୨୦୧୯ ନିର୍ବାଚନ : ନେତାଙ୍କୁ ସୁରକ୍ଷା ଥିଲା ବଡ଼ ଚାଲେଞ୍ଜ
୨୦୧୯ ନିର୍ବାଚନ ସରିଯାଇଛି। ଏବେ କେବଳ ଫଳାଫଳକୁ ଅପେକ୍ଷା। ପ୍ରଚାର ଥମିବା ପରେ ସୁରକ୍ଷାବଳଙ୍କ ଲାଗି ଥିବା ଏକ ବଡ଼ ଆହ୍ୱାନ ପାର ହୋଇଯାଇଛି। କାରଣ ଏଥର ସାଧାରଣ ନିର୍ବାଚନ ବେଳେ ବିଭିନ୍ନ ଦଳର ଅତି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏକ ବଡ଼ ଚାଲେଞ୍ଜ ଥିଲା। ସେମାନଙ୍କର ନିର୍ବାଚନୀ ଜନସଭା ସକାଶେ ଯାତ୍ରା ହେଉ କିମ୍ୱା ରୋଡ ଶୋ’ ସବୁଥି ପାଇଁ ସେମାନଙ୍କୁ ସୁରକ୍ଷା ଦେବାର ବଡ଼ ବ୍ୟବସ୍ଥା ହୋଇଥିଲା।
ପ୍ରାୟ ୨ହଜାରରୁ ବେଶୀ ଚଳଚଞ୍ଚଳ କମାଣ୍ଡୋ ନିୟୋଜିତ ଥିଲେ ଗ୍ରାଉଣ୍ଡରେ। ସେମାନଙ୍କୁ ସୁପରଭାଇଜ କରିବା ପାଇଁ ୧୨୦ରୁ ବେଶୀ ଦକ୍ଷ ଅଧିକାରୀ ଥିଲେ ଦାୟିତ୍ୱରେ। ଗଦାଗଦା ଗୁଇନ୍ଦା ରିପୋର୍ଟ ସାଙ୍ଗକୁ ଫାଷ୍ଟଏଡ କିଟ ଏବଂ ହଜାର ହଜାର ରାଉଣ୍ଡର ବୁଲେଟ ମଧ୍ୟ ସାଙ୍ଗରେ ରଖିଥିଲେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନେ।
ସାରା ଦେଶରେ ରାଜନୈତିକ ଭିଭିଆଇପିମାନେ ସଭା ଓ ରୋଡ ଶୋ’ କରୁଥିବାରୁ ସେମାନଙ୍କ ସକାଶେ ଫୁଲ ପ୍ରୁଫ ସୁରକ୍ଷାଘେର ତିଆରି କରିବା ୭ଟି ଯାକ ପର୍ଯ୍ୟାୟ ସମୟରେ ବଡ଼ କାଠିକର କାମ ଥିଲା ହେଲେ ଏହା ସୁଚାରୁ ରୂପେ ସମ୍ପାଦିତ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସ୍ପେଶାଲ ପ୍ରୋଟେକସନ ଗ୍ରୁପ ବା ଏସପିଜି ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଇଥିଲା ବେଳେ ଅନ୍ୟ ପ୍ରମୁଖ ରାଜନେତାମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳ ଯୋଗାଇଥିଲା ସୁରକ୍ଷା। ସେହି କେନ୍ଦ୍ରୀୟ ବଳଗୁଡ଼ିକ ଥିଲେ- ଏନଏସଜି ବା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ, ସିଆରପିଏଫ, ସିଆଇଏସଏଫ ଏବଂ ଆଇଟିବିପି।
ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ଏଥର ତଦାରଖ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଗ୍ରାଉଣ୍ଡରେ ଆମେ ପ୍ରାୟ ୨ହଜାରୁ ବେଶୀ କମାଣ୍ଡୋ ସିଫ୍ଟର ଆଧାରରେ ନିୟୋଜିତ କରିଥିଲୁ। ସେମାନଙ୍କର ନିୟୋଜନ ଓ ପରିଚାଳନା ପାଇଁ ୧୨୦ ଅଧିକାରୀ ଦାୟିତ୍ୱରେ ଥିଲେ। ଦେଶର ବିଭିନ୍ନ ଭାଗକୁ ଏହି ନେତାମାନେ ପ୍ରତିଦିନ ଯାଉଥିବାରୁ ତୃଣମୂଳ ସ୍ତରରେ ସୁରକ୍ଷାଘେର ପାଇଁ ଯୋଜନା କରିବା ଏବଂ ଗୁଇନ୍ଦା ରିପୋର୍ଟ ସଂଗ୍ରହ କରିବା ବଡ଼ ଚାଲେଞ୍ଜର କାମ ଥିଲା ବୋଲି ସେ କହିଛନ୍ତି।
