ବଡ଼ ପରଦାକୁ ଫେରିବେ ଶିଳ୍ପା ସେଟ୍ଟି
ଦୀର୍ଘ ୧୨ ବର୍ଷ ହେଲା ବଡ଼ ପରଦାରୁ ଦୂରେଇ ଯାଇଥିଲେ ମଧ୍ୟ ଟେଲି ଦୁନିଆ ଓ ସୋସିଆଲ୍ ମିଡିଆରେ ଅନନ୍ୟା ସୁନ୍ଦରୀ ଶିଳ୍ପା ସେଟ୍ଟି ତାଙ୍କର ଜଲୱା ଦେଖାଇ ଅଗଣିତ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ତେବେ ଖବର ଆସିଛି ଯେ ୧୨ ବର୍ଷର ଦୀର୍ଘ ବ୍ୟବଧାନ ପରେ ଶିଳ୍ପା ପୁଣିଥରେ ବଡ଼ ପରଦାକୁ ଫେରିବେ । ସିଙ୍ଗର୍ ଦିଲଜିତ୍ ଦୋସାଞ୍ଜ୍ ଓ ୟାମୀ ଗୌତମ ଷ୍ଟାରର୍ ଅପକମିଙ୍ଗ ଫିଲ୍ମରେ ଶିଳ୍ପାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମରେ ଶିଳ୍ପା ଜଣେ ରାଇଟର୍ ଭୂମିକାରେ ପରଦା ଉପରକୁ ଆସିବେ ।
ଅଜିଜ୍ ମିର୍ଜାଙ୍କ ବଡ଼ ପୁଅ ହାରୁନ୍ ମିର୍ଜା ଏହି ଫିଲ୍ମ ମାଧ୍ୟମରେ ଡାରେକ୍ସନ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ‘ରାଜୁ ବନଗେୟା ଜେଣ୍ଟଲମ୍ୟାନ୍’, ‘ୟେସ୍ ବସ୍’ ଓ ‘ପହେଲି’ ଭଳି ସୁପରହିଟ୍ ଫିଲ୍ମରେ ହାରୁନ୍ ଆସିଷ୍ଟାଣ୍ଟ୍ ଡାରେକ୍ଟର୍ ଭାବେ କାମ କରିଥିଲେ । ଫିଲ୍ମର ପ୍ରଯୋଜକ ଭାବେ ଅଛନ୍ତି ରମେଶ ତୌରାନି । ନିରଜ ବୋରାଙ୍କ ଲିଖିତ ଏହି ଫିଲ୍ମର କାହାଣୀ ଏକ ଯୋଡ଼ି ଉପରେ ଆଧାରିତ । ଫିଲ୍ମର ସୁଟିଂ ଆସନ୍ତା ଅଗଷ୍ଟ ମାସରୁ ଆରମ୍ଭ ହେବ ।