ମୁଭି ରିଭ୍ୟୁ: ସାହୋ

ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଛି ପ୍ରଭାସ ଓ ଶ୍ରଦ୍ଧା ଷ୍ଟାରର୍ ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’ । ରିଲିଜ୍ ହେବା ପୂର୍ବରୁ ଫିଲ୍ମ ପ୍ରତି ସିନେପ୍ରେମୀଙ୍କ କ୍ରେଜି ଦେଖିବାକୁ ମିଳିଥିଲେ ମଧ୍ୟ ଫିଲ୍ମଟି ଦେଖିବା ପରେ ଦର୍ଶକ ମୁହଁ ଫେରାଇ ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ଆକ୍ସନ ଓ ଥ୍ରୀଲରରେ ଭରପୁର ଏହି ଫିଲ୍ମରେ ଇମୋସନାଲ୍ ନାହିଁ ବୋଲି ଅନେକ ଦର୍ଶକ ପ୍ରତିକ୍ରିୟା ଦେଇଛନ୍ତି । ଆଉ କେତେଜଣ ଦର୍ଶକଙ୍କ ଅନୁଯାୟୀ କାହାଣୀ ଅପେକ୍ଷା ଭିଏଫ୍ଏକ୍ସ, ସୁନ୍ଦର ଲୋକେସନ୍ ଓ ବ୍ୟାକ୍ଗ୍ରାଉଣ୍ଡ୍ ଦୃଶ୍ୟରେ ଦେଖିବାକୁ ମିଳିଥିବା ନଭଶ୍ଚୁମ୍ବୀ ଅଟ୍ଟାଳିକା, ଦାମୀ ଗାଡ଼ିଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । କାହାଣୀ ଓ ଆକ୍ସନ୍ ଦୃଶ୍ୟରେ କୌଣସି ରୋମାଞ୍ଚ ନାହିଁ । ଫିଲ୍ମର ହିନ୍ଦୀ ଭର୍ସନରେ ପ୍ରଭାସ ଡବିଂ କରାଇନାହାନ୍ତି । ତେଣୁ ପ୍ରଭାସଙ୍କ ହିନ୍ଦୀ ଡାଇଲଗ୍ ଶ୍ରୁତିମଧୁର ହୋଇପାରିନାହିଁ ବୋଲି ଦର୍ଶକ କହୁଛନ୍ତି । ଫିଲ୍ମ ନିର୍ମାଣରେ ଅଯଥାରେ ୩୦୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଆଉ କେକେତଜଣ ଦର୍ଶକଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

ଦର୍ଶକଙ୍କ ଏଭଳି ପ୍ରତିକ୍ରିୟା ଜାଣିବା ପରେ ଫିଲ୍ମ ସମୀକ୍ଷକମାନେ ମତ ଦେଇଛନ୍ତି ଯେ ‘ବାହୁବଳୀ’ ଭଳି ପ୍ରଭାସ ତାଙ୍କର ଯାଦୁ ଦର୍ଶକଙ୍କ ଉପରେ ଚଲାଇ ପାରିନାହାନ୍ତି । ପ୍ରଭାସଙ୍କ ପାଇଁ ଏଥର ଦର୍ଶକ ନିରାଶ ହୋଇଛନ୍ତି । ଅନେକ ସ୍ଥାନରେ ଫିଲ୍ମର କାହାଣୀ ଅବୁଝା ଓ ଅଡ଼ୁଆ ଲାଗୁଛି । ସୁଜିତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶ୍ରଦ୍ଧା ଓ ପ୍ରଭାସଙ୍କ ବ୍ୟତୀତ ନୀଲ୍ ନିତିନ୍ ମୁକେଶ, ଜ୍ୟାକି ସ୍ରଫ୍, ଚଙ୍କି ପାଣ୍ଡେ ଓ ମନ୍ଦିରା ବେଦି ମଧ୍ୟ ସ୍କ୍ରୀନ୍ ସେୟାର୍ କରିଛନ୍ତି । ମୋଟ ଉପରେ କହିବାକୁ ଗଲେ ଦର୍ଶକଙ୍କ ପ୍ରତିକ୍ର୍ରିୟା ଅନୁଯାୟୀ ୧୭୪ ମିନିଟ୍ର ଏହି ଫିଲ୍ମ ବକ୍ସ ଅଫିସରେ ଆଖିଦୃଶୀୟା ବ୍ୟବସାୟ କରିପାରିବ ନାହିଁ ବୋଲି ଟ୍ରେଡ୍ ଆନାଲିଷ୍ଟମାନେ ଆଶଙ୍କା କରିଛନ୍ତି ।

Leave a Reply

Your email address will not be published. Required fields are marked *