କେନ୍ଦ୍ରପଡ଼ା ବିଜେଡି ନେତାଙ୍କ ନିର୍ବାଚନୀ ବଜେଟ‍୍‌ ଦେଖି ଅର୍ଥମନ୍ତ୍ରୀ ଜଳକା

ରାଜ୍ୟ ବଜେଟ‍୍‌କୁ ସୁରୁଖୁରୁରେ ପାରିତ କରାଇ ନେଉଥିବା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏବେ କେନ୍ଦ୍ରାପଡା ବିଧାନସଭା ପାଇଁ ନିଜ ନିର୍ବାଚନ ଖର୍ଚ୍ଚ ତାଲିକାକୁ ଦେଖି ଜଳକା। ତାଙ୍କ ଚାରିପଟେ ଘେରି ରହିଥିବା ବିଜେଡିର ତଥାକଥିତ ଟିଙ୍କମାନେ ଦେଇଥିବା ନିର୍ବାଚନୀ ଖର୍ଚ୍ଚ ତାଲିକା ଦେଖି ଅର୍ଥମନ୍ତ୍ରୀଙ୍କର ଏଭଳି ଅବସ୍ଥା ହୋଇଥିବା ଚର୍ଚ୍ଚା ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡାରୁ ପ୍ରାର୍ଥୀ ହୋଇଥିବା ଅର୍ଥମନ୍ତ୍ରୀ ଶ୍ରୀ ବେହେରାଙ୍କୁ ବିଜେଡିର ଏହି ଚେଲା ଚାମୁଣ୍ଡାମାନେ ୱାର୍ଡ ପିଛା ୧୦ଲକ୍ଷ ଟଙ୍କାର ଖର୍ଚ୍ଚ ତାଲିକା ଧରାଇଛନ୍ତି। ଆଗକୁ ଏହା ଆହୁରି ବଢିବ ବୋଲି ବି ସୂଚନା ଦେଇଛନ୍ତି। ଏହି ୱାର୍ଡ ତାଲିକା ଏହାପରେ ନିର୍ବାଚନମଣ୍ଡଳୀର ଅନ୍ୟାନ୍ୟ ସ୍ଥାନ ବି ରହିଛି। ସବୁ ଖର୍ଚ୍ଚର ହିସାବ ଦେଖିବାପରେ ଶଶୀ ଏବେ ଜଳକା ପ୍ରାୟ ହୋଇଯାଇଥିବା ଜିଲ୍ଲାରେ ଆଲୋଚନା ହେଉଛି। ଏପରିକି ଏତେ ବଡ ବଜେଟ‍୍‌ ଦେଖି ସେ ତାହାକୁ ବହନ କରିପାରିବେ ନାହିଁ ବୋଲି କହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

ଗତ କାଲି ବିଜେଡିର ମୁଣ୍ଡିଆଳ ବୋଲାଉଥିବା ଏହି ଟିଙ୍କମାନଙ୍କୁ ନେଇ ଶଶୀ ବୈଠକ କରିଥିଲେ। ବୈଠକରେ ଜଣକ ପରେ ଜଣେ କେବଳ ଟଙ୍କା କଥା କହିଲେ। କାହାର କେତେ ଟଙ୍କା କେଉଁ ଅଞ୍ଚଳ ପାଇଁ ଦରକାର ତାହାର ତାଲିକା ଧରାଇଲେ। ଏହି ଟଙ୍କା ବ୍ୟୟରେ କେତେ ଭୋଟ ମିଳିବ ତାହା କିନ୍ତୁ କେହି କିଛି ଗ୍ୟାରେଣ୍ଟି ଦେଇପାରୁନାହାନ୍ତି। ଚେଲା ଚାମୁଣ୍ଡାଙ୍କର ଏଭଳି ବଜେଟ‍୍‌ ଦେଖି ଖୋଦ ଅର୍ଥମନ୍ତ୍ରୀ ଆବାକାବା ହୋଇଯାଇଥିଲେ। ସବୁଠାରୁ ବଡ କଥାଟି ହେଉଛି ଯେ କେନ୍ଦ୍ରାପଡାର ବିଜେଡି ବିଧାୟକ ତଥା ନୂଆକରି ଜିଲ୍ଲା ବିଜେଡି ସଭାପତି ହୋଇଥିବା କିଶୋର ତରାଇଙ୍କୁ ଏହି ଚେଲା ଚାମୁଣ୍ଡାମାନେ ଶଶୀଙ୍କ ଠାରୁ ଦୂରେ ରଖିଛନ୍ତି।

