କାହା ଶରଣରେ ବିଧାୟକ ସରୋଜ?
କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ବସଉଠ୍ କରିବାର ପାଞ୍ଚଦିନ ବିତିଗଲାଣି। ତଥାପି ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ୍ ଗିରଫ ଗିରଫ କରିନାହିଁ। କିଏ ଦବଙ୍ଗ ନେତା ସରୋଜଙ୍କୁ ସୁରକ୍ଷା ଦେଉଛି? ଏଭଳି ସୁରକ୍ଷା ଦିଆଯିବା ପଛର କାରଣ କ’ଣ?
ଗୁରୁବାର ଦିନ ପାଟଣାଗଡ଼ ପୂର୍ତ୍ତବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ରାସ୍ତା ମଝିରେ ଶହଶହ ଲୋକଙ୍କ ସାମ୍ନାରେ ଉଠବସ୍ କରାଇଥିଲେ ବିଧାୟକ ମେହେର। ମୁଁ ଏମଏଲଏ ଆଦେଶ ଦେଉଛି ୫ମିନିଟରେ ୧୦୦ଥର ଉଠବସ୍ ହୁଅ। କେବଳ ସେତିକି ନୁହେଁ ଜେଇଙ୍କୁ ଚାପୁଡା ମାରିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ବିଧାୟକ ଆଦେଶ ଦେଇଥିଲେ। ସେ ମଧ୍ୟ ମାରିଥିଲେ। ଏହି ଅଭାବନୀୟ ଦୃଶ୍ୟଟି ଭିଡିଓ ଜରିଆରେ ଭାଇରାଲ ହେବା ପରେ ଚାରିଆଡ଼ୁ ପ୍ରବଳ ସମାଲୋଚନା କରାଯାଇଥିଲା ବିଧାୟକଙ୍କୁ।
ସରୋଜ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ହରାଇଥିବାରୁ ସରୋଜଙ୍କ ଅହଂକାର ବଢ଼ିଯାଇଛି। ତେଣୁ ସେ ନିଜକୁ ପ୍ରଶାସନ ଅଥବା ସରକାର ବୋଲି ଭାବୁଛନ୍ତି। ନହେଲେ ସେ ଜଣେ ସରକାରୀ ଅଫିସରଙ୍କୁ ଉଠବସ୍ କରାଇ ନଥାନ୍ତେ କି ଅନ୍ୟଜଣେ ଉପରିସ୍ଥ ଅଫିସରଙ୍କୁ ମାରିବାର ନିର୍ଦ୍ଦେଶ ଦେଇନଥାନ୍ତେ।
ଜେଇଙ୍କୁ ଘରୁ ଡାକିଆଣି ଏପରି କଙ୍ଗାରୁ କୋର୍ଟ ଚଳାଇବା ଘଟଣା ଚାରିଆଡେ଼ ଚହଳ ପକାଇବା ପରେ ବିଧାୟକ ଦୁଃଖପ୍ରକାଶ କରିଥିଲେ। ତେବେ ଜେଇଙ୍କ ପତ୍ନୀ ଏ ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ। କିନ୍ତୁ ପାଞ୍ଚିଦିନ ବିତିଯିବା ପରେ ମଧ୍ୟ ପୁଲିସ୍ ବିଧାୟକଙ୍କୁ ଗିରଫ କରିନାହିଁ। ଜେଇ ଆଦିବାସୀ ସମ୍ପ୍ରଦାୟର। ତେଣୁ ବିଧାୟକଙ୍କ ବିରୋଧରେ ଆଦିବାସୀ ଲାଞ୍ଛନା ଅଭିଯୋଗ ଲାଗିଛି। ଏହା ଜାମିନ ଯୋଗ୍ୟ ନୁହେଁ। ଏହା ପରେ ମଧ୍ୟ ସରୋଜ ମେହେର ଏବେବି ଘୂରିବୁଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆହୁରି ଆଶ୍ଚର୍ଯ୍ୟ କରିଛି ଜିଲାପାଳଙ୍କ ବୟାନ। ଜିଲାପାଳ ଅରିନ୍ଦମ ଡାକୁଆ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜେଇ ଉଠବସ୍ ହେଉଥିବା ଭିଡ଼ିଓ ଦେଶସାରା ଚହଳ ପକାଇଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସକାଶେ ନିର୍ଦ୍ଦେଶ ନଦେଇ ତଦନ୍ତ ଲାଗି କହିଥିଲେ। ତେବେ ଘଟଣାଟି ସତ୍ୟ ବୋଲି ଉପଜିଲାପାଳ ରିପୋର୍ଟ ଦେବା ପରେ ଏବେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରିଛନ୍ତି। ଏଠି ସରକାର ଆସିଲେ କେଉଁଠୁ? ପାଟଣାଗଡ଼ ଥାନାରେ ଦାଖଲ ହୋଇଥିବା ଏତଲା ମୁତାବକ ସରୋଜ ଗିରଫ ହୋଇନାହାନ୍ତି କାହିଁକି? ତୁରନ୍ତ ତାଙ୍କ ବିରୋଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ସକାଶେ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ସରକାରଙ୍କୁ ସୁପାରିସ କରିବା ଅର୍ଥ ସମୟ ଟାଳିବା।
ସରୋଜ ହେଉଛନ୍ତି ଶାସକ ବିଜୁ ଜନତା ଦଳର ବିଧାୟକ। ତାଙ୍କୁ ଗିରଫ କରିବା ପାଇଁ ପୁଲିସକୁ ତୃତୀୟ ମହଲାର ଅନୁମତି ଆବଶ୍ୟକ। ସେଥିପାଇଁ ଏତେବଡ଼ ସାଂଘାତିକ ଘଟଣା ପରେ ବି ପୁଲିସ୍ ହାତବାନ୍ଧି ବସିରହିଛି। ତେଣୁ ସୁରକ୍ଷା କିଏ ଦେଉଛି ଆଉ ବୁଝିବା ବାକି ନାହିଁ। ଏଣେ ଜେଇଙ୍କୁ ଚାପୁଡ଼ା ମାରିଥିବା ନିର୍ବାହୀଯନ୍ତ୍ରୀଙ୍କୁ କାହିଁକି ନିଲମ୍ୱିତ କରାଯାଇନାହିଁ, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ଏହି ଅଧିକାରୀ ଜଣକ ମୁହଁ ମଧ୍ୟ ଖୋଲୁନାହାନ୍ତି। ତାଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇସାରିଛି।

ଏଣେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନିର୍ବାହୀଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆଦେଶ ଦେବା ପରିବର୍ତ୍ତେ ରାସ୍ତା କାମ ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି। କିନ୍ତୁ କାର୍ଯ୍ୟାଦେଶ ପାଇଥିବା ଠିକାଦାର ଜଣକ ବିଜୁ ଜନତା ଦଳର ବୋଲି ଏପର୍ଯ୍ୟନ୍ତ ସ୍ୱୀକାର କରୁନାହାନ୍ତି ମନ୍ତ୍ରୀ। ନିଜେ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ସରୋଜ ମେହେରଙ୍କୁ ସୁରକ୍ଷା ଦେଇ ଆଦିବାସୀ ଜେଇଙ୍କ ପରିବାରକୁ ଅସୁରକ୍ଷିତ କରିଦେଇଛନ୍ତି।