ପାକିସ୍ତାନ ଏଫ-୧୬ ବ୍ୟବହାର କରିଥିଲା: ସେନା
ପାକିସ୍ତାନରେ ଆତଙ୍କବାଦୀ କ୍ୟାମ୍ପ ଥିବା ପର୍ଯ୍ୟନ୍ତ ଏ ଲଢେଇ ଚାଲିବ
ପାକିସ୍ତାନ ସହିତ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତର ତିନି ସେନା ବାୟୁସେନା, ସ୍ଥଳସେନା ଓ ନୌସେନାର ମୁଖ୍ୟ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଭାରତୀୟ ସେନା ପାକିସ୍ତାନ ବିରୋଧରେ ଯେକୌଣସି ପ୍ରକାରର ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛି। ପାକିସ୍ତାନର ବାୟୁସେନା ଏଫ-୧୬ ବିମାନ ଦ୍ବାରା ଭାରତୀୟ ସାମରିକ ପ୍ରତିଷ୍ଠାନକୁ ଆମରାମ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା।
କିନ୍ତୁ ଭାରତୀୟ ବାୟୁସେନାର ସତର୍କତା ଯୋଗୁଁ କୌଣସି କ୍ଷତି ହୋଇନାହିଁ। ଭାରତୀୟ ବାୟୁସେନାର ମିଗ ୨୧ ବିମାନର ପ୍ରତିଆକ୍ରମଣ ଯୋଗୁଁ ଏଫ-୧୬ ବିମାନଟି ନଷ୍ଟ ହୋଇ ପାକିସ୍ତାନୀ ସୀମାପଟେ ପଡିଥିଲା। କିନ୍ତୁ ଏଥିରୁ ନିକ୍ଷେପ ହୋଇଥିବା ମିସାଇଲଟି ଭାରତୀୟ ସୀମାରେ ପଡିଥିଲା ବୋଲି ଏୟାର ଭାଇସ ମାର୍ସାଲ ଆର.କପୁର କହିଛନ୍ତି। ସେହିପରି ସେନା ପକ୍ଷରୁ ମେଜର ଜେନେରାଲ ସୁରେନ୍ଦ୍ର ସିଂ ବାହାଲ କହିଛନ୍ତି ଯେ ଏହି ଲଢେଇ ପାକିସ୍ତାନରେ ଆତଙ୍କବାଦୀ କ୍ୟାମ୍ପ ଥିବା ପର୍ଯ୍ୟନ୍ତ ଚାଲୁରହିବ।
ଗତ ୨ ଦିନ ମଧ୍ୟରେ ପାକିସ୍ତାନ ୩୫ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ବେଳେ ଗତକାଲି ସକାଳ ୧୦ଟା ସମୟରେ ଭାରତୀୟ ସୁରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଏଫ-୧୬ ବିମାନ ପଠାଇଥିଲା। ତେବେ ଭାରତ ପକ୍ଷରୁ ମିଗ-୨୧, ସୁଖୋଇ ଓ ମିରାଜ-୨୦୦୦ ବିମାନ ଏହାର ମୁକାବିଲା କରିଥିଲେ। ପାକିସ୍ତାନର ଆକ୍ରମଣ ଉଦ୍ୟମକୁ ବାୟୁସେନା ପଣ୍ଡ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦିଆଯାଇଥିବା ବେଳେ ଭାରତର ମିଗ-୨୧ ବିମାନ ନଷ୍ଟ ହୋଇଥିଲା। ଆଉ ଏଥିରେ ଥିବା ପାଇଲଟ ଜଣକ ପାରାଚ୍ୟୁଟ ଯୋଗେ ପିଓକେରେ ଓହ୍ଲାଇଥିଲେ। ଆଉ ଘଟଣାସ୍ଥଳରୁ ହିଁ ତାଙ୍କୁ ଗିରଫ କରିଥିଲା ପାକିସ୍ତାନ।
