍ୟଙ୍କୁ ଦଳ ଅଧିକ ଗୁରୁତ୍ଵ ଦେବା ଆରମ୍ଭ କରିଛି। ତାଙ୍କୁ ଆସନ୍ତା ନିର୍ବାଚନ ପାଇଁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ବି ଚିନ୍ତା ହୋଇଛି। ଖାଲି ଖବରକାଗଜ ନୁହେଁ, ତାଙ୍କ ପାଖରେ ଟିଭି, ରେଡିଓ, ଇଣ୍ଟରନେଟ୍‌ ମାଧ୍ୟମ ସବୁକିଛି ରହିଛି। ପୁଣି ତାଙ୍କୁ ବିରୋଧ କରୁଥିବା ଜଣେ ସମ୍ପାଦକଙ୍କ ଦଳ ପ୍ରତି କ୍ଷୁବ୍ଧ ହେବା ଏହାଙ୍କୁ ଅଧିକ କ୍ଷମତାଶଶଳୀ କରାଇଛି। ସୌମ୍ୟ ବି ଦଳର ଷ୍ଟାର ପ୍ରଚାରକ ପାଲଟିଛନ୍ତି।

ଏବେ ଅପେକ୍ଷେ ସେ ବିଶେଷଜ୍ଞ କମିଟି କି ନିଷ୍ପତ୍ତି ନେଉଛନ୍ତି। ଏ ଭିତରେ କିନ୍ତୁ ଏତିକି ସ୍ପଷ୍ଟ ଯେ, ରାଜ୍ୟସଭା ଆସନ ପାଇବାକୁ ରାତି ଅଧିକା ଶଙ୍ଖ ଧରିଥିବା ସୌମ୍ୟ ଏବେ ଆଉ ସେଥିରୁ ଶାନ୍ତି ପାଇପାରୁ ନାହାନ୍ତି। ଅପେକ୍ଷା ଆଉ ଦିନ କିଛିକୁ, ଜଣାପଡ଼ିବ ଆଶା କେବଳ ଆଶା ହୋଇ ରହିବ ନା ବାସ୍ତବ ହେବ!

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

ବିଜେପିରେ ବଢ଼ୁଛି ବିଦ୍ରୋହ, କଣ୍ଣେଲ ପଣ୍ଡା ଆଣିଲେ ଅଭିଯୋଗ

ରାୟଗଡ଼ାରେ ଭୋଟ୍‌ ବର୍ଜନ ଡାକରା

ନିର୍ବାଚନ ଲଢିବେ ନାହିଁ ଦିଲୀପ ତିର୍କୀ!

Leave a Reply

Your email address will not be published. Required fields are marked *