ମାନ୍ଦାବସ୍ଥା: ଏଫ୍ଏମ୍ସିଜି, ରିଅଲ୍ ଇଷ୍ଟେଟ୍ ପ୍ରଭାବିତ

ନୂଆଦିଲ୍ଲୀ(ଓଟି): ସମ୍ପ୍ରତି ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଏହା ବିଭିନ୍ନ କ୍ଷେତ୍ରକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ଏଭଳି ସନ୍ଧିକ୍ଷଣରେ ଏଫଏମସିଜି କ୍ଷେତ୍ର ମଧ୍ୟ ଭଲ ସ୍ଥିତିରେ ନାହିଁ।  ଅଭିବୃଦ୍ଧି ଦ୍ରୁତ ହାରରେ ହ୍ରାସ ପାଇଛି ବୋଲି ମାର୍କେଟ୍ ରିସର୍ଚ୍ଚ ସଂସ୍ଥା ନେଲସେନ୍ ପକ୍ଷରୁ କୁହାଯାଇଛି । ୨୦୧୮ ବର୍ଷରେ ଏହି କ୍ଷେତ୍ରର ଅଭିବୃଦ୍ଧି ୧୩.୫ ପ୍ରତିଶତ ରହିଥିଲା ବେଳେ ୨୦୧୯ରେ ଏହା ୯.୨ ପ୍ରତିଶତକୁ ହ୍ରାସ ପାଇଛି ବୋଲି ଏହି ସଂସ୍ଥା ପ୍ରକାଶ କରିଛି । ମାନ୍ଦାବସ୍ଥାକୁ ନେଇ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଏଫ୍ଏମ୍ସିଜି ଉପôାଦଗୁଡିକର ଚାହିଦା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି । ଅନ୍ଲାଇନ୍ ବ୍ୟବସାୟ ସୂତ୍ରରେ ପୂର୍ବାପେକ୍ଷା ଏହି ସମାଗ୍ରୀଗୁଡିକର ବିପଣନ ବଢିଥିବା ସତ୍ତେ୍ୱ ହାରାହାରି ଅଭିବୃଦ୍ଧି ଗତ ବର୍ଷ ତୁଳନାରେ ହ୍ରାସ ପାଇଥିବା କୁହାଯାଇଛି।

ଅନୁରୂପ ଭାବେ ରିଅଲ ଇଷ୍ଟେଟ କ୍ଷେତ୍ର ଭାରି ମାତ୍ରାରେ ପ୍ରଭାବିତ ହୋଇଥିଲା ବେଳେ ଚଳିତ ଆର୍ଥିକ ବର୍ଷରେ ଏକ୍ଷେତ୍ରର ହାରାହାରି ଅଭିବୃଦ୍ଧି ସଙ୍କୁଚିତ ହୋଇଛି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ(ଅକ୍ଟୋବର-ଡିସେମ୍ବର)ରେ ଦେଶର ୯ଟି ପ୍ରମୁଖ ସହରରେ ମୋଟ ୬୦,୪୫୩ଟି ଗୃହ ବିକ୍ରି ହୋଇଥିବା ବେଳେ ଗତ ବର୍ଷ ତୁଳନାରେ ୯ ପ୍ରତିଶତ ହ୍ରାସ ଘଟିଥିବା କୁହାଯାଇଛି । ମୁମ୍ବାଇ, ଥାନେ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ନଏଡା,ଗୁରୁଗ୍ରାମ ଏବଂ ପୁନେ ଭଳି ସହରଗୁଡିକରେ ରିଅଲ ଇଷ୍ଟେଟ କ୍ଷେତ୍ରର ଚାହିଦା ସର୍ବାଧିକ ରହିଥିଲା ବେଳେ ଏହିସବୁ ସହରଗୁଡିକୁ ନେଇ ଅନୁଧ୍ୟାନ କରାଯାଇଥିଲା । ଅନ୍ୟ କେତେକ ପ୍ରମୁଖ ସହରମାନଙ୍କରେ ଗୃହ ବିକ୍ରି କ୍ଷେତ୍ରରେ ୩୦ ପ୍ରତିଶତ ହ୍ରାସ ଘଟିଛି ବୋଲି କୁହାଯାଇଛି । ମିଳିଥିବା ତଥ୍ୟ ଅନୁସାରେ ଉପରୋକ୍ତ ତ୍ରୈମାସିକରେ ପୁନେ ସହରରେ ଗୃହ ବିକ୍ରି ହାର ୯ ପ୍ରତିଶତ ହ୍ରାସ ପାଇଥିଲା ବେଳେ ଥାନେ ଏବଂ ହାଇଦ୍ରାବାଦରେ ବିକ୍ରି ହାର ୧୬ ପ୍ରତିଶତ ହ୍ରାସ ପାଇଛି । ସେହପରି ମୁମ୍ବାଇରେ ୧୨ ପ୍ରତିଶତ , ଗୁରୁଗ୍ରାମରେ ୧୯ ପ୍ରତିଶତ ଏବଂ ଚେନ୍ନାଇରେ ଗୃହ ବିକ୍ରିରେ ୧୪ ପ୍ରତିଶତ ହ୍ରାସ ଘଟିଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *