ଶେଫାଳିଙ୍କୁ #କରୋନା!
ମୁମ୍ବାଇ(ଓଟି): ବିଶ୍ଵରେ ବ୍ୟାପିଛି ମହାମାରୀ। କୋଭିଡ୍-୧୯ ତଥା କରୋନା ପାଇଁ ଚାରିଆଡ଼େ ହାହାକାର। କୌଣସି ବି କ୍ଷେତ୍ର ବାଦ୍ ପଡ଼ିନି ଏଥିରୁ। ପ୍ରତିଦିନ ହଜାର ହଜାର ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ଵବ୍ୟାସୀଙ୍କ ପାଇଁ ବଡ଼ ଆତଙ୍କର କାରଣ ପାଲଟିଛି। ଏହିକ୍ରମରେ ମନୋରଞ୍ଜନ ଜଗତ ମଧ୍ୟ ମଳିନ ପଡ଼ିଯାଇଛି। ହଲିଉଡ୍ ଠାରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ ସବୁଠି ମାରାତ୍ମକ ଭାଇରସ୍ର ଆତଙ୍କ। ଏପରିକି ଅନେକ ଅଭିନେତା-ଅଭିନେତ୍ରୀ ଏହାରି କବଳରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଆଉକେତେକ ଭଲ ବି ହୋଇସାରିଲେଣି। ଏହିକ୍ରମରେ ବଲିଉଡ୍ରେ ସକ୍ରିୟ ଥିବା ତଥା ଟେଲିଜଗତର ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ ଶେଫାଳୀ ଶାହ ମଧ୍ୟ କରୋନା ସଂକ୍ରମିତ ବୋଲି ଖବର ଆସିଯାଇଥିଲା। ଏହାକୁ ନେଇ ତାଙ୍କ ପ୍ରଶଂସକ ମଧ୍ୟରେ ଓ ଟେଲି ଦୁନିଆରେ ଭୟର ବାତାରବଣ ଖେଳି ଯାଇଥିଲା। କିନ୍ତୁ ଏନେଇ ମୁହଁ ଖୋଲିଛନ୍ତି ନିଜେ ଶେଫାଳୀ…
କଣ କହିଲେ ଶେଫାଳୀ?
ସବୁଦିନ ଭଳି ମଙ୍ଗଳବାର ରାତିରେ ସେ ଠିକ୍ରେ ଶୋଇଥିଲେ। ଉଠିବା ବେଳକୁ ତାଙ୍କ ନମ୍ବର ଓ ସୋସିଆଲ୍ ଆକାଉଣ୍ଟ୍ରେ ମ୍ୟାସେଜ୍ ଭର୍ତ୍ତି ହୋଇଯାଇଥିଲା। ଅନେକ ଚିନ୍ତା ପ୍ରକଟ କରି ଯୋଗାଯୋଗ ନମ୍ବର ମଧ୍ୟ ସେୟାର କରିଥିଲେ। ଏସବୁ ଦେଖି ସେ ଛାନିଆ ହୋଇଯାଇଥିଲେ। କିନ୍ତୁ ତାଙ୍କ ସୋସିଆଲ୍ ଆକାଉଣ୍ଟରେ ସେତେବେଳକୁ ସେ କରୋନା ଆକ୍ରାନ୍ତ ବୋଲି ପୋଷ୍ଟ ହୋଇସାରିଥିଲା। ତେଣୁ ସେ ଏହାର ଉତ୍ତରରେ କହିଥିଲେ ଯେ ତାଙ୍କ ପରିବାର ଠିକ୍ ଅଛନ୍ତି। ସେହିପରି ସେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। କରୋନା ପଜିଟିଭ କିଛି ନାହିଁ ଯାହା ତାଙ୍କ ଆକାଉଣ୍ଟ୍ରେ ପୋଷ୍ଟ ହୋଇଛି। କଥାହେଲା ମଙ୍ଗଳବାର ରାତିରେ ତାଙ୍କ ଫେସ୍ବୁକ୍ ଆକାଉଣ୍ଟ୍ ହ୍ୟାକ୍ ହୋଇଯାଇଥିଲା। ତେଣୁ କେହି ଏଭଳି ଅପପ୍ରଚାର କରିଛି ବୋଲି ଶେଫାଳୀ କହିଛନ୍ତି।
ତେବେ ଲକ୍ଡାଉନ୍ ସମୟରେ ମଧ୍ୟ ଏଭଳି ହ୍ୟାକର୍ ମାତିଥିବା ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି।