ନବୀନଙ୍କ ଓଡ଼ିଆ ଭାଷା ନଜାଣିବାକୁ ନେଇ ଶାହଙ୍କ ଆକ୍ରମଣ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି କାଶୀନଗର ବ୍ଲକର ସିଦ୍ଧାବଡ଼ଙ୍ଗା ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି ଯେ ଉତ୍କଳ ଦିବସରେ ସେ ଏଠାକୁ ଆସିଥିବାରୁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି। ଭାଷଣ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଅମିତ ଶାହ କହିଥିଲେ, ନବୀନ ପଟ୍ଟନାୟକ ୧୯ ବର୍ଷ ହେଲାଣି ଓଡ଼ିଶାରେ ଶାସନ କରୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ସେ ଆଜି ପର୍ଯ୍ୟନ୍ତ ଓଡ଼ିଆ କହିପାରିଲେନି। ତେଣୁ ଆପଣମାନେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ବାଛନ୍ତୁ ଯିଏ ଓଡ଼ିଆରେ କଥା ହୋଇପାରିବେ।
ଅମିତ ଶାହ କହିଥିଲେ, ଆପଣମାନେ କଂଗ୍ରେସକୁ ଶାସନ କରିବାର ସୁଯୋଗ ଦେଇଛନ୍ତି। ବିଜେଡିକୁ ୧୯ ବର୍ଷ ହେଲାଣି ଶାସନ କରିବାର ସୁଯୋଗ ଦେଇଛନ୍ତି। ଥରେ ବିଜେପିକୁ ସୁଯୋଗ ଦେଇ ଦେଖନ୍ତୁ। ୫ ବର୍ଷରେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିଦେବୁ। ତେଣୁ ଆଜି ହିଁ ନବୀନ ସରକାରକୁ ଉପାଡ଼ି ଫୋପାଡ଼ି ଦେବାର ସଂକଳ୍ପ ନିଅନ୍ତୁ।
ସେ କହିଥିଲେ, ନିକଟରେ ସୁରଟରେ ଏକ ସଭା କରିଥିଲି। ସେଠାରେ ୩୦ ହଜାର ଓଡ଼ିଆ ଲୋକ ସାମିଲ ହୋଇଥିଲେ। ତେବେ ଓଡ଼ିଶାର ହଜାର ହଜାର ଲୋକ କାହିଁକି ନିଜ ଘରଦ୍ୱାର, ବାପାମା’ ଓ ପିଲାଛୁଆ ଛାଡ଼ି ସୁରଟ ଯାଉଛନ୍ତି? ୧୯ ବର୍ଷ ହେଲାଣି ନବୀନ ବାବୁଙ୍କ ସରକାର କ’ଣ କରୁଛି? ବିଜେପି ସରକାରକୁ ଆସିଲେ ଓଡ଼ିଶା ଲୋକଙ୍କୁ ଆଉ ସୁରଟ ଯିବାକୁ ପଡ଼ିବନି। ସେମାନେ ନିଜ ଗାଁରେ କାମ ପାଇବେ ଓ ନିଜ ଘର ଲୋକଙ୍କ ସହିତ ରହିବେ।
ଶ୍ରୀ ଶାହ କହିଥିଲେ, ଗରିବୀ କେମିତି ଦୂର କରାଯାଏ ସେ ନେଇ ନବୀନ ବାବୁ ଟ୍ୟୁସନ ହେବା ଦରକାର। ଏହି ଟ୍ୟୁସନ୍ ପାଇଁ ତାଙ୍କୁ କିଛି ଫି’ ଦେବାକୁ ପଡ଼ିବନି। ଆମେ ତାଙ୍କୁ ମାଗଣାରେ ଟ୍ୟୁସନ୍ କରିବୁ। କିନ୍ତୁ ସେଥିପାଇଁ ଏବେ ସମୟ ନାହିଁ। ସେ ସମୟ ପଳାଇଛି। ଓଡ଼ିଶାକୁ ଏବେ ଜଣେ ଯୁବ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଯୋଗାଇ ଦେଇଥିବା ସବୁ ସହାୟତାକୁ ଏଠାରେ ସରକାର ଅଟକାଇ ରଖିଛନ୍ତି। ତେଣୁ ଏଠାରେ ବିଜେପି ସରକାର ଆସିବା ଦରକାର।
ଏହା ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଆଣିବାକୁ ଅନୁରୋଧ କରିଥିଲେ।