#ସଟ୍‌ଡାଉନ୍‌ ସତର୍କ: ସୁଧୁରୁ ନାହାନ୍ତି ଅମାନିଆ

ଭୁବନେଶ୍ୱର (ଓଟି): ଦେଶରେ ଜାରି ରହିଛି ୨୧ ଦିନିଆ #ଲକ୍‌ଡାଉନ୍‌। ସେଭିତରେ କରୋନାର ପ୍ରକୋପ ଦୃଷ୍ଟିରୁ ବର୍ତ୍ତିବା ପାଇଁ ରାଜଧନୀ ସମେତ କଟକ, ଭଦ୍ରକ, ଯାଜପୁର ଓ ପିପିଲିର କିଛି ଅଞ୍ଚଳ ଇତିମଧ୍ୟରେ ସମୂର୍ଣ୍ଣ #ସଟ୍‌ଡାଉନ୍‌ ଭିତରେ ରହିଛି। ଖାଲି ସେତିକି ନୁହେଁ, ରାଜଧାନୀର #ସୂର୍ଯ୍ୟନଗର ଓ #ବମିଖାଲ ଅଞ୍ଚଳକୁ ବିଏମ୍‌ସି ପକ୍ଷରୁ ସିଲ୍‌ ମଧ୍ୟ କରାଯାଇଛି। ଏନେଇ ରବିବାର ରାତି ୮ଟାରୁ ନିୟମ କଡ଼ାକଡ଼ି କରାଯାଇଥିବାବେଳେ ଜନସାଧାରଣଙ୍କୁ ସରକାରଙ୍କ ପକ୍ଷରୁ ପୂର୍ବରୁ ଯଥେଷ୍ଟ ସତର୍କ କରିଦିଆଯାଇଥିଲା। କିନ୍ତୁ ସବୁପରେ ମଧ୍ୟ କେତେକ ଅମାନିଆ ଆଦୌ ସୁଧୁରୁ ନାହାନ୍ତି। କୌଣସି କାମଧନ୍ଦା ନଥାଇ କଡ଼ାକଟକଣା ମଧ୍ୟରେ ବାହାରେ ବୁଲୁଥିବା ଧରାପଡ଼ିଛି। ଏଭଳି ଅଭିଯୋଗରେ ପୁଲିସ ଅନେକଙ୍କୁ ଉଠାଇ ନେଇଛି।

ସୂଚନା ଅନୁସାରେ ଭୁବନେଶ୍ୱରରେ ୧୮୦ରୁ ଅଧିକ ଲୋକଙ୍କୁ ପୁଲିସ ଉଠାଇ ନେଇଥିବାବେଳେ ୪୫ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଅନ୍ୟମାନଙ୍କୁ ଅଟକ ରଖାଯାଇଛି। ସେହିପରି ଭଦ୍ରକ ଟାଉନ ପୁଲିସ ମଧ୍ୟ ୯ଜଣଙ୍କୁ ଗିରଫ କରିଥିବାବେଳେ ୧୫ରୁ ଅଧିକଙ୍କୁ ଅଟକ ରଖିଛି। ଅନ୍ୟପକ୍ଷରେ ରାଜଧାନୀର ମୁଖ୍ୟ ରାସ୍ତା ସହ, ସମସ୍ତ ଗଳି ରାସ୍ତା ଓ ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି। ଚାରିଆଡ଼େ ଶୂନଶାନ- ଖାଁ ଖାଁ ପରିବେଶ। କୋକୁଆ ଭୟ ଭଳି ପରିବେଶ। ତେଣୁ ଘରୁ ବାହାରିଲେ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଇ ଦିଆଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। ଶୁକ୍ରବାର ରାତିରୁ ସଟଡାଉନ ଲାଗୁ ହୋଇଥିବା ଅଞ୍ଚଳରେ ପୁଲିସ ପଇଁନ୍ତରା ମାରୁଛି ଏବଂ ରାସ୍ତାଘାଟକୁ ସିଲ କରିବା ସହ ଫୋର୍ସ ମୁତୟନ ହୋଇଛନ୍ତି। ଏପରିକି କଟକରେ ସାରା ରାତି ପୁଲିସ ଫ୍ଲାଗମାର୍ଚ୍ଚ କରିବା ସହ ବିନା କାରଣରେ ଘରୁ ବାହାରୁଥିବା ଲୋକଙ୍କୁ ଲାଠିମାଡ଼ କରିଛି। ଡିସିପି ଅଖିଳେଶ ସିଂଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ସମ୍ପୂର୍ଣ୍ଣ ସଜାଗ ରହିଥିବା ଜଣାପଡ଼ିଛି। ସେହିପରି ଭୁବନେଶ୍ୱରରେ ମଧ୍ୟ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଡିସିପି ଅନୁପ ସାହୁ, ଡିସିପି ଟ୍ରାଫିକ ସାଗରିକା ନାଥଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ସହରରେ ପଇଁନ୍ତରା ମାରିଥିଲେ। ବିନା କାରଣରେ ଘରୁ ବାହାରୁଥିବା ଲୋକଙ୍କୁ ତାଗିଦ କରାଯିବା ସହ ଲାଠିମାଡ଼ କରାଯାଇଥିବା ସୂଚନା ମିଳିଛି।

ପ୍ରକାଶ ଥାଉକି ପୂର୍ବ ଘୋଷଣା ଅନୁସାରେ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଅବଧି ଜାରି ରହିବ।

Leave a Reply

Your email address will not be published. Required fields are marked *