କରୋନା: ପୁଣି ଖସିଲା ସେନ୍ସେକ୍ସ
ନୂଆଦିଲ୍ଲୀ (ଓଟି): କୋବିଡ୍-୧୯ ଆତଙ୍କ ତଥା କରୋନା ସଂକ୍ରମଣ ଯୋଗୁଁ ବିଶ୍ୱବ୍ୟାପୀ ଦେଖାଯାଇଛି ମାନ୍ଦାବସ୍ଥା ଓ ଘୋର ସଂକଟ। ଏହାକୁ ନେଇ ପ୍ରଭାବିତ ରହିଥିବା ଷ୍ଟକ୍ ବଜାରରେ ପୁଣି ଚଡ଼କ ପଡ଼ିଛି। ଚଳିତ ସପ୍ତାହର ପ୍ରଥମ କାରବାର ଦିବସ ଭାବେ ସୋମବାର ବିଏସ୍ଇ ତାଲିକାଭୁକ୍ତ କମ୍ପାନୀଗୁଡିକର କାରବାର ୭.୯୬ ପ୍ରତିଶତ ହ୍ରାସ ପାଇବା ସହ ପ୍ରମୁଖ ସୂଚକାଙ୍କ ସେନ୍ସେକ୍ସରେ ୨୭୦୦ ପଏଣ୍ଟ ହ୍ରାସ ଘଟିଛି। ଫଳରେ କାରବାର ଶେଷ ବେଳକୁ ସେନ୍ସେକ୍ସ ୩୧,୩୯୦ ପଏଣ୍ଟକୁ ଖସି ଆସିଥିଲା। ପ୍ରାୟ ସମସ୍ତ ପ୍ରମୁଖ କ୍ଷେତ୍ରରୁ ନିବେଶକାରୀଙ୍କ ଦ୍ୱାରା ସର୍ବାଧିକ ପରିମାଣର ପୁଞ୍ଜି ପ୍ରତ୍ୟାହାର କରିନିଆଯିବାରୁ ଏଭଳି ସ୍ଥିତି ଉପୁଜିଛି।
ସୋମବାର ଟାଟା ଷ୍ଟିଲ, ଏଚ୍ଡିଏଫ୍ସି, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଇନ୍ଫୋସିସ୍ ଏବଂ ଆଇଟିସି ଭଳି କମ୍ପାନୀଗୁଡିକର କାରବାର ସର୍ବାଧିକ ପ୍ରଭାବିତ ହୋଇଥିଲା ବେଳେ ଇଣ୍ଡସ୍ଇଣ୍ଡ ବ୍ୟାଙ୍କର ସର୍ବାଧିକ କ୍ଷତି ଘଟିଛି। ବିଶେଷକରି କରୋନା ସଂକ୍ରମଣକୁ ନେଇ ପୁଞ୍ଜି ବଜାର ସ୍ଥିତି ନିରୁତ୍ସାହିତ ହୋଇପଡ଼ୁଥିବା ବେଳେ ଏଥିପାଇଁ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେବେ ବୋଲି ପୂର୍ବରୁ କହିଥିଲେ। କିନ୍ତୁ ସୋମବାର ଅଚାନକ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ସୂଚନା ଦିଆଯାଇଥିଲେ ହେଁ ସୁଧ ହାର ହ୍ରାସ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇନଥିଲା। ଫଳରେ ଷ୍ଟକ୍ ବଜାରେ ପ୍ରଭାବ ପଡ଼ିଥିବା କୁହାଯାଉଛି। ଏହାବ୍ୟତୀତ ଏସିଆ ବଜାର ସମେତ ୟୁରୋପୀୟ ଷ୍ଟକ୍ ବଜାର ସୋମବାର ଭାରି ମାତ୍ରାରେ ପ୍ରଭାବିତ ରହିଥିବାରୁ ଏହାର ପ୍ରଭାବ ମଧ୍ୟ ଭାରତୀୟ ଷ୍ଟକ୍ ବଜାର ଉପରେ ପଡ଼ିଥିଲା।
ସୂଚନା ଅନୁଯାୟୀ ହାଙ୍ଗ୍ସେଙ୍ଗ ଷ୍ଟକ୍ ବଜାରରେ କାରବାର ୪.୦୩ ପ୍ରତିଶତ ହ୍ରାସ ଘଟିଥିବା ବେଳେ ସାଂଘାଇ ୩.୪ ପ୍ରତିଶତ, ସିଓଲ ୩.୧୯ ପ୍ରତିଶତ ଏବଂ ଟୋକିଓ ଷ୍ଟକ୍ କାରବାର ୨.୪୬ ପ୍ରତିଶତ ହ୍ରାସ ପାଇଛି । ସେହିପରି ୟୁରୋପୀୟ ଷ୍ଟକ୍ ବଜାରରେ ମଧ୍ୟ କାରବାର ୮ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ,କରୋନା ସଂକ୍ରମଣ ଥମିବାର ନାଁ ଧରୁନଥିବା ବେଳେ ଦିନକୁ ଦିନ ବିଭିନ୍ନ ରାଷ୍ଟ୍ରରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ମହାମାରୀର ଆଖ୍ୟା ଦିଆଯିବା ପରେ ବିଶ୍ୱସ୍ତରରେ ଷ୍ଟକ୍ କାରବାର ଭାରି ମାତ୍ରାରେ ପ୍ରଭାବିତ ହୋଇଥିଲା । ଏହିକ୍ରମରେ ଭାରତୀୟ ଷ୍ଟକ୍ ବଜାରରେ ଗତ ଗୁରୁବାର ଏକ ଅପ୍ରତ୍ୟାଶିତ ଘଟଣା ସ୍ୱରୂପ ବିଏସ୍ଇ ସେନ୍ସେକ୍ସରେ ୨୯୧୯ ପଏଣ୍ଟ ହ୍ରାସ ଘଟିଥିଲା। କେବଳ ସେନ୍ସେକ୍ସ ନୁହେଁ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି କାରବାରରେ ମଧ୍ୟ ୯ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିଲା ବେଳେ ଏହା ଷ୍ଟକ୍ ବଜାର ଇତିହାସରେ ଗୋଟିଏ ଦିନରେ ସର୍ବାଧିକ ହ୍ରାସ ସହିତ ବିଗତ ଦୁଇ ବର୍ଷ ତଳେ ସର୍ବନିମ୍ନ ସ୍ଥିତି ସହ ସମାନ ରହିଥିଲା।