ଶ୍ରୀ ମନ୍ଦିର ପରିଚାଳନା ଦାୟିତ୍ୱ ଶଙ୍କରାଚାର୍ଯ୍ୟଙ୍କୁ ଦେବାକୁ ପ୍ରସ୍ତାବ
ରାଜ୍ୟ ସରକାରଙ୍କ ଭୂମିକା ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ
ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟ ଏହି ମାମଲାରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଭୂମିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ହାତରେ ଦେବାକୁ ବିଚାରପତି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲାବେଳେ ଏହାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦ରେ ହେବ।
ସୁପ୍ରିମକୋର୍ଟ ବିଚାରପତି ଏସ ଏ ବବଡେ଼ ଓ ଜଷ୍ଟିସ ଅବଦୁଲ ନଜିରଙ୍କ ଖଣ୍ଡପୀଠ ସୋମବାର ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ବିଚାରପତି ମନ୍ଦିର ପରିଚାଳନା ଦାୟିତ୍ୱ ଶଙ୍କରାଚାର୍ଯ୍ୟଙ୍କୁ ଦେବାକୁ ପ୍ରସ୍ତାବ ଦେଇଥିଲାବେଳେ ରାଜ୍ୟ ସରକାରଙ୍କ ଓକିଲ ଏହାକୁ ଖଣ୍ଡନ କରିଥିଲେ।

ସେ ଉଲ୍ଲେଖ କରିଥିଲେ ଯେ, ଶ୍ରୀମନ୍ଦିର ସ୍ୱତନ୍ତ୍ର ରୀତିନୀତି ଅନୁସାରେ ଚାଲିଥାଏ। ଦେଶର ଅନ୍ୟ ମନ୍ଦିର ସହ ଶ୍ରୀମନ୍ଦିରକୁ ତୁଳନା କରିବା ଠିକ ନୁହେ। ଏହି ଶୁଣାଣି ସମୟରେ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ କ୍ଷୁବ୍ଧ ହୋଇଥିଲେ। କହିଥିଲେ ଯେ, ଆମେ ବୁଝିପାରୁନାହୁଁ କ’ଣ ପାଇଁ ଏକ ଧର୍ମ ସଂସ୍ଥାକୁ ସରକାରୀ ଅଧିକାରୀମାନେ ପରିଚାଳନା କରୁଛନ୍ତି। ଏଠାରେ ଭକ୍ତଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ଏହି ସମୟରେ ବରିଷ୍ଠ ଓକିଲ ଗୋପାଳ ଶଙ୍କର ନାରାୟଣ ଖଣ୍ଡପୀଠଙ୍କୁ ପଚାରିଥିଲେ ଯେ, ଏକ ଧର୍ମନିରପେକ୍ଷ ରାଜ୍ୟରେ ସରକାରୀ ଅଧିକାରୀମାନେ ଧର୍ମାନୁଷ୍ଠାନକୁ ପରିଚାଳନା କରିପାରିବେ? ଏହା କୋର୍ଟ ସ୍ପଷ୍ଟ କରନ୍ତୁ।
ମାମଲାର ଶୁଣାଣି ସମୟରେ ଉପସ୍ଥିତ ଥିବା ଆଟର୍ଣ୍ଣିଂ ଜେନେରାଲ କେକେ ଭେନୁଗୋପାଳ ସାବରିମାଳା ମନ୍ଦିର କଥା ଉଠାଇଥିଲେ। ଶୁଣାଣି ସମୟରେ ଶଙ୍କରାଚାର୍ଯ୍ୟଙ୍କୁ ମନ୍ଦିର ପରିଚାଳନା ଦାୟିତ୍ୱ ପାଇଁ ବିଚାରପତି ପ୍ରସ୍ତାବ ଦେଇଥିଲାବେଳେ ଏ ସମ୍ପର୍କରେ ଆମିକସକ୍ୟୁରିଙ୍କ ମତ ଲୋଡ଼ାଯାଇଛି। ୩୦ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ଆମିକସକ୍ୟୁରି ନିଜ ମତ ରଖିବେ।