ଭାରତର ୩ ବାହିନୀର ସେନାଧିକାରୀ ମିଳିତ ସାମ୍ବାଦିକ ସମ୍ମିଳନୀ କରି ପ୍ରମାଣ ସହ ପାକିସ୍ତାନ ମିଛ କହୁଥିବା ଦେଶବାସୀଙ୍କୁ ଜଣାଇଛନ୍ତି। ତେବେ ବାଲାକୋଟ ଷ୍ଟ୍ରାଇକ୍ର ସଫଳତାର ପ୍ରମାଣ ରାଜନୀତିକ ନେତୃବୃନ୍ଦ ରିଲିଜ୍ କରିବେ କି ନାହିଁ, ସେମାନେ ନିଷ୍ପତ୍ତି ନେବେ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ଏଥିସହ ପାକିସ୍ତାନ ପକ୍ଷରୁ ଯେ କୌଣସି କାର୍ଯ୍ୟାନୁଷ୍ଠାନର ମୁକାବିଲା କରିବାକୁ ସ୍ଥଳ, ବାୟୁ ଓ ନୌସେନା ପ୍ରସ୍ତୁତ ବୋଲି ୩ ସେନାଧିକାରୀ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଏୟାର ଭାଇସ ମାର୍ଶଲ ଆରଜିକେ କପୁର କହିଛନ୍ତି, ୨୭ ତାରିଖରେ କିଛି ପାକିସ୍ତାନ ଯୁଦ୍ଧ ବିମାନ ନିୟନ୍ତ୍ରଣ ରେଖା ଡେଇଁ ଭାରତର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏହାକୁ ବାୟୁସେନାର ଯୁଦ୍ଧ ବିମାନ ଅଟକାଇଥିଲା। ଏହି ଅପରେସନ ବେଳେ ଭାରତର ମିଗ୍-୨୧ବିସୋନର ଗୁଳିମାଡ଼ରେ ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିଲା।
ଏହି କ୍ଷତିଗ୍ରସ୍ତ ବିମାନରୁ ୨ ଜଣ ପାକ୍ ପାଇଲଟ୍ ଆକାଶ ଛତା ମାଧ୍ୟକରେ ଇଜେକ୍ଟ କରିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ପାକିସ୍ତାନ କହୁଛି ଅପରେସନରେ ଏଫ୍-୧୬ ଆଦୌ ବ୍ୟବହାର ହୋଇ ନଥିଲା। ହେଲେ ଏଫ୍-୧୬ରୁ ବାହାରୁଥିବା ଆମରାମର କିଛି ଅଂଶ ପୂର୍ବ ରଜୌରୀରୁ ମିଳିଛି। ଏଥିସହ ବୈଦ୍ୟୁତିକ ସିଗନେଚର ମଧ୍ୟ ଠାବ କରାଯାଇଛି।
ତେଣୁ ପାକିସ୍ତାନ କରିଥିବା ଅପରେସନରେ ଏଫ୍-୧୬ର ବ୍ୟବହାର ହୋଇଥିବା ଯଥେଷ୍ଟ ପ୍ରମାଣ ଆମ ପାଖରେ ରହିଛି। ପାକିସ୍ତାନ ଯୁଦ୍ଧ ବିମାନ ସାମରିକ ଘାଟି ଉପରେ ବୋମା ମାଡ଼ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହାଦ୍ୱାରା କୌଣସି କ୍ଷୟକ୍ଷତି ହୋଇନାହିଁ। ପ୍ରଥମେ ପାକିସ୍ତାନ କହିଥିଲା ସେମାନେ ୨ଟି ବିମାନକୁ ଖସାଇ ଦେବା ସହ ୩ ଜଣ ପାଇଲଟଙ୍କୁ ଗିରଫ କରିଛନ୍ତି। ଏହାପରେ କହିଲା ଜଣେ ମାତ୍ର ପାଇଲଟ୍ଙ୍କୁ ଗିରଫ କରିଛି। ଏବେ ପାକିସ୍ତାନ ଗିରଫ ଫାଇଲଟଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବାରୁ ଆମେ ଖୁସି।
ସାମରିକ ଅପରେସନର ଅତିରିକ୍ତ ଡିଜି ସୁରିନ୍ଦର ସିଂହ ମାହଲ କହିଛନ୍ତି, ଆମ ଲଢ଼େଇ ପାକିସ୍ତାନ ବିରୋଧରେ ନୁହେଁ ବରଂ ଆତଙ୍କବାଦ ବିରୋଧରେ। ପାକିସ୍ତାନ ଯେଉଁ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ଭୁଲି ନାହିଁ, ସେ ପର୍ଯ୍ୟନ୍ତ ଏମିତି ଅପରେସନ କରାଯିବ। ଆମେ ପୂର୍ବଭଳି ଆଗକୁ ମଧ୍ୟ ପାକିସ୍ତାନରେ ଥିବା ଆତଙ୍କୀ ଶିବିର ଉପରେ ହମ୍ଲା କରିବୁ। କଶ୍ମୀର ଉପତ୍ୟକାରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ପାଇଁ ଭାରତୀୟ ସ୍ଥଳ ସେନା ସର୍ବଦା ଚେଷ୍ଟା କରୁଛି।