୨୦୧୪ରେ ୧୪.୫ କୋଟି ଅମାନତ ଅର୍ଥ ଜବତ
୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହୋଇସାରିଥିଲା ବେଳେ ଆଜି ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ନିର୍ବାଚନରେ କୌଣସି ବ୍ୟକ୍ତି ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକଟ କଲେ ସେମାନଙ୍କ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ କିଛି ଆବଶ୍ୟକୀୟ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି। ଯାହାକୁ ପୂରଣ କରିବା ପରେ ହିଁ ଜଣେ କେହି ଏହି ନିର୍ବାଚନ ମଇଦାନକୁ ଓହ୍ଲାଇପାରିବେ।
ନିୟମ ଅନୁସାରେ ପ୍ରାର୍ଥୀଙ୍କ ବୟସ ଅତିକମରେ ୨୫ ବର୍ଷ ହେବା ଦରକାର ଏବଂ ସେ ଜଣେ ପଞ୍ଜିକୃତ ଭୋଟର ହେବା ଜରୁରୀ। ଏଥିସହ ନିର୍ବାଚନ ଲଢିବାକୁ ହେଲେ ପ୍ରାର୍ଥୀଙ୍କୁ ଏକ ଅମାନତ ଅର୍ଥ ଜମା ଦେବାକୁ ପଡିଥାଏ। ଯଦି ପ୍ରାର୍ଥୀ ଜଣଙ୍କ ନିର୍ବାଚନରେ ମୋଟ ମତଦାନର ୬ ଭାଗରୁ ଏକ ଭାଗ ଭୋଟ ପାଇବାକୁ ଯୋଗ୍ୟ ହୋଇଥାଆନ୍ତି ତେବେ ସେ ଯେଉଁ ଅମାନତ ଅର୍ଥ ଜମା କରିଥାଆନ୍ତି ତାହା ତାଙ୍କୁ ଫେରାଇ ଦିଆଯାଇଥାଏ। ଯଦି ସେ ଏହିଭାଗ ଭୋଟ ପାଇନଥାଆନ୍ତି ତେବେ ଅମାନତ ଅର୍ଥ ଜବତ ହୋଇଯାଇଥାଏ।
ନିର୍ବାଚନ କମିଶନ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଅମାନତ ଭାବେ ଜମା ରଖିଥାଆନ୍ତି ଯାହାଦ୍ୱାରା କମ ପ୍ରାର୍ଥୀ ନିର୍ବାଚନରେ ମଇଦାନକୁ ଆସିପାରିବେ ଏବଂ ଏହି ପ୍ରକ୍ରିୟାକୁ ଅତି ଗମ୍ଭୀରତାର ସହ ନେବେ। ସାମାନ୍ୟ ବର୍ଗର ପ୍ରାର୍ଥୀଙ୍କ ତୁଳନାରେ ଅନୁସୂଚିତଜାତି ଏବଂ ଜନଜାତିଙ୍କ ପାଇଁ ଏହି ପରିମାଣ ଅଧା ହୋଇଥାଏ।

୧୯୫୨ ମସିହାରେ ନିର୍ବାଚନ ଲଢୁଥିବା ୪ ଭାଗରୁ ୩ ଭାଗ ପ୍ରାର୍ଥୀ ସେମାନଙ୍କ ଅମାନତ ଅର୍ଥ ହରାଇଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ନିର୍ବାଚନୀ କମିଶନର ୭୦୦୫ଜଣ ପ୍ରାର୍ଥୀଙ୍କ ଅମାନତ ଅର୍ଥ ଜବତ କରିବା ସହ ପାଇଥିଲେ ୧୪.୫କୋଟି ଟଙ୍କା। ଏହି ନିର୍ବାଚନରେ ୩୨୧୮ ସ୍ୱାଧୀନ ପ୍ରାର୍ଥୀଙ୍କ ଅମାନତ ରାଶି ଜବତ ହୋଇଥିଲା।
ନିର୍ବାଚନ କମିଶନଙ୍କ ରିର୍ପୋଟ ଅନୁସାରେ ୨୦୧୪ ଲୋକସଭା ନିର୍ବାଚନରେ ସବୁଠୁ ଅଧିକ ବିଏସପି ପ୍ରାର୍ଥୀଙ୍କ ଅମାନତ ରାଶି ଜବତ ହୋଇଥିଲା। ବିଏସପିର ୮୯.୧,କଂଗ୍ରେସର ୩୮.୪, ତୃଣମୂଳ କଂଗ୍ରେସର ୬୭.୨, ବିଜେପିର ୧୪.୫, ମାର୍ତ୍ତବାଦୀ କମ୍ୟୁନିଷ୍ଟ ପାର୍ଟିର ୫୩.୮ ଏବଂ ଏନସିପିର ୩୬.୧ ପ୍ରତିଶତ ପ୍ରାର୍ଥୀଙ୍କର ଅମାନତ ରାଶି ଜବତ ହୋଇଥିଲା।
ଲୋକସଭା ନିର୍ବାଚନ ଲଢୁଥିବା ସାମାନ୍ୟ ବର୍ଗର ପ୍ରାର୍ଥୀଙ୍କ ପାଇଁ ଏହି ଅମାନତ ଅର୍ଥ ପରିମାଣ ହେଉଛି ୨୫ହଜାର ଟଙ୍କା। ନାମାଙ୍କନ ଦାଖଲ ସମୟରେ ସେମାନଙ୍କୁ ଏହି ଅର୍ଥ ଜମା ଦବାକୁ ପଡିଥାଏ। ୨୦୦୯ ମସିହା ପୂର୍ବରୁ ସାମାନ୍ୟବର୍ଗର ପ୍ରାର୍ଥୀଙ୍କ ପାଇଁ ଏହି ରାଶି ୧୦ହଜାର ଟଙ୍କା ଥିଲାବେଳେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଏହା ୫ହଜାର ଟଙ୍କା ଥିଲା।