ବାର୍ଥ ଡେ’ ନୁହେଁ ଶ୍ରେୟା ଘୋଷାଲ୍ ଡେ’ କୁହନ୍ତୁ

ସୁମଧୁର କଣ୍ଠ ଦ୍ୱାରା ଦେଶ ବିଦେଶର ଅଗଣିତ ସଙ୍ଗୀତପ୍ରେମୀଙ୍କ ହୃଦୟରେ ରାଜ୍ କରୁଥିବା ଶ୍ରେୟା ଘୋଷାଲ୍ ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶ୍ରେୟାଙ୍କ ସ୍ୱରରେ ମୁଗ୍ଧ ଶ୍ରୋତା ତାଙ୍କ ଜନ୍ମଦିନକୁ ଶ୍ରେୟା ଘୋଷାଲ୍ ଡେ’ ଭାବେ ପାଳନ କରୁଛନ୍ତି । ବିଦେଶରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ଶ୍ରେୟା ଘୋଷାଲ୍ ଡେ’ ପାଳିତ ହୁଏ ଏବଂ ଏହିଦିନ ଶ୍ରେୟାଙ୍କ ଗୀତଗୁଡ଼ିକ ପରସ୍ପରକୁ ସେୟାର୍ କରି ଉତ୍ସବର ଶୁଭାରମ୍ଭ ହୋଇଥାଏ । ସଞ୍ଜୟ ଲୀଲା ବନ୍ସାଲୀଙ୍କ ବ୍ଲକବଷ୍ଟର୍ ଫିଲ୍ମ ‘ଦେବଦାସ୍’ରେ ପାରୋ ଚରିତ୍ରର ସ୍ୱର ଭାବେ ଶ୍ରେୟା ପ୍ରସିଦ୍ଧି ଲାଭ କରିଥିଲେ । ଏହି ଫିଲ୍ମରେ ଶ୍ରେୟାଙ୍କୁ ପ୍ରଥମ ବ୍ରେକ୍ ମିଳିଥିଲା ଏବଂ ସଞ୍ଜୟଙ୍କ ମା’ ଲୀଲା ବନ୍ସାଲିଙ୍କ ଯୋଗୁଁ ତାଙ୍କୁ ଏହି ସୁଯୋଗ ମିଳିଥିଲା ।

ଖବର ଅନୁଯାୟୀ ‘ସାରେଗାମାପା’ ଶୋ’ରେ ଏକଦା ଲୀଲା ବନସାଲୀ ବିଶେଷ ଅତିଥି ଭାବେ ଆମନ୍ତ୍ରୀତ ହୋଇ ଶ୍ରେୟାଙ୍କ ସଙ୍ଗୀତ ଶୁଣିଥିଲେ । ଶ୍ରେୟାଙ୍କ କଣ୍ଠ ତାଙ୍କୁ ବିମୋହିତ କରିଥିଲା । ତେଣୁ ‘ଦେବଦାସ’ ନିର୍ମାଣ କରିବା ସମୟରେ ଶ୍ରେୟାଙ୍କୁ ସୁଯୋଗ ଦେବା ପାଇଁ ସଞ୍ଜୟଙ୍କ ମା’ ତାଙ୍କୁ କହିଥିଲେ । ଏହିଭଳି ଭାବରେ ଶ୍ରେୟାଙ୍କୁ ବଲିଉଡ୍ରେ ପ୍ରଥମ ବ୍ରେକ୍ ମିଳିଥିଲା ।

ନିଜ ସିଙ୍ଗିଙ୍ଗ୍ କ୍ୟାରିୟର୍ ମଧ୍ୟରେ ଅନେକଥର ଶ୍ରେୟା ଫିଲ୍ମଫେୟାର୍ ଆୱାର୍ଡ଼ ଜିତିଛନ୍ତି । କେବଳ ଏତିକି ନୁହେଁ ୨୦୧୩ ଏପ୍ରିଲ୍ ୧୬ ତାରିଖରେ ହାଉସ୍ ଅଫ୍ କମନ୍ସରେ ସଂସଦର ସଦସ୍ୟଙ୍କ ଦ୍ୱାରା ଲଣ୍ଡନ୍ର ସର୍ବୋଚ୍ଚ ସମ୍ମାନରେ ଶ୍ରେୟାଙ୍କୁ ସମ୍ମାନିତ କରାଯାଇଥିଲା । ସୂଚନା ଅନୁଯାୟୀ ଓହିଓ ନାମକ ରାଜ୍ୟରେ ଜୁନ୍ ୨୬ ତାରିଖକୁ ଶ୍ରେୟା ଘୋଷାଲ୍ ଡେ’ ଭାବେ ପାଳିତ କରାଯାଏ । ତେବେ ଏମିତି ଏକ ସମ୍ମାନର ଅଧିକାରିଣୀ ଶ୍ରେୟାଙ୍କୁ ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ପକ୍ଷରୁ ଅଗଣିତ ଶୁଭକାମନା ଓ ଅଭିନନ୍ଦନ ମିଳିଛି ।

Leave a Reply

Your email address will not be published. Required fields are marked *