ଫି’ ବଢାଇବେ ସାହିଦ୍ ?
ନାୟକ ହୁଅନ୍ତୁ କିମ୍ବା ନାୟିକା, ସେମାନଙ୍କର ଫିଲ୍ମ ହିଟ୍ ହେବା ପରେ ସେମାନେ ସଙ୍ଗେ ସଙ୍ଗେ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ଫି’ ବଢାଇ ଦେଇଥାନ୍ତି । ଫିଲ୍ମ ମେକର୍ସ ମଧ୍ୟ ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ଥାଆନ୍ତି । ଏହି ଧାରା ବହୁପୂର୍ବରୁ ଚାଲିଆସିଛି । ଏବେ ଏହି ଧାରାକୁ ଆପଣାଇଛନ୍ତି ଅନସ୍କ୍ରିନର କବୀର୍ ସିଂ ଅର୍ଥାତ୍ ସାହିଦ୍ କପୁର୍ । ସନ୍ଦିପ୍ ୱାଙ୍ଗାଙ୍କ ନିର୍ଦ୍ଦେଶିତ ‘କବୀର୍ ସିଂ’ର ଅପାର ସଫଳତା ପରେ ସାହିଦ୍ ତାଙ୍କର ଅପକମିଙ୍ଗ୍ ଫିଲ୍ମର ସୁଟିଂର ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ସାହିଦଙ୍କ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେଇଥିବା ଏହି ଫିଲ୍ମ ପରଠାରୁ ସାହିଦ୍ ତାଙ୍କର ଫି’ ବଢାଇ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ସାହିଦ୍ କେତେ ପରିମାଣରେ ତାଙ୍କର ଫି’ ବଢାଇଛନ୍ତି, ତା’ର କିଛି ସଠିକ୍ ଖବର ମିଳିପାରିନାହିଁ ।
ସାହିଦ୍ ପୂର୍ବ ଫି’ଠାରୁ ୨ ଗୁଣା ଅଧିକ ଟଙ୍କା ନେଇପାରନ୍ତି ବୋଲି ଖବର ଆସିଛି । ବକ୍ସର୍ ଡିଙ୍ଗକୋ ସିଂଙ୍କ ବାୟୋପିକର ମୁଖ୍ୟ ଭୂମିକା ପାଇଁ ସାହିଦଙ୍କୁ ସାଇନ୍ କରାଯାଇଛି । ଏହି ବାୟୋପିକର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ଏବଂ ଏଥିରେ ନିଜ ଭୂମିକାକୁ ଜୀବନ୍ତ ରୂପ ଦେବା ପାଇଁ ସାହିଦ୍ ଏବେଠାରୁ ଖୁବ୍ ପରିଶ୍ରମ କରୁଛନ୍ତି ।