ଧର୍ମେନ୍ଦ୍ରଙ୍କ ପାରିବାପଣିଆ : ପ୍ରଶିକ୍ଷଣ ପାଇଁ ଦୁଇ ବର୍ଷରେ ମାତ୍ର ୫୪ଜଣଙ୍କ ଜାପାନ ଗସ୍ତ
ଭୁବନେଶ୍ୱର,(ଓଟି): ଗତ ୨୦୧୭ରେ କୌଶଳ ବିକାଶ ମନ୍ତ୍ରାଳୟ ଭାରତ-ଜାପାନ ଟେକ୍ନିକାଲ ଇଣ୍ଟର୍ଣ୍ଣ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେତେବେଳେ ଏହି ବିଭାଗର ମନ୍ତ୍ରୀ ଥିବା ତଥା ବର୍ତ୍ତମାନର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ କହିଥିଲେ, ଆଗାମୀ ୫ବର୍ଷ ମଧ୍ୟରେ ୩ଲକ୍ଷ ଭାରତୀୟ ଯୁବକଙ୍କୁ ଜାପାନରେ ପ୍ରଶିକ୍ଷଣ ଦିଆଯିବ। ଏହି ୩ଲକ୍ଷ ଯୁବକମାନଙ୍କ ମଧ୍ୟରୁ ୫୦ହଜାର ଯୁବକଙ୍କୁ ଜାପାନରେ ନିଯୁକ୍ତି ମିଳିବ।
ବଡ଼ ଦୁଃଖର କଥା ଇତି ମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ହେଁ ଭାରତ-ଜାପାନ ଟେକ୍ନିକାଲ ଇଣ୍ଟର୍ଣ୍ଣ ଟ୍ରେନିଂ କାର୍ଯ୍ୟକ୍ରମରେ ଅଦ୍ୟାବଧି ମାତ୍ର ୫୪ଜଣ ଯୁବକଙ୍କୁ ପ୍ରଶିକ୍ଷଣ ପାଇଁ ଜାପାନ ପଠାଯାଇଥିବା ଜଣାପଡ଼ିଛି। ଚଳିତ ମାସ ଶେଷ ସୁଦ୍ଧା ଏହି ସଂଖ୍ୟ ୫୯ରେ ପହଞ୍ଚିବ ବୋଲି ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଦାୟିତ୍ୱରେ ଥିବା ସଂସ୍ଥା ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ କର୍ପୋରେସନ (ଏନଏସଡିସି)ଠାରୁ ଜଣାପଡ଼ିଛି। ଚଳିତ ବର୍ଷ ନିର୍ବାଚନ ପୂର୍ବରୁ ଗତ ଦୁଇ ବର୍ଷ ଧରି ସ୍କିଲ ଇଣ୍ଡିଆ ନାମରେ ଏହି କାର୍ଯ୍ୟକ୍ରମକୁ ଜୋରଦାର ପ୍ରଚାର କରାଯାଇଛି। ଏଥିରେ ଦେଶର ବେକାର ଯୁବକମାନଙ୍କୁ ଜାପାନରେ ଚାକିରି ମିଳିବାର ସ୍ୱପ୍ନ ବି ସରକାର ଦେଖାଇଛନ୍ତି। ବର୍ତ୍ତମାନ ଦେଶରେ ୨୫ରୁ କମ ବୟସ୍କ ଲାକ ୫୪ପ୍ରତିଶତ ରହିଛନ୍ତି।
କେବେ-କେବେ ଜାପାନ ପଠାଯାଇଛି
ଏହି ଯୋଜନାରେ ୧୭ଜଣ ଯୁବକଙ୍କୁ ପ୍ରଥମେ ୨୦୧୮ ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଜାପାନ ପଠାଯାଇଥିଲା। ଏହି ଗ୍ରୁପରେ ୨୩ରୁ ୨୭ ବର୍ଷ ବୟସ୍କ ଯୁବକ ସାମିଲ ଥିଲେ । ଏହି ୧୭ଜଣଙ୍କ ମଧ୍ୟରୁ ୧୨ଜଣ ତାମିଲନାଡ଼ୁର ଗରିବ ପରିବାରରୁ ଥିବାରୁ ସେମାନଙ୍କୁ ପ୍ରତି ମାସରେ ୬୫ ହଜାର ଟଙ୍କାର ଆଥିର୍କ ସହାୟତା ଦିଆଯାଇଥିଲା।
ଏହା ପରେ ୨୦୧୯ ଜାନୁଆରୀରେ ପୁଣି ୧୭ଜଣ ଯୁବକଙ୍କୁ ପ୍ରଶିକ୍ଷଣ ପାଇଁ ଜାପାନ ପଠାଯାଇଥିଲା । ଏଥିରେ ୫ଜଣ ଯୁବକଙ୍କୁ ହେଲ୍ଥ କେୟାର ଇଣ୍ଡଷ୍ଟ୍ରିକୁ ପଠାଯାଇଥିଲା। କାରଣ ଜାପାନରେ ବୟସ୍କଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସେମାନଙ୍କର ସେବା କରିବା ପାଇଁ ହେଲ୍ଥ କେୟାର ଇଣ୍ଟଷ୍ଟ୍ରି ବହୁ ପରିମାଣରେ ବୃଦ୍ଧି ପାଇଛି। ଅପର ପକ୍ଷରେ ୨୦୧୬ରେ ଜାପାନ ସରକାର ୨ଲକ୍ଷ ୧୧ହଜାର ୧୦୮ଜଣ ଯୁବକଙ୍କୁ ବିଦେଶରେ ପ୍ରଶିକ୍ଷଣ ପାଇଁ ପଠାଇଛି।