ସ୍ବାଧୀନ ପ୍ରାର୍ଥୀ ହେବେ ସୀମନ୍ତିନୀ!
ଯାଜପୁର ଜିଲ୍ଲା ବଡଚଣାରେ ବିଜେପିର ନୂଆ ଓ ପୁରୁଣା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଗତ ୨୦୧୪ରେ ବଡଚଣାରେ ବିଜେପି ପ୍ରାର୍ଥିନୀ ହୋଇଥିବା ବିଜେପି ରାଜ୍ୟ ସମ୍ପାଦିକା ସୀମନ୍ତିନୀ ଜେନା ଏଥର ଟିକେଟ୍ ପାଇନଥିବା ବେଳେ ନୂତନ ଭାବେ ଦଳରେ ସାମିଲ ହୋଇଥିବା ଅମର ନାୟକ ବିଜେପିର ଦଳୀୟ ପ୍ରାର୍ଥୀ ବୋଲି ଘୋଷିତ ହୋଇଛନ୍ତି। ଯାହାଫଳରେ ସୀମନ୍ତିନୀଙ୍କ ସମର୍ଥକମାନେ ଘନ ଘନ ବୈଠକ କରି ନିର୍ବାଚନ ପାଇଁ ରଣନୀତି ଆପଣାଇବାକୁ ଆରମ୍ଭ କରିଛନ୍ତି। ଏହି ଗୋଷ୍ଠୀ ଏକତ୍ରିତ ହୋଇ ପ୍ରାର୍ଥୀ ପରିବର୍ତ୍ତନ କରି ଅମରଙ୍କ ସ୍ଥାନରେ ସୀମନ୍ତିନୀଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରାଯାଇଛି। ନଚେତ୍ ଆଗାମୀ ଦିନରେ ତାଙ୍କର ନେତ୍ରୀ ସୀମନ୍ତିନୀ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଚରମ ଚେତାବନୀ ଦେଇଛନ୍ତି।

ଆଜି ବନ୍ତଳା ପଞ୍ଚାୟତ ବ୍ରାହ୍ମଣୀଦେବୀ ପୀଠ ପରିସରରେ ଦଳର ବରିଷ୍ଠ ନେତା ନାରାୟଣ ଚନ୍ଦ୍ର ସାମଲଙ୍କ ସଭାପତିତ୍ବରେ ପୁରୁଖା କ୍ୟାଡର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଶତାଧିକ କାର୍ଯ୍ୟକର୍ତ୍ତା ବଡ଼ଚଣା ବିଧାନସଭା ଆସନରେ ଅମର ନାୟକଙ୍କୁ ପ୍ରାର୍ଥୀ କରାଯିବାରୁ ତୀବ୍ର ବିରୋଧ କରିଥିଲେ। ସୀମନ୍ତିନୀଙ୍କୁ ପ୍ରାର୍ଥୀ କରିବାକୁ ରାଜ୍ୟ ନେତୃବୃନ୍ଦ ପୁନଃବିଚାର କରିବାକୁ ସେମାନେ ଦାବି କରିଥିଲେ। ଏହା ନହେଲେ ସୀମନ୍ତିନୀ ଜେନା ସ୍ବାଧୀନ ପ୍ରାର୍ଥୀ ହୁଅନ୍ତୁ ବୋଲି ତାଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକର୍ତ୍ତାଙ୍କ ଭାବନାକୁ ସମ୍ମାନ ଦେଇ ସୀମନ୍ତିନୀ ଏ ସଂପର୍କରେ ଚିନ୍ତା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି।