ଆରପାରିରେ ‘ମିଛ ମାୟା ଭରା ଏ ସାରା ଦୁନିଆଁ’ର କଣ୍ଠଶିଳ୍ପୀ ଅର୍ଜୁନ ସାମଲ
ଓଡ଼ିଶାର ପ୍ରସିଦ୍ଧ ଗାୟକ ଗୁରୁ ଅର୍ଜୁନ ଚରଣ ସାମଲ ଆଉ ଏ ଦୁନିଆରେ ନାହାନ୍ତି। ଗତକାଲି ରାତି ସାଢ଼େ ୮ଟା ବେଳେ ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଓ ଗାୟକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଗୁରୁ ଶ୍ରୀ ସାମଲ ଓଡ଼ିଆ ସିନେମାରେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ତାଙ୍କର ସବୁଠାରୁ ଲୋକପ୍ରିୟ ଗୀତଟି ହେଲା ‘ସୁନା ସଂସାର’ ଚଳଚ୍ଚିତ୍ରର ‘ମିଛମାୟା ଭରା ଏ ସାରା ଦୁନିଆ, କେହି ନୁହେଁ ଆପଣାର’ ଶୁଣିଲେ ଆଖି ଛଳଛଳ ହୋଇଯାଏ। ସେହିପରି ‘କଲିକତି ଖେଳନା…’, କିସ ମୁଁ ଲେଖିବି ଗୋଲାପ କଢ଼ି…, ମୁଁ ଯେ କଳିଙ୍ଗର ସେଇ ଶିଳ୍ପୀ…, ନିଦର ଦୋଳିରେ ଝୁଲୁଛି ସହର…, କାଳିଆ ଧନ ତୋ ଲାଗି ଯାଉ ଏ ଜୀବନ…. ଏବଂ ଆହୁରି ଶହ ଶହ ଗୀତ ଗାଇ ଶ୍ରୀ ସାମଲ ଓଡ଼ିଆ ଶ୍ରୋତାଙ୍କ ପାଖରେ ଲୋକପ୍ରିୟ ହୋଇପାରିଥିଲେ।