ମେ’ ୧୧ରୁ ସିଆଲଦା-ପୁରୀ ସ୍ୱତନ୍ତ୍ର ଏସି ଟ୍ରେନ
ଗ୍ରୀଷ୍ମଋତୁରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ରେଳବାଇ ପକ୍ଷରୁ ସିଆଲଦା ଓ ପୁରୀ ମଧ୍ୟରେ ଏକ ସ୍ଵତନ୍ତ୍ର ଗ୍ରୀଷ୍ମକାଳୀନ ଶୀତାତାପ ନିୟନ୍ତ୍ରିତ ଟ୍ରେନ ଚଳାଚଳ ପାଇଁ ସ୍ଥିର କରାଯାଇଅଛି। ମେ’ ୧୧ ତାରିଖରୁ ଏହି ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଜୁନ୍ ୨୩ ତାରିଖଯାଏ ଏହି ସ୍ଵତନ୍ତ୍ର ଟ୍ରେନ୍ର ସେବା ଜାରି ରହିବ ବୋଲି ରେଳବାଇ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଯୋଗେ କୁହାଯାଇଛି।
ନିର୍ଦ୍ଧାରିତ ତାରିଖ ମଧ୍ୟରେ ଏହି ଟ୍ରେନ୍ ପ୍ରତି ଶନିବାର ରାତି ୧୧ଟା ୫୦ ମିନିଟ୍ ସମୟରେ ସିଆଲ୍ଦା ଷ୍ଟେସନ୍ ଛାଡ଼ିବ। ସେହିପରି ପୁରୀରୁ ଏହି ଟ୍ରେନ୍ର ପ୍ରଥମ ଚଳାଚଳ ମେ‘ ୧୨ ତାରିଖରେ ଆରମ୍ଭ ହେବ। ପ୍ରତି ରବିବାର ଅପରାହ୍ଣ ୨ଟା ଏହି ଟ୍ରେନ୍ ପୁରୀ ଛାଡ଼ିବାକୁ ସ୍ଥିର ହୋଇଛି। ଟ୍ରେନ୍ର ନମ୍ବର ଯଥାକ୍ରମେ ୦୩୧୦୧ ଏବଂ ୦୩୧୦୨ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।
ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଏବଂ ଏହା ମଧ୍ୟଦେଇ ୧୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ବର୍ତମାନ ଚଳାଚଳ କରୁଛି ଯାହାକି ଗ୍ରୀଷ୍ମ ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଯାତ୍ରୀଭିଡ଼କୁ ପ୍ରସମିତ କରାଯାଇପାରିବ I
ଏହି ଗ୍ରୀଷ୍ମକାଳୀନ ସୀତାତାପନିୟନ୍ତ୍ରିତ ସ୍ୱତନ୍ତ୍ର ଟ୍ରେନରେ ଗୋଟିଏ ଏସି ପ୍ରଥମ ଶ୍ରେଣୀ, ଚାରିଟି ଏସି ଦ୍ଵିତୀୟ ଶ୍ରେଣୀ, ୧୨ଟି ଏସି-ତୃତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ୍ରୁ ଉପଲବ୍ଧ ଥିବାବେଳେ ଏହା ସିଆଲଦା ଓ ପୁରୀ ମଧ୍ୟରେ ଆନ୍ଦୁଲ, ଖଡ଼ଗ୍ପୁର, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବ I
ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରତିଦିନ ଯାତ୍ରୀ ପରିବହନ ପ୍ରଣାଳୀକୁ ତର୍ଜମା କରାଯାଇ ଉପଲବ୍ଧିକୁ ଦୃଷ୍ଟିରେ ରଖାଯାଇ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବାର ନିଷ୍ପତ୍ତି ନିଆଯାଉଥିବାବେଳେ ଗୁରୁତ୍ୱପୂର୍ଣ ଟ୍ରେନ ମାନଙ୍କରେ ଅତିରିକ୍ତ କୋଚ ସଂଯୋଗ ପାଇଁ ପଦକ୍ଷେପ ନିଆଯାଉଅଛି ଯାହାଫଳରେ ଅଧିକ ବର୍ଥ ସୃଷ୍ଟି କରାଯାଇପାରିବ I