ମୋଦୀଙ୍କୁ ନେଇ ସଟ୍ଟା ବଜାର ଉତ୍ସାହିତ
ନିର୍ବାଚନ ତାରିଖ ଘୋଷଣା ପରେ ପରେ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୁଅନ୍ତି। ନିର୍ବାଚନୀ ଖବର ଦେବା ସକାଶେ ମିଡିଆ ବି ଚଳଚଞ୍ଚଳ ମଧ୍ୟ ହୋଇଯାଏ। ତାରିଖ ଘୋଷଣା ପରେ ପରେ ଜନମତ ସର୍ଭେ ଆସିବା ଏକ ପରମ୍ପରା ହୋଇସାରିଛି। ତେଣୁ ରବିବାର ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ପରେ ବୁଧବାର ମଧ୍ୟରେ କିଛି ଟେଲିଭିଜନ ଚ୍ୟାନେଲ ପକ୍ଷରୁ ପ୍ରାକ ଆକଳନ ପ୍ରକାଶ କରାଯାଇସାରିଲାଣି।

ସମସ୍ତ ପ୍ରାକ୍ ଆକଳନରେ ବିଜେପି ନେତୃତ୍ୱଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ ପୁଣିଥରେ ଶାସନ ଗାଦିକୁ ଫେରିବ ବୋଲି କୁହାଯାଉଛି। ୨୦୧୪ ତୁଳନାରେ ସିଟ କିଛି କମିବ, ହେଲେ ଏନଡିଏ ପୁଣି ଶାସନ ଡୋରୀ ପାଇବ ବୋଲି ସବୁ ପ୍ରାକ ̈ ନିର୍ବାଚନୀ ସର୍ଭେରେ ଆକଳନ କରାଯାଇଛି।
ଏହି ଟେଲିଭିଜନ ଜନମତ ସାଙ୍ଗକୁ ସଟ୍ଟା ବଜାର କାହା ଉପରେ ଆଶାବାନ୍ଧି ବସିଛି ତା’ ଉପରେ ବି ଫୋକସ ରହିଥାଏ। ସେଇଥିରୁ ବଡ଼ ଅନୁମାନ ଫଳାଫଳ ଉପରେ ଲଗାଯାଏ। ବୁଧବାର ଆସିଥିବା ସୂଚନା ଅନୁସାରେ ବର୍ତ୍ତମାନ ଦେଶର ସଟ୍ଟା ବଜାର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ ହେବ ବୋଲି ବିଶ୍ୱାସ ବାନ୍ଧିସାରିଲାଣି।
ବିଶେଷ କରି ବାଲାକୋଟ ଆତଙ୍କୀ କେନ୍ଦ୍ର ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ସଟ୍ଟା ବଜାରର ଭାବନା ମୋଦୀଙ୍କ ଆଡ଼କୁ ଆହୁରି ଅଧି ଝୁଙ୍କି ଯାଇଛି। ବାଲାକୋଟ ଆକ୍ରମଣ ପୂର୍ବରୁ ବିଜେପି ନେତୃତ୍ୱାଧୀନ ମେଣ୍ଟକୁ ୨୦୦ରୁ ୨୩୦ ଆସନ ଯିବ ବୋଲି ସଟ୍ଟା ବଜାରରେ ବାଜି ଲାଗୁଥିଲା। କିନ୍ତୁ ବାଲାକୋଟ ହମଲା ପରେ ୩୦୦ ଆସନ ଏନଡିଏକୁ ଯିବ ବୋଲି ଅନୁମାନ ଲଗାଯାଉଛି। ତା’ ଭିତରୁ ୨୪୫ରୁ ୨୫୧ ଆସନ ନିଜେ ବିଜେପି ଜିତିବ ବୋଲି ସଟ୍ଟା ବଜାରର ବିଶ୍ୱାସ ।
ଆଇନ ସିଦ୍ଧ ନଥିବା ଏହି ସଟ୍ଟା ବଜାର ହେଉଛି ବେଆଇନ ବେଟିଂ ବଜାର। ଯେଉଁଥିରେ ବିଭିନ୍ନ ବିଷୟ ଉପରେ ବାଜି ମରାଯାଇଥାଏ। ସଟ୍ଟା ବଜାରର ଏକ ସୂତ୍ରଙ୍କ କହିବା ଅନୁସାରେ ଲଗାତାର ଦ୍ୱିତୀୟଥର ପାଇଁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ କେନ୍ଦ୍ରରେ ସରକାର ଗଢ଼ିବ ବୋଲି ବୁକିମାନଙ୍କ ଭିତରେ ବିଶ୍ୱାସ ଆସି ଯାଇଛି।