ଜେଡ ପ୍ଳସ ସୁରକ୍ଷା ଘେର ପାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ୭୮ଜଣ ଅତି ବିଶିଷ୍ଟ ରାଜନେତାଙ୍କୁ ଏଥର କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ପ୍ରଚାର ବେଳେ ସୁରକ୍ଷା ଯୋଗାଇଥିଲା। ଶାହା ହେଉଛନ୍ତି ଏକମାତ୍ର ରାଜନେତା ଯିଏ ଏସପିଜି କଭର ପାଇନଥିଲେ ମଧ୍ୟ ତାଙ୍କ ସକାଶେ ଆଗୁଆ ସତର୍କତା ଓ ସୁରକ୍ଷା ଘେର କରାଯାଏ। ତାଙ୍କ ଉପରେ ଆକ୍ରମଣର ଅଧିକ ଆଶଙ୍କା ଥିବା କାରଣରୁ ସେ ଜନସଭା କରିଥିବା ସବୁ ସ୍ଥାନର ଆଗକୁଆ ନିରୀକ୍ଷଣ ଡେପୁଟିକମାଣ୍ଡାଣ୍ଟ କିମ୍ୱା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସ୍ତରର ଅଧିକାରୀଙ୍କ ଦ୍ୱାରା କରାଯାଇଥିଲା।
ସିଆରପିଏଫର ସୁରକ୍ଷାଘେର ପାଇଥିବା ରାଜନେତାମାନଙ୍କର ବିଭିନ୍ନ ଅଞ୍ଚଳକୁ ଗସ୍ତ ପୂର୍ବରୁ ସ୍ଥାନୀୟ ଅବସ୍ଥା ନିରୀକ୍ଷଣ ପାଇଁ ଦେଶର ବିଭିନ୍ନ ଭାଗରେ ୫୪ଜଣ ଅଧିକାରୀଙ୍କୁ ଏଥର ନିଯୁକ୍ତି ମିଳିଥିଲା। ସିଆରପିଏଫର ୨୮ଟି ବିଭିନ୍ନ ଗ୍ରାଉଣ୍ଡ ୟୁନିଟ ସେଇ ଅଧିକାରୀମାନଙ୍କୁ ପ୍ରଦାନ କରିଥିଲେ ସମସ୍ତ ପ୍ରକାର ସହଯୋଗ।
ସିଆରପିଏଫର କମାଣ୍ଡୋମାନେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ରବିଶଙ୍କର ପ୍ରସାଦଙ୍କୁ ମଧ୍ୟ ସୁରକ୍ଷା ଘେର ଏଥର ଯୋଗାଇଥିଲେ। ଏହି କମାଣ୍ଡୋମାନଙ୍କ ପାଖରେ ଏକେ ସିରିଜ ଆସଲ୍ଟ ରାଇଫଲ ସାଙ୍ଗକୁ ପିସ୍ତଲ, ଗୁଳି ଭର୍ତ୍ତି ମାଗାଜିନ ଏବଂ ଜନତାଙ୍କୁ ନିୟନ୍ତ୍ରଣ କରିବା ଲାଗି ଦଉଡ଼ି ଓ ବାଡ଼ି ମଧ୍ୟ ରହିଥିଲା।
ନୋଏଡାରେ ଥିବା ସିଆରପିଏଫ ବେସରେ ୨୪ଘଣ୍ଟା ଧରି ଖୋଲିଥିଲା କଣ୍ଟ୍ରୋଲ ରୁମ। ସେପରି ଏକ କଣ୍ଟ୍ରୋଲ ରୁମ ନର୍ଥ ବ୍ଲକରେ ଥିବା କେନ୍ଦ୍ର ଗୃହ ବିଭାଗରେ ମଧ୍ୟ କାର୍ଯ୍ୟ କରିଥିଲା। ବଡ଼ ରାଜନେତାମାନଙ୍କ ସୁରକ୍ଷାରେ ଥିବା ଅଧିକାରୀ ଓ କମାଣ୍ଡୋମାନଙ୍କ ସହ ଏହି କଣ୍ଟ୍ରୋଲ ରୁମରୁ ୱାର୍ଲେସ ଏବଂ ମୋବାଇଲ ଫୋନ ଦ୍ୱାରା ନିୟମିତ ସମ୍ପର୍କ ରଖାଯାଉଥିଲା।
ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସ୍ଥାନୀୟ ୟୁନିଟର କମାଣ୍ଡୋଙ୍କୁ ମଧ୍ୟ ଲଗାଯାଇଥିଲା କାମରେ। ସେମାନେ ସ୍ଥାନୀୟ ଭାଷାରେ ହେଉଥିବା କଥାବାର୍ତ୍ତା ଉପରେ ନଜର ରଖୁଥିଲେ। କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀକୁ ୯୩ଜଣ ବିଶିଷ୍ଟ ରାଜନେତାଙ୍କ ସୁରକ୍ଷା ଦାୟିତ୍ୱ ଏଥର ଦିଆଯାଇଥିଲା। ସେମାନଙ୍କର ସୁରକ୍ଷା ବ୍ୟବସ୍ଥା ତ୍ରୁଟିଶୂନ୍ୟ କରିବା ଲାଗି ସିଆଇଏସଏଫର ୪୦ଜଣ ଅଧିକାରୀ ଦେଶର ବିଭିନ୍ନ ଭାଗରେ ଏହି ନିର୍ବାଚନ ପ୍ରଚାର ସମୟରେ ଅବସ୍ଥାପିତ ହୋଇଥିଲେ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ଓ ମନୋଜ ସିହ୍ନାଙ୍କ ପରି ବହୁଜଣ ପାଇଥିଲେ ସିଆଇଏସଏଫ କଭର। ଏହାର ସ୍ପେଶାଲ ସିକ୍ୟୁରିଟି ଗ୍ରୁପ ଏଥର ରାଜନେତାଙ୍କୁ ଯୋଗାଇଥିଲା ସୁରକ୍ଷା। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମାୟାବତୀ ଓ ଅଖିଳେଶ ଯାଦବ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସୁରକ୍ଷା ଦାୟିତ୍ୱ ଏଥର ନିର୍ବାଚନ ବେଳେ ପଡ଼ିଥିଲା ଏନଏସଜି ଭାଗରେ।
ଯେତେବେଳେ ଜଣେ ଭିଭିଆଇପି ରାଜନେତା ହେଲିକପ୍ଟର କିମ୍ୱା ବିମାନରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି ସେମାନଙ୍କ ଯାତ୍ରା ଆରମ୍ଭ ବେଳେ ଗୋଟିଏ ଗ୍ରୁପ ସୁରକ୍ଷାରେ ଥାଏ । ସେ ପହଞ୍ଚିବାକୁ ଥିବା ସ୍ଥାନରେ ପ୍ରସ୍ତୁତ ଥାଆନ୍ତି ଅନ୍ୟ ଏକ ଗ୍ରୁପ। ଏଥର ନିର୍ବାଚନୀ ପ୍ରଚାର ସମୟରେ ରାଜନେତାମାନଙ୍କୁ ସୁରକ୍ଷା ଦେବା ଯୋଜନା ଭିତରେ ଅତି ଦକ୍ଷ ଡ୍ରାଇଭରମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା। ଇଣ୍ଡୋ-ତିବତ ପୁଲସ ବଳ ଏଥର ୧୬ଜଣ ଅତି ବିଶିଷ୍ଟ ରାଜନେତାମାନଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିଲା ।
ବିଜେପି ନେତା ମୂରଲୀ ମନୋହର ଯୋଶୀ, ଜମ୍ମୁ ଓ କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଏବଂ ମେହେବୁବା ମୁଫତି ପାଇଥିଲେ ଆଇଟିବିପି ସୁରକ୍ଷା ଘେର।