କଶ୍ମୀର ପ୍ରସଙ୍ଗ: ଶାନ୍ତି ପ୍ରତିଷ୍ଠା ଲାଗି ସରକାରଙ୍କୁ ସମୟ ଦେଲେ ସୁପ୍ରିମ୍କୋର୍ଟ
ଭୁବନେଶ୍ଵର,(ଓଟି): ଜମ୍ମୁ- କଶ୍ମୀରରେ ସ୍ଥିରତା ବଜାୟ ସହ ଶାନ୍ତି ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ସମୟ ଦିଆଯିବା ଉଚିତ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି। ଏଥିସହ ୩୭୦ ଧାରାର ପ୍ରତ୍ୟାହାର ସହ କେନ୍ଦ୍ର ସରକାର ଜମ୍ମୁ- କଶ୍ମୀରରେ ଲାଗୁ କରିଥିବା ୧୪୪ ଧାରା ସମେତ ଅଘୋଷିତ କର୍ଫ୍ୟୁ ଓ ଯୋଗାଯୋଗ ବ୍ୟବସ୍ଥା ସମେତ ଗଣମାଧ୍ୟମ ଉପରେ ଲାଗୁ କରିଥିବା କଟକଣା ଉପରେ ବର୍ତ୍ତମାନ ପାଇଁ ସୁପ୍ରିମ୍ କୋର୍ଟ କୌଣସି ପ୍ରକାରର ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି।
କେନ୍ଦ୍ର ସରକାର ୩୭୦ ଧାରା ପ୍ରତ୍ୟାହାର ପରେ ଜମ୍ମୁ- କଶ୍ମୀରରେ ଲାଗୁ କରିଥିବା ସମସ୍ତ କଟକଣାକୁ ଉଠାଇ ନେବା ପାଇଁ ନିର୍ଦ୍ଦେଶ ଦେବାକୁ ଆଗତ ଏକ ମାମଲାର ଜରୁରୀ ଶୁଣାଣି ଆଜି ସୁପ୍ରିମ୍ କୋର୍ଟରେ ହୋଇଥିଲା। ସୁପ୍ରିମ୍ କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏମ୍ ଆର୍ ଶାହା ଓ ଜଷ୍ଟିସ୍ ଅଜୟ ରୋସ୍ତଗୀଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଜରୁରୀ ଶୁଣାଣି କରି କହିଥିଲେ, ସାଂପ୍ରତିକ ସ୍ଥିତିରେ ଜମ୍ମୁ- କଶ୍ମୀର ହେଉଛି ଏକ ‘ଅତ୍ୟନ୍ତ ସମ୍ବେଦନଶୀଳ’ ପ୍ରସଙ୍ଗ। ଏ ପରିପ୍ରେକ୍ଷୀରେ ଜମ୍ମୁ- କଶ୍ମୀରରେ ସ୍ଥିରତା ବଜାୟ ସହ ଶାନ୍ତି ବାହାଲ ପାଇଁ କେନ୍ଦ୍ର ସରକାରଙ୍କୁ ସମୟ ଦିଆଯିବା ଉଚିତ ବୋଲି ଖଣ୍ଡପୀଠ କହିବା ସହ ଦୁଇ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଛନ୍ତି।