#ଲକ୍ଡାଉନ୍ରେ ବଢ଼ିଛି ସୋସିଆଲ୍ ମଡିଆ ବ୍ୟବହାର
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କ ପାଇଁ ଦେଶରେ ଜାରି ରହିଛି ୨୧ ଦିନିଆ ଲକ୍ଡାଉନ୍। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ଏବଂ ବିଭିନ୍ନ ଦିଗ ପ୍ରତି ସଜାଗ ରହିଛନ୍ତି। ଏହିକ୍ରମରେ ଲକ୍ଡାଉନ୍ ପାଇଁ ଲୋକେ ଘରୁ ନବାହାରିବାରୁ ସୋସିଆଲ୍ ମିଡିଆ ଅଧିକ ବ୍ୟବହାର କରୁଛନ୍ତି ବୋଲି ଜଣାପଡ଼ିଛି। ତବେ ଏଥିପାଇଁ ସାଇବର୍ କ୍ରାଇମ୍ ଆଶଙ୍କା ରହିଥିବାରୁ ସରକାର କଡ଼ା ସତର୍କ ନଜର ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ।
ପ୍ରତିଦିନ ଭଳି ଆଜି ସଚିବ ଶ୍ରୀ ଅଗ୍ରୱାଲ୍ କରୋନା ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଦେଶରେ ୧,୮୬,୯୦୬ ନମୁନା ପରୀକ୍ଷା ହୋଇସାରିଛି। ପ୍ରତିଦିନ ୧୫ହଜାରରୁ ଅଧିକ ଟେଷ୍ଟ ହେଉଛି। ସେହିପରି ଏପର୍ଯ୍ୟନ୍ତ ୪.୩ ପ୍ରତିଶତ ସାମ୍ପୁଲ ପଜିଟିଭ୍ ବାହାରିଥିବା ଆଇସିଏମଆର ପକ୍ଷରୁ ରିପୋର୍ଟ ମିଳିଛି। ଏଥିସହ ୨୪ଘଣ୍ଟାରେ ୩୪ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ସଚିବ ପ୍ରକାଶ କରିଛନ୍ତି। ମୋଟ ଭାବେ ୮୩୫୬ ଜଣ ଆକ୍ରାନ୍ତ ହୋଇଥିବାବଳେ ୭୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଖାଲି ସେତିକି ନୁହେଁ ଦେଶରେ ୬୦୧ କୋଭିଡ଼ ହସ୍ପିଟାଲରେ ୧ ଲକ୍ଷ ୫ହଜାର ଶଯ୍ୟା ପ୍ରସ୍ତୁତ ରହିଥିବା ସେ ଜଣାଇଛନ୍ତି।
ଅନ୍ୟପକ୍ଷରେ ତାଲାବନ୍ଦରେ ଜରୁରୀ ସାମଗ୍ରୀର ପରିବହନରେ କୌଣସି କଟକଣା ରହିନାହିଁ ଏବଂ ସୋସିଆଲ୍ ମିଡିଆର ବ୍ୟବହାର ଅଧିକ ହେଉଥିବାବେଳେ ସାଇବର କ୍ରାଇମ ରୋକିବାକୁ ସରକାର କଡ଼ା ନଜର ରଖିଛନ୍ତି ବୋଲି ସଚିବ ଶ୍ରୀ ଅଗ୍ରୱାଲ୍ କହିଛନ୍ତି।