#OdishafightsCorona: ସ୍ଥାନୀୟ ସଂକ୍ରମଣ ଆଶଙ୍କା, ସତ୍ୟନଗର ସିଲ୍
ଭୁବନେଶ୍ଵର, (ଓଟି): ଭୁବନେଶ୍ଵର ମ୍ୟୁନିସିପାଲିଟି ଅନ୍ତର୍ଗତ ସତ୍ୟନଗରରେ ସ୍ଥାନୀୟ ସଂକ୍ରମଣ ଆଶଙ୍କା ଜୋରଦାର ହୋଇଛି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପଜିଟିଭ୍ ଚିହ୍ନିତ ବ୍ୟକ୍ତିଙ୍କ ପାଖରେ କୌଣସି ସନ୍ତୋଷଜନକ ଭୁତାଣୁ ସଂକ୍ରମଣ କାରଣ ଜଣା ନପଡ଼ିବାରୁ ବିଏମ୍ସି ସେ ଅଞ୍ଚଳକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ବିଏମ୍ସି ପକ୍ଷରୁ କୁହାଯାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ସତ୍ୟନଗର ଛକରୁ-କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ-ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସ, ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସରୁ ସତ୍ୟନଗର ଛକରେ ଥିବା ବିଗବଜାର ପର୍ଯ୍ୟନ୍ତ ଅଞ୍ଚଳ ସିଲ୍ କରାଯାଇଛି।
ଏହାସହ ସତ୍ୟନଗର ଅଞ୍ଚଳରୁ ବିଗ୍ବଜାର ଦକ୍ଷିଣ ଯାଏ ମଧ୍ୟ ସିଲ୍ କରାଯାଇଛି। ଏହି ଅଞ୍ଚଳ ମଧ୍ୟରେ ପୂର୍ତ୍ତବିଭାଗ ଡିଭିଜନ୍ ଅଫିିସ୍-୩ ଏବଂ କ୍ଵାର୍ଟର କମ୍ପେ୍ଲକ୍ସ ସାମିଲ୍ ରହିଛି।
ଏହି ଅଞ୍ଚଳ ଭିତରକୁ କାହାକୁ ଛଡ଼ା ଯିବ ନାହିଁ କିମ୍ବା ଏହା ଭିତରୁ କେହି ବାହାରକୁ ବାହାରି ପାରିବେ ନାହିଁ। ଜରୁରୀ ସୁବିଧାସବୁ ବିଏମ୍ସି ଦ୍ଵାରା ନିର୍ଦ୍ଧାରିତ ସେବା ପ୍ରଦାନକାରୀଙ୍କ ଦ୍ଵାରା ପ୍ରଦାନ କରାଯିବ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସଂକ୍ରମିତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଅର୍ଥାତ୍ ସେ ବାହାର ଦେଶକୁ ଯାଇ ନାହାନ୍ତି କି ଦେଶର କୌଣସି ଅଞ୍ଚଳକୁ ମଧ୍ୟ ଯାଇନଥିବା ଜଣାପଡ଼ିଛି। ଫଳରେ ଏହା ପ୍ରଶାସନର ଚିନ୍ତା ବଢ଼ାଇଛି।