ଜୈଶର ମୁଖ୍ୟ ତାଲିମ କେନ୍ଦ୍ର ଉପରେ ଆକ୍ରମଣ ପରଠାରୁ ବିଜେପିର ବିଜୟ ସମ୍ଭାବନା ଅଧିକ ପ୍ରଶସ୍ତ ହୋଇଛି ବୋଲି ସେ କହିଥିଲେ। ବାଲାକୋଟ ଆକ୍ରମଣ ପୂର୍ବରୁ ଆମେ ବିଜେପି ଖାତାରେ ୨୦୦ରୁ ୨୩୦ ଆସନ ଦେଉଥିଲୁ। ୧ ଟଙ୍କା ବାଜି ଉପରେ ୧ ଟଙ୍କାର ଲାଗୁଥିଲା ବେଟ । ହେଲେ ବାଲାକୋଟ ଆକ୍ରମଣ ପରେ ଆମେ ୩ଶହ ଆସନ ବିଜେପି ନେତୃତ୍ୱାଧୀନ ମେଣ୍ଟ ସକାଶେ ଆକଳନ କରୁଛୁ।
ବାଲାକୋଟ ଆକ୍ରମଣ ପୂର୍ବରୁ କଂଗ୍ରେସ ୨୦୦ ପାଖାପାଖି ଆସନ ପାଇବ ବୋଲି ଅନୁମାନ ହେଉଥିଲା। ତା’ ଉପରେବେଟ ଥିଲା ୭:୧। ଅର୍ଥାତ ୧ଟଙ୍କାର ବେଟ ଉପରେ ୭ଟଙ୍କା ଦିଆଯିବାର କଥା ଥିଲା। ହେଲେ ବାଲାକୋଟ ଆକ୍ରମଣ ପରେ କଂଗ୍ରେସ ୨୦୦ ପାଖାପାଖି ସିଟ ପାଇବନି ବୋଲି ଅନୁମାନ କରାଯାଉଥିବାରୁ ଏବେ ୧୦:୧ ହୋଇଯାଇଛି ବେଟ।

ସଟ୍ଟା ବଜାରରେ ଏହି ନିର୍ବାଚନୀ ବେଟିଂକୁ ରାଜସ୍ଥାନର ଫାଲୋଡ଼ି ସହରରେ ଥିବା ସଟ୍ଟା କେନ୍ଦ୍ର ନିୟନ୍ତ୍ରଣ କରେ ବୋଲି ଚର୍ଚ୍ଚାହୁଏ। ସେହି କେନ୍ଦ୍ରର ଧାରାରେ ମୁମ୍ୱାଇ ଓ ଦିଲ୍ଲୀ ସଟ୍ଟା ବଜାର ଚାଲେ। ସେହି ସୂତ୍ରଙ୍କ କହିବା ଅନୁସାରେ ସଟ୍ଟା ବଜାର ସକାଶେ ନିର୍ବାଚନୀ ବେଟିଂ ଏବେ ଆରମ୍ଭ ଅବସ୍ଥାରେ ଅଛି। ବଜାର ପ୍ରାର୍ଥୀ ତାଲିକା ଘୋଷଣାକୁ ଅପେକ୍ଷା କରିଛି। ଏହା ସହ ରାଜ୍ୟଗୁଡ଼ିକର ଅବସ୍ଥା ବିଷୟରେ ବିଶ୍ଲେଷଣ ଆସିବାକୁ ମଧ୍ୟ ଅପେକ୍ଷା କରାଯାଇଛି। ବିଶେଷ କରି ପ୍ରାର୍ଥୀ ତାଲିକାରେ ଜାତି ସମୀକରଣ କ’ଣ ରହିଛି ତାହା ଦେଖିବା ପାଇଁ ସଟ୍ଟା ବଜାରର ବଡ଼ ଖେଳାଳିମାନେ ଅପେକ୍ଷା କରିଛନ୍ତି। ସେମାନଙ୍କ ଧାରଣା ରହିଛି ଜାତି ସମୀକରଣ ନିର୍ବାଚନ ଫଳାଫଳ ଉପରେ ଏଥର ବି ବଡ଼ ପ୍ରଭାବ ପକାଇବ।
କଂଗ୍ରେସ ଯଦି ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରେ ତା’ହେଲେ ମଧ୍ୟ କିଛି ପ୍ରତିଶତ ସୁଇଂ କଂଗ୍ରେସ ଆଡ଼କୁ ହେବ ବୋଲି ସଟ୍ଟା ବଜାର ବିଶ୍ୱାସ କରୁଛି ବୋଲି ସେହି ସୂତ୍ରଜଣକ କହିଥିଲେ।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :