‘ଧଡ଼କନ୍’ ସମ୍ପର୍କିତ କିଛି ରହସ୍ୟ ଉପରୁ ପର୍ଦ୍ଦା ଉଠାଇଲେ ଶିଳ୍ପା, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଶିଳ୍ପା ସେଟ୍ଟି, ସୁନିଲ୍ ସେଟ୍ଟି ଓ ଅକ୍ଷୟ କୁମାରଙ୍କ ଅଭିନୀତ ଲଭ୍ ଟ୍ରାଙ୍ଗଲ୍ ‘ଧଡ଼କନ୍’ ୨୦୦୦ ମସିହାରେ ମୁକ୍ତିଲାଭ କରିଥିଲା । ଏହାର ନିଆରା କାହାଣୀ ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିଥିଲା ଏବଂ ଏହାର ଗୀତ ଆଜିପର୍ଯ୍ୟନ୍ତ ସିନେପ୍ରେମୀ ଗୁଣୁଗୁଣାଉଛନ୍ତି । ତେବେ କଥା ହେଉଛି ଫିଲ୍ମଟିକୁ ଯେଉଁଭଳି ଭାବେ ଦର୍ଶକଙ୍କ ସାମନାରେ ପ୍ରଦର୍ଶିତ କରାଯାଇଥିଲା, ବାସ୍ତବରେ କାହାଣୀ ସେଭଳି ନଥିଲା । ଫିଲ୍ମର କ୍ଲାଇମାକ୍ସ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଡ୍ୟାନ୍ସ ଶୋ’ ‘ସୁପର୍ ଡ୍ୟାନ୍ସର୍ ଚାପ୍ଟର୍ ୩’ରେ ଜଜ୍ ଥିବା ଶିଳ୍ପା ଏ ସମ୍ପର୍କିତ ଏମିତି କିଛି ରହସ୍ୟ ଉପରୁ ପର୍ଦ୍ଦା ଉଠାଇଛନ୍ତି । ଶିଳ୍ପା କହିଛନ୍ତି ଯେ ‘ଧଡ଼କନ୍’ର ସୁଟିଂ ସମ୍ପୂର୍ଣ୍ଣ ହେବା ପାଇଁ ୫ ବର୍ଷ ସମୟ ଲାଗିଥିଲା । ତେଣୁ ସେହି ସମୟରେ ଏହି ଫିଲ୍ମ ରିଲିଜ୍ ନ ହୋଇପାରେ ବୋଲି ଶିଲ୍ପା ଭାବି ନେଇଥିଲେ ।
ସୁଟିଂକୁ ଏତେବର୍ଷ ଲାଗିବାର ମୁଖ୍ୟ କାରଣ ଥିଲେ ସୁନିଲ୍ ସେଟ୍ଟି । ସେହି ସମୟରେ ସୁନିଲ୍ ଜଣେ ବ୍ୟସ୍ତ ଅଭିନେତା ଭାବେ ଅନ୍ୟ ଏକ ଫିଲ୍ମର ସୁଟିଂ କରିବା କାରଣରୁ ଏହି ଫିଲ୍ମ ପାଇଁ ତାଙ୍କ ପାଖରେ ଆଦୌ ସମୟ ନଥିଲା । ତେଣୁ ଫିଲ୍ମନିର୍ମାତା ସୁନିଲଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିନେତାଙ୍କୁ ସାଇନ୍ କରିଥିଲେ । ନୂଆ ଅଭିନେତାଙ୍କ ସହିତ ବେଶ୍ କିଛିଦିନ ସୁଟିଂ ହୋଇଥିଲା । କିନ୍ତୁ ପରେ ଫିଲ୍ମନିର୍ମାତାଙ୍କ ମନରେ ସେହି ନୂଆ ଅଭିନେତାଙ୍କୁ ନେଇ କିଛି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଫିଲ୍ମ ନିର୍ମାତା ଯେଉଁଭଳି ଫିଲିଙ୍ଗ୍ ‘ଦେବ୍’ ଚରିତ୍ର ପାଇଁ ଚାହୁଁଥିଲେ ତାହା ପୁରଣ ହୋଇପାରୁନଥିଲା । ତେଣୁ ସୁଟିଂ ବନ୍ଦ କରି ପୁଣିଥରେ ସୁନିଲଙ୍କୁ ଆପ୍ରୋଚ୍ କରାଯାଇଥିଲା । ଏହାର କିଛିଦିନ ପରେ ଫିଲ୍ମର ସୁଟିଂ ସଫଳତାର ସହ ଶେଷ ହୋଇଥିଲା ।
ଶିଳ୍ପା ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମର କ୍ଲାଇମାକ୍ସ ଭିନ୍ନ ଥିଲା । ଅସଲ କ୍ଲାଇମାକ୍ସ ଅନୁଯାୟୀ ଅଞ୍ଜଳି ଦେବଙ୍କୁ କହିବାର ଥିଲା ଯେ ସେ ମା’ ହେବାକୁ ଯାଉଛନ୍ତି । ଏହି ଖବର ଶୁଣି ଦେବଙ୍କ ଅଚାନକ ମୃତ୍ୟୁ ହୋଇଯାଉଛି । କିନ୍ତୁ ହ୍ୟାପି ଏଣ୍ଡିଙ୍ଗ୍ କାରଣରୁ ଏହାର କ୍ଲାଇମାକ୍ସରେ ପରିବର୍ତ୍ତନ କରାଯାଇଥିଲା । ଶିଳ୍ପାଙ୍କ ମୁହଁରୁ ଏମିତି କିଛି ସିକ୍ରେଟ୍ ଶୁଣିବା ପରେ ପ୍ରଶଂସକ ଓ ସିନେପ୍ରେମୀଙ୍କୁ ଏହା ଆଶ୍ଚର୍ଯ୍ୟଚକିତ କରିଛି ।