ଏବେ ତ୍ରିରଙ୍ଗାରୁ ଫୁଟିବ ଫୁଲ ଓ କ୍ୟାଲେଣ୍ଡରରୁ ଫଳିବ ପରିବା
ଅଗଷ୍ଟ ୧୫ରେ ପ୍ରତିବର୍ଷ ସ୍ୱାଧିନତା ଦିବସରେ ସ୍କୁଲ ପିଲା, ଗାଡ଼ି କିମ୍ୱା ଅଟୋରେ ପ୍ଲାଷ୍ଟିକରେ ନିର୍ମିତ ତ୍ରିରଙ୍ଗା ପତାକା ଲାଗିଥିବା ଦେଖିବାକୁ ମିଳିଥାଏ। ଅଗଷ୍ଟ ୧୫ ପରଦିନ ଏହି ସବୁ ରାସ୍ତାରେ ପଡ଼ିଥିବା ସହିତ ପରିବେଶକୁ ନଷ୍ଟ କରିଥାଏ। ପରିବେଶକୁ ସୁରକ୍ଷା କରିବା ତଥା ତ୍ରିରଙ୍ଗାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଜଣେ ମା’ ବିଭିନ୍ନ ଫୁଲର ମଞ୍ଜିରେ ଜାତୀୟ ପତାକା ନିର୍ମାଣ କରୁଛନ୍ତି। ତାଙ୍କୁ ଏହି କାମରେ ଜଣେ ବନ୍ଧୁ ଯିଏ କି ମଞ୍ଜିରେ କାଗଜ ପ୍ରସ୍ତୁତି ପାଇଁ୨୧ଫୁଲସ ନାମରେ ଏକ କମ୍ପାନୀ କରିଛନ୍ତି ସେ ସହାୟତା କରୁଛନ୍ତି। ଏହି ପତାକାକୁ ବ୍ୟବହାର ପରେ ମାଟିରେ ପୋତିଲେ ତାହା ନଷ୍ଟ ହେବା ସହିତ ବିଭିନ୍ନ ପ୍ରକାରର ଫୁଲ ଫୁଟିବ ବୋଲି ପ୍ରସ୍ତୁତକାରୀ କହୁଛନ୍ତି।
କିପରି ତିଆରି ହୁଏ ମଞ୍ଜି ପତାକା
ମଞ୍ଜି ପତାକା ପାଇଁ ନଷ୍ଟ ହୋଇଯାଇଥିବା କପଡ଼ା, ଅଠା ଓ ବିଭିନ୍ନ ପ୍ରକାର ଫୁଲର ମଞ୍ଜିକୁ ବ୍ୟବହାର କରାଯାଇଥାଏ। ଏହି ପତାକାର ମୂଲ୍ୟ ଅଧିକ ରଖାନଯାଇ ଯେପରି ସମସ୍ତେ କିଣି ପାରିବେ ସେଥିପାଇଁ ମାତ୍ର ୧୦ଟଙ୍କା ରଖାଯାଇଛି। ଏହି ପତାକାକୁ ସ୍କୁଲ-କଲେଜର ଛାତ୍ରଛାତ୍ରୀ, ଏନଜିଓ, କର୍ପୋରେଟ ସଂସ୍ଥା ଓ ହାଉସିଂ ସୋସାଇଟମାନେ ଅଧିକ ପସନ୍ଦ କରି କିଣିବାରେ ଲାଗିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଚାର ଯୋଗୁଁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୫୦ ହଜାର ପତାକା ବିକ୍ରି ହୋଇସାରିଲାଣି।
ମଞ୍ଜି କାଗଜ କ’ଣ?
ପ୍ରାକୃତିକ ଜିନିଷ ବ୍ୟବହାର କରାଯାଇ ମଞ୍ଜି କାଗଜ ପ୍ରସ୍ତୁତ କରାଯାଉଛି। ଏହାକୁ ପ୍ରସ୍ତୁତ କରିବାରେ କାଠ କିମ୍ୱା ବାଉଁଶର ବ୍ୟବହାର ହୋଇନଥାଏ। ଏହି କାଗଜ ପ୍ରସ୍ତୁତ ସମୟରେ ବିଭିନ୍ନ ଫୁଲ ଗଛର ମଞ୍ଜି ବ୍ୟବହାର କରାଯାଇଥାଏ। ଫଳରେ କାଗଜ ଖରାପ ହେବା ପରେ ମାଟିରେ ପୋତିଲେ ସେଥିରୁ ଫୁଲ ଗଛ ଉଠିଥାଏ। ଏହି ମଞ୍ଜି କାଗଜରୁ ମଞ୍ଜି ପତାକା ପ୍ରସ୍ତୁତ କରାଯାଉଛି।
ମଞ୍ଜି କ୍ୟାଲେଣ୍ଡର

ପରିବେଶ ରକ୍ଷା କରିବା ପାଇଁ ଏବେ ସମସ୍ତେ ଚିନ୍ତିତ ହେବା ସହିତ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନେବାରେ ଲାଗିଛନ୍ତି। ମଞ୍ଜି ପତାକା ସହିତ ମଞ୍ଜି କ୍ୟାଲେଣ୍ଡର ମହାରାଷ୍ଟ୍ର ନାଗପୁରର ପରଦସିଂଗା ଗ୍ରାମରେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି। ଏହି କ୍ୟାଲେଣ୍ଡରର ମାସ ଓ ତାରିଖ ଶେଷ ହେବା ପରେ ସେହି ପୃଷ୍ଠାକୁ ମାଟିରେ ପୋତିବା ପରେ ସେଥିରୁ ବିଭିନ୍ନ ପ୍ରକାରର ପରିବା ଗଛ ଉଠୁଛି। ସେହି ପରିବା ସେହି ସିଜନର ହେବ ବୋଲି କ୍ୟାଲେଣ୍ଡର ନିର୍ମାଣ ସଂସ୍ଥା ଦାବି କରୁଛି। ଫଳରେ ଏହି କ୍ୟାଲେଣ୍ଡରର ଚାହିଦା ଏବେ ବଢ଼ିବାରେ ଲାଗିଛି।