ବିଜେଡିର କିଛି ନେତାଙ୍କ କହିବାକଥା ହେଉଛି ନିର୍ବାଚନମଣ୍ଡଳୀର କେଉଁଠାରେ କେତେ ଅର୍ଥ ବ୍ୟୟହେବ ତାହା ଭଲଭାବେ କିଶୋର ଜାଣିଛନ୍ତି। ଏଠାରେ ନିର୍ବାଚନ ପରିଚାଳନାରେ ବି ତାଙ୍କର ଅଭିଜ୍ଞତା ରହିଛି। ତାଙ୍କୁ ଛାଡି ଯଦି ଶଶୀ ଏହି ଟିଙ୍କଙ୍କ ବଜେଟ‍୍‌ ଅନୁଯାୟୀ ଯିବେ ତେବେ ଆଗାମୀ ଦିନରେ ଫାଶୀ ପାଇଲା ଅବସ୍ଥା ହେବ। କାରଣ ଏହି ଚେଲା ଚାମୁଣ୍ଡାମାନେ ଟିଙ୍କ ଭଳି ଖାଲି ପଇସା ଶୋଷିବେ। ହେଲେ ଫଳ କିଭଳି ହେବ ଏମାନଙ୍କୁ ଜଣାନାହିଁ।

ଅନ୍ୟ ପକ୍ଷରେ ଶଶୀ ଏହି ଟିଙ୍କଙ୍କ ହାବୁଡରେ ପଡିଥିବାବେଳେ ତାଙ୍କ ପଛରେ ଏବେଠାରୁ ଗୁଇନ୍ଦା ଲଗାଇ ଦିଆଗଲାଣି। ସିଏ ଯଦି ଏଠାରୁ ଜିଣିବେ ତେବେ ସରକାରରେ ମନ୍ତ୍ରୀ ହେବା ନିଶ୍ଚିତ ହୋଇଥିବାରୁ ଏହାକୁ ନେଇ ଗୋଟିଏ ଗୋଷ୍ଠି ଏବେ ଏଭଳି କାର୍ଯ୍ୟ କରିଥିବାରୁ ସୂଚନା ମିଳୁଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିସ୍କ ନେଇ ଶଶୀଙ୍କୁ କେନ୍ଦ୍ରାପଡା ପଠାଇଥିବାରୁ ସିଏ ଜିଣିଲେ ନିଶ୍ଚିତଭାବେ ମନ୍ତ୍ରୀ ହେଲେ ଏହି ଗୋଷ୍ଠି ହତାଶ ହେବା ପୂର୍ବରୁ ଶଶୀଙ୍କୁ ରାସ୍ତାରୁ ହଟାଇବାପାଇଁ ଗୋଟି ଚାଳନା ଆରମ୍ଭ କରିଥିବାବେଳେ କେନ୍ଦ୍ରାପଡା ଜ୍ୱାଇଁ ଶଶୀଙ୍କ ପାଇଁ ଏବେ କିଶୋର ହିଁ ଏକମାତ୍ର ଭରସା ବୋଲି ଖୋଦ‍୍‌ ବିଜେଡି ନେତାମାନେ କହୁଛନ୍ତି।

Leave a Reply

Your email address will not be published. Required fields are marked *