ମ୍ୟୁଜିକ୍ କମ୍ପୋଜର୍ ଶେଖର୍ କିଣିଛନ୍ତି ୩ଟି ଅଣ୍ଡା, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍
ମାତ୍ର ୩ଟି ଅଣ୍ଡା କିଣି ମ୍ୟୁଜିକ୍ କମ୍ପୋଜର୍ ଶେଖର ରବଜିଆନି ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ତେବେ ପ୍ରକୃତ ଖବରଟି ହେଉଛି ସେ ୩ଟି ସିଝା ଅଣ୍ଡାକୁ ୧୬୭୨ ଟଙ୍କା ଦେଇ କିଣିବା ସହିତ ତା’ର ରସିଦକୁ ଟ୍ୱିଟର୍ ମାଧ୍ୟମରେ ସେୟାର୍ କରିଛନ୍ତି । ଅହମଦାବାଦର ହୟାତ୍ ରିଜେନ୍ସିରେ ଶେଖର ୩ଟି ସିଝା ଅଣ୍ଡା ଅର୍ଡ଼ର୍ କରିଥିଲେ । କିନ୍ତୁ ବିଲ୍ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିଲ୍ କୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ପରେ କେତେଜଣ ୟୁଜର୍ସ ଏହାକୁ ନେଇ ଉପହାସ କରିଥିବାବେଳେ ଆଉ କେତେଜଣ ହୋଟେଲର ଦାମ୍ କୁ ସମର୍ଥନ ଜଣାଇଛନ୍ତି ।
ଶେଖର୍ ପ୍ରଥମ ବଲିଉଡ୍ ସେଲିବ୍ରିଟି ନୁହନ୍ତି, ଯିଏକି ଏଭଳି କାରନାମା କରିଛନ୍ତି । ବହୁ ପୂର୍ବରୁ ଅଭିନେତା ରାହୁଲ୍ ବୋଷ୍ ମଧ୍ୟ ଚଣ୍ଡଗଡ଼ସ୍ଥିତ ଜେଡବ୍ଲ୍ୟୁ ମୋରିୟଟ୍ ହୋଟେଲରୁ ମାତ୍ର ୨ଟି କଦଳୀକୁ ୪୪୨ଟଙ୍କା ଦେଇ କିଣିଥିଲେ । ରାହୁଲ୍ ଗୋଟିଏ ଭିଡିଓ ସେୟାର୍ କରି ଏହି ଖବରକୁ ସେୟାର୍ କରିଥିଲେ । ଏହି ଖବର ଆସିବା ପରେ ଆୟକର ବିଭାଗ ପକ୍ଷରୁ ହୋଟେଲ୍ କୁ ୨୫ ହଜାର ଟଙ୍କା ଜୋରିମାନା କରାଯାଇଥିଲା ।