ରାଜ୍ୟରେ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତମାନଙ୍କୁ ଜେଲ୍ ପଠାଯିବ : ଶାହ
ରାଜ୍ୟରେ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତମାନଙ୍କୁ ଜେଲ୍ ପଠାଯିବ ବୋଲି ଘୋଷଣା କରିଛନ୍ତି ଶାହ। ବିଜେପି ସରକାର ଆସିଲେ କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ ଏବଂ କେନ୍ଦୁପତ୍ର ଉପରୁ ଜିଏସ୍ଟି ସମ୍ପୂର୍ଣ୍ଣ ଛାଡ଼ କରାଯିବ । ଥରେ ବିଜେପିକୁ ଦାୟିତ୍ୱ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶା ୧ ନମ୍ବର ହେବ ବୋଲି କହିଛନ୍ତି ଅମିତ ଶାହ। ଏଥିସହ କେନ୍ଦୁଝରରେ ଇସ୍ପାତ କାରଖାନା କରାଯିବ ବୋଲି ଶାହା ଘୋଷଣା କରିଛନ୍ତି।
ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କେନ୍ଦୁଝରଠାରେ ବିଜୟ ସଂକଳ୍ପ ସମାବେଶରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ କହିଛନ୍ତି, ଦେଶରେ ଏବେ ମୋଦୀ ଲହର ଚାଲିଛି। ଓଡ଼ିଶାରୁ ନବୀନ ବାବୁଙ୍କୁ ବିଦା କରିବା ଦରକାର। ଜଣେ ଓଡ଼ିଆ କହିପାରୁଥିବା ଲୋକକୁ ମୁଖ୍ୟମନ୍ତ୍ରୀ କରିବା ଦରକାର । ୧୯ ବର୍ଷ ହେଲା ନବୀନ ଓଡ଼ିଶାରେ ଅଛନ୍ତି, କିନ୍ତୁ ଏଠି ପିଇବା ପାଣି ମିଳୁନି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ନବୀନ ବାବୁ ଖଣି ଘୋଟାଲା ଛଡ଼ା ଆଉ କିଛି କରିନାହାନ୍ତି, ତାଙ୍କ ପାଖରେ ଥିବା ବାବୁଲୋକ ଭ୍ରଷ୍ଟାଚାର କରୁଛନ୍ତି, ନବୀନ ନିର୍ବିକାର ଏବଂ ହଜାର ହଜାର ଓଡ଼ିଆ ଯୁବକ କାମ ପାଇଁ ବାହାରକୁ ଯାଉଛନ୍ତି ବୋଲି କହିଛନ୍ତି ଅମିତ ଶାହ।
ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କଡା ସମାଲୋଚନା କରିଛନ୍ତି ଅମିତ ଶାହ। ସେ ନିଜ ଭାଷଣରେ ଅଭିଯୋଗ କରିଥିଲେ ଯେ କେନ୍ଦୁଝର ମେଡିକାଲ୍ କଲେଜ୍ ନିର୍ମାଣରେ ନବୀନ ବାବୁଙ୍କ ସରକାର ଚାରଣାଟିଏ ବି ଦେଇ ନାହାନ୍ତି। ଏହି ଅବସରରେ ସେ ମୋଦୀ ସରକାରର ସଫଳତା ଏବଂ ଓଡ଼ିଶାରେ କେଉଁ ପ୍ରକଳ୍ପଲାଗି କେନ୍ଦ୍ର ସରକାର କେତେ ଟଙ୍କା ଦେଇଛନ୍ତି ତାହାର ହିସାବ ଦେଇଛନ୍ତି।
କେନ୍ଦୁଝରରେ ଭାଷଣ ଆରମ୍ଭ କରିବା ପୂର୍ବରୁ ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ଓଡ଼ିଆଙ୍କୁ ସ୍ମରଣ କରିଥିଲେ।