ବେଢ଼ା ଭିତରେ ପଡ଼ୁଛି ଚୌକି : ଶ୍ରୀମନ୍ଦିରରେ ପ୍ରଶାସନ ଭାଙ୍ଗୁଛି ପରମ୍ପରା

ଭାବ ଓ ଆବେଗର ସ୍ଥଳୀ ଶ୍ରୀମନ୍ଦିରରେ ତଳେ ବସିବାକୁ ପରମ୍ପରା ଓ ବିଧି ରହିଛି। ହେଲେ ତାକୁ ଭାଙ୍ଗି ଚେୟାର ଟେବୁଲ୍‌ ପକାଇ କିଛି ବର୍ଷ ହେଲା କର୍ମଚାରୀ ଓ ବେପାରୀ ବସୁଥିବା ଦେଖିବାକୁ ମିଳୁଛି। ଏହାଦ୍ବାରା ସେମାନେ ଶ୍ରୀମନ୍ଦିର ପରମ୍ପରାକୁ ଭାଙ୍ଗିବା ସହ ଧାର୍ମିକ ବିଶ୍ବାସ ଓ ଭାବନାକୁ ବି ଛାରଖାର କରୁଛନ୍ତି। ଖୋଦ୍‌ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏଭଳି କାର୍ଯ୍ୟ କରୁଛି। ଏଭଳି କାର୍ଯ୍ୟ ଦ୍ବାରା ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କୁ ବି ଅସମ୍ମାନ କରାଯାଉଛି।

 ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ କାହାକୁ ଆସନ ପକାଇ ବସିବାକୁ ଦିଆଯାଏନାହିଁ। କେବଳ ଠାକୁର ହିଁ ଆସ୍ଥାନ ପକାଇ ବିଜେ କରିପାରିବେ। ଅନ୍ୟ ସମସ୍ତେ ତଳେ ବସିବେ। ଏପରିକି ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ଗଜପତି ମହାରାଜା ମଧ୍ୟ ଆସନରେ ବସନ୍ତି ନାହିଁ। ବଡ଼ ଦେଉଳରେ ବସିଲେ ସେ ବି ବସନ୍ତି ତଳେ। ସେବକ, ଗୁମାସ୍ତା, ନାୟକ ଓ ମହାନାୟକ ମାନେ ମଧ୍ୟ ତଳେ ବସିବାର ବିଧି ରହିଛି। ଏଥିପାଇଁ ଶ୍ରୀମନ୍ଦିର ଗାରଦରେ ଆଜି ମଧ୍ୟ ତଳେ ବସି କାମ କରୁଛନ୍ତି କର୍ମଚାରୀ।

ତେବେ ଏହି ବିଧି କେବଳ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷେତ୍ରରେ ବ୍ୟତିକ୍ରମ ହୁଏ। ଶଙ୍କରାଚାର୍ଯ୍ୟ ପାତାଳୀ ହୋଇଥିବା ଶ୍ରୀବିଗ୍ରହଙ୍କୁ ଆଣି ପ୍ରତିଷ୍ଠା କରିଥିବାରୁ ତାଙ୍କୁ କେବଳ ବଡ଼ ଦେଉଳରେ ଆସନ ପକାଇ ବସିବାକୁ ଦିଆଯାଇଛି ଅଧିକାର। ସେ ଆସନରେ ବସିବେ ହେଲେ ଚୌକିରେ ବସନ୍ତି ନାହିଁ। ଏହି ପରମ୍ପରା କାହିଁ କେତେ ଦିନରୁ ଚାଲି ଆସିଛି। ମାତ୍ର ଏବେ ବିଭିନ୍ନ ସ୍ଥାନରେ ଏବେ ମାଳ ମାଳ ଚୌକି। ସେଥିରେ ଅଫିସର ଓ ବାବୁଙ୍କ ଭଳି ବସୁଛନ୍ତି କର୍ମଚାରୀ। ଶ୍ରୀମନ୍ଦିର ଗାରଦରେ ପଡ଼ିଛି ଚେୟାର ‌ଟେବୁଲ। ସେହିପରି ବଡ଼ଦେଉଳ ଭିତରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବି ମାଳ ମାଳ ଚେୟାର୍‌।

ସିସିଟିଭି ସର୍ଭେଲାନ୍ସ ଅଫିସ୍‌ରେ ବି କର୍ମଚାରୀ ଚେୟାର ପକାଇ ବସୁଛନ୍ତି। ଦୀପ ଦୋକାନରେ ବି ଚୌକି, ଟୁଲ ପକାଇ ବସିଛନ୍ତି। ଅବଢ଼ା ବେପାରୀ ବି ବସିଛନ୍ତି ଟୁଲ୍‌ରେ। ପାରମ୍ପରିକ ବିଧି ବିଧାନ ଭାଙ୍ଗିବାକୁ ନେଇ ବଢ଼ୁଛି ଅସନ୍ତୋଷ। ସେବାୟତ ରାମ ପୁଷ୍ପାଳକ କୁହନ୍ତି, ଏବେ ଶ୍ରୀମନ୍ଦିରକୁ ବେପାର କେନ୍ଦ୍ର ବୋଲି ଧରାଯାଉଛି। ଏଠି ଭକ୍ତି, ଭାବ ଓ ଆବେଗର କିଛି ପ୍ରଶ୍ନ ବି ରହୁନାହିଁ।

ଯେଉଁଠି ଗଜପତି ତଳେ ବସନ୍ତି, ସେଠାରେ କର୍ମଚାରୀମାନେ ଚେୟାର ପକାଇ ବାବୁଙ୍କ ଭଳି ବସୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ। ଗବେଷକ ଡ. ନରେଶ ଦାସ କୁହନ୍ତି, ଏପରି ଅଣପାମ୍ପରିକ କାର୍ଯ୍ୟକୁ ଗ୍ରହଣ କରାଯିବା କଥା ନୁହେଁ। ପ୍ରଶାସନ ଏହାକୁ ବନ୍ଦ କରିବା କଥା। ମାତ୍ର ତାହା କରୁନାହିଁ। ଏହା ପରମ୍ପରା ଭାଙ୍ଗିବା ସହ ଭକ୍ତଙ୍କ ମଧ୍ୟରେ ଭିନ୍ନ ଭାବନା ସୃଷ୍ଟି କରୁଛି ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *