ମହିଳାଙ୍କୁ ଏଣିକି ସ୍ଥାୟୀ କମାଣ୍ଡ ପୋଷ୍ଟ୍
ନୂଆଦିଲ୍ଲୀ(ଓଟି): ମହିଳା କୌଣସି ଗୁଣରେ କମ୍ ନୁହନ୍ତି। ସେମାନେ ମଧ୍ୟ ପୁରୁଷଙ୍କ ଭଳି ଦେଶପାଇଁ ଲଢୁଛନ୍ତି। ନିଜର ପାରଦର୍ଶିତା ପ୍ରତିପାଦନ କରୁଥିବା ମହିଳାଙ୍କୁ ପୁରୁଷ ଭଳି ଅଧିକାର ମିଳିବା ଦରକାର। ଏଭଳି ଭାବପୂର୍ଣ୍ଣ ଆବଦେନକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ଵର ସହ ବିଚାରକୁ ନେଇଛନ୍ତି। ଫଳରେ ସେନାରେ ନିଯୁକ୍ତ ମହିଳାମାନଙ୍କୁ ଏଣିକି ସ୍ଥାୟୀ କମାଣ୍ଡ ପୋଷ୍ଟ ମିଳିବା ସ୍ପଷ୍ଟ ହୋଇପାରିଛି।
ସେନାରେ ମହିଳାଙ୍କୁ ସ୍ଥାୟୀ କମାଣ୍ଡ ପୋଷ୍ଟ ମିଳିବା ନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖି କୋର୍ଟ କହିଛନ୍ତି ଯେ ସେନାରେ ଉଭୟ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର ରହିଛି ଏବଂ ସମାନତା ରହିବା ନିହାତି ଆବଶ୍ୟକ। ତେଣୁ ପୁରୁଷ ଅଧିକାରୀଙ୍କ ଭଳି ମହିଳାଙ୍କୁ ମଧ୍ୟ ସ୍ଥାୟୀ ପଦପଦବୀ ମିଳିବ। ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିରେ ମୋହର ଦେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଖାଲି ସେତିକି ନୁହେଁ, ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ କମାଣ୍ଡ ପୋଷ୍ଟିଂ ନୀତି ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କୁ କୋର୍ଟ ୩ ମାସର ଅବଧି ଦେଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ମାନସିକତାରେ ପରବର୍ତ୍ତନ ଆସିବା ଉଚିତ୍ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଯେ ସ୍ଥଳସେନାରେ ମହିଳାଙ୍କ ସ୍ଥାୟୀ କମିଶନ କମାଣ୍ଡ ପୋଷ୍ଟିଂ ସପକ୍ଷରେ ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ କେନ୍ଦ୍ର ସରକାର। ସମ୍ପ୍ରତି କେନ୍ଦ୍ର ସରକାରଙ୍କୁ କୋର୍ଟ ସମାଲୋଚନା କରିବା ସହ ସମଭାବପୂର୍ଣ୍ଣ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି।