‘ଇଟାଲୀରେ କେବଳ ଆମ୍ବୁଲାନ୍ସର ସାଇରନ୍‌ ଶୁଭୁଛି’

ନୂଆଦିଲ୍ଲୀ(ଓଟି): କୋବିଡ୍‌-୧୯ ତଥା କରୋନା ଭାଇରସ୍‌ ପାଇଁ ବିଶ୍ଵ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାରିଆଡ଼େ ବିପଦର ସଂକେତ। ସବୁଠି ଜୀବନକୁ ନେଇ ସଂଘର୍ଷ ଚାଲିଛି। ଏଭଳି ଅବସ୍ଥାରେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଇଟାଲୀ। ଚୀନ୍‌ରୁ ଭାଇରସ୍‌ ସୃଷ୍ଟି ହୋଇଥିବାବେଳେ ଇଟାଲୀର ସ୍ଥିତି ତାଠାରୁ ସାଂଘାତିକ ହୋଇଯାଇଛି। ଏଭଳି ଆତଙ୍କ ବେଳାରେ ସେଠାରେ ଫସିଛନ୍ତି ଭାରତୀୟ ଗାୟିକା ଶ୍ଵେତା ପଣ୍ଡିତ। ଇଟାଲିଆନ ପ୍ରଡ୍ୟୁସର ଇଭାନୋ ଫୁସୀଙ୍କୁ ବିବାହ କରିଥିବା ଶ୍ଵେତା କେବଳ ଆମ୍ବୁଲାନ୍ସର ସାଇରନ୍‌ ଶୁଣିବାକୁ ମିଳୁଛି ଓ ଗତ ଏକ ସପ୍ତାହ ଧରି ଏକ ରୁମ୍‌ ମଧ୍ୟରୁ ବାହାରିନଥିବା ସୂଚନା ଦେଇଛନ୍ତି।

ଶ୍ଵେତାଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ପ୍ରଚାର ହୋଇଛି। ସେଠାରେ ସେ ଖୁବ୍‌ ଅସୁବିଧାର ସମ୍ମୁଖୀନ ହେଉଥିବା ସେଥିରେ ବଖାଣିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍ ହୋଇଥିବା ଉକ୍ତ ଭିଡିଓରେ ଶ୍ଵେତା କହିଛନ୍ତି ଯେ କରୋନା ଯୋଗୁ ସବୁଠାରୁ ଅଧିକ ଜୀବନ ନେଇଥିବା ଦେଶ ଇଟାଲୀରେ ମୁଁ ରହିଛି। ୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ସପ୍ତାହେ ହେଲା ରୁମରୁ ବାହାରିନାହିଁ। ହୋଲି ଦିନ ମୁଁ ଭାରତକୁ ଫେରିବାକୁ ଚାହୁଁଥିଲି। ବାପମା’ ଭାଇ ଭଉଣୀଙ୍କ କଥା ମାନେପଡୁଛି। ତେବେ ଯାଇପାରୁନି। ମୋ ବିଷୟରେ ଜାଣିବା ପାଇଁ ଭାରତରୁ ଫୋନ୍‌ କଲ୍‌ ଆସୁଛି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ତେବେ ମୁଁ ମୋ ସ୍ଵାମୀଙ୍କ ସହିତ ଭଲରେ ଅଛି ବୋଲି ଶ୍ଵେତା କହିବା ସହ କେହି ବାହାରକୁ ବାହାରନ୍ତୁ ନାହିଁ। ଘରେ ହିଁ ରୁହନ୍ତୁ ବୋଲି ସେ ଅନୁରୋଧ ଜଣାଇଛନ୍ତି।

Leave a Reply

Your email address will not be published.