ସହଜ ନୁହେଁ #କୋଭିଡ୍-୧୯ ମୂଳୋତ୍ପାଟନ

ନୂଆଦିଲ୍ଲ (ଓଟି): ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ଵରେ ବ୍ୟାପି ଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାୟତଃ ସବୁ ଦେଶ ଲକ୍‌ଡାଉନ୍‌ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଭାରତରେ ୨୧ ଦିନିଆ ଲକ୍‌ଡାଉନ୍‌ ଶେଷ ହେବା ପରେ ଦ୍ଵିତୀୟ ପର୍ଯ୍ୟାୟରେ  ମେ ୩ ପର୍ଯ୍ୟନ୍ତ ଅବଧି ବଢ଼ାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ ସାମାଜିକ ଦୂରତ୍ଵ ନିୟମକୁ କଡ଼ାକଡ଼ି କରାଯାଇଛି। ଏଭଳି ସ୍ଥିତିରେ ବିଶ୍ଵର ଅନେକ ଦେଶବାସୀଙ୍କ ଆଶା ରହିଛି ଯେ ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ଵ ଫଳରେ ଆଗକୁ ମହାମାରୀ କବଳରୁ ତଥା କଠିନ ପରିସ୍ଥିତିରୁ ତ୍ରାହି ମିଳିଯିବ। କିନ୍ତୁ ବୈଜ୍ଞାନିକମାନଙ୍କ ମତ ଅଲଗା। ମାରାତ୍ମକ ଭାଇରସ୍‌ ପ୍ରତିରୋଧ ଲାଗି ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତ୍ଵ ମାନିବାକୁ ପଡ଼ିପାରେ। ସେହିପରି ନୂତନ ଅଧ୍ୟୟନ ଅନୁସାରେ ଆଗାମୀ ସମୟରେ କରୋନା ଭାଇରସ୍‌ ପୁଣିଥରେ ଭୟାବହ ହୋଇପାରେ।

ଜର୍ଣ୍ଣାଲ ସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ କେବଳ ଥରଟିଏ ଲକ୍‌ଡାଉନ୍‌ କରିଦେଲେ ମହାମାରୀକୁ ନିୟନ୍ତ୍ରଣ କରିହେବ ନାହିଁ। ସଙ୍ଗରୋଧ ଉପାୟ ବିନା କରୋନା ଭାଇରସ୍‌ ପୁଣି ବ୍ୟାପିଲେ ଭୟାବହ ହୋଇପାରେ। ସେହିପରି ହାଭାର୍ଡ ୟୁନିଭର୍ସିଟିର ମହାମାରୀ ବିଶେଷଜ୍ଞ ମାର୍କ ଲିପସିଚ୍ କହିଛନ୍ତି ଯେ ସଂକ୍ରମିତ ବ୍ୟକ୍ତି ଏବଂ ଦୁର୍ବଳ ରୋଗ ପ୍ରତିରୋଧଶକ୍ତି ଥିବା ଲୋକଙ୍କୁ ସଂକ୍ରମଣ ବ୍ୟାପିଥାଏ। ତେଣୁ ବିଶ୍ଵ ପ୍ରାୟ ଏକ ବର୍ଷ ପାଇଁ କରୋନା ବିରୋଧରେ ଆଶିଂକ ସୁରକ୍ଷା ହାସଲ କରିନେବ କିନ୍ତୁ ଭାଇରସ୍‌ ବିରୋଧରେ ପୂର୍ଣ୍ଣ ସୁରକ୍ଷା  ହାସଲ ପାଇଁ ଅନେକ ବର୍ଷ ଲାଗିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଅନୁରୂପ ଭାବେ ବୈଜ୍ଞାନିକମାନେ କହିଛନ୍ତି ଯେ କରୋନାକୁ ନାଶ କରିବା ପାଇଁ ଭ୍ୟାକସିନ୍ ନହେବା ପର୍ଯ୍ୟନ୍ତ ଭାଇରସ୍‌ରୁ ସମ୍ପୂର୍ଣ୍ଣ ସୁରକ୍ଷା ପାଇବା ବଡ଼ କଠନି ବ୍ୟାପାର। ଆମେରିକା କରୋନା ଭାଇରସ୍‌ ଟାକ୍ସ ଫୋର୍ସର ସଦସ୍ୟ ଡ. ଆନ୍ଥୋନୀ ଫାଉଚି ମଧ୍ୟ  ଅନୁରୂପ ମତ ଦେଇଛନ୍ତି। କରୋନା ଭାଇରସ୍‌ର ମୂଳତ୍ପାଟୋନ ଭାବିବା ପ୍ରକାରେ ସହଜ ନୁହେଁ।

Leave a Reply

Your email address will not be published. Required fields are marked *