ବ୍ରାଣ୍ଡ୍ ଆମ୍ବାସଡର୍ ଦାୟିତ୍ୱରେ ସରୋଜ୍ ଖାନ୍
ବି ଟାଉନର ପ୍ରଖ୍ୟାତ କୋରିଓଗ୍ରାଫର୍ ସରୋଜ୍ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ସରୋଜ୍ ସିନେ ଡ୍ୟାନ୍ସର୍ସ ଆସୋସିଏସନର ବ୍ରାଣ୍ଡ୍ ଆମ୍ବାସଡର୍ ଭାବେ ନୂଆ ପରିଚୟ ପାଇଛନ୍ତି । ଏ ସମ୍ପର୍କରେ ଆସୋସିଏସନର ଅଧ୍ୟକ୍ଷ ନିଲେଶ୍ ପରାଡ଼କର୍ କହିଛନ୍ତି ଯେ ସରୋଜ୍ ଖାନଙ୍କ ସହଯୋଗ ଆସୋସିଏସନକୁ ଆହୁରି ମଜବୁତ୍ କରି ଗଢ଼ିତୋଳିବ । ଡ୍ୟାନ୍ସର୍ସଙ୍କ ଝିଅମାନଙ୍କୁ ସରୋଜ୍ ମାଗଣାରେ ପ୍ରଶିକ୍ଷଣ ଦେବେ ବୋଲି ସୂଚନା ମିଳିଛି ।
ଏଭଳି ଏକ ଦାୟିତ୍ୱ ନେବା ପରେ ଖୁବ୍ ଖୁସି ଜଣାପଡ଼ୁଥିବା ସରୋଜ୍ କହିଛନ୍ତି ଯେ – ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ୟାନ୍ସର୍ସମାନଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ସମସ୍ତଙ୍କୁ ସଚେତନ କରିବାକୁ ହେବ । କଳାକାରଙ୍କ ପାଇଁ ପେନସନ୍ ବ୍ୟବସ୍ଥା ମଧ୍ୟ ହେବା ଉଚିତ୍ । ଏହା ସହିତ ପ୍ରତିଦିନ ପ୍ରତ୍ୟେକ କଳାକାର ୧୦୦ ଟଙ୍କା ଜମା ରଖି ଏକ ଫଣ୍ଡ୍ ଆରମ୍ଭ କରାଯିବା ଉଚିତ୍, ଯାହାକି ତାଙ୍କର ଭବିଷ୍ୟତରେ ସାହାଯ୍ୟ କରିବ । ଦକ୍ଷ କଳାକାରଙ୍କୁ ସବୁବେଳେ ଏହି ଆସୋସିଏସନ୍ ସ୍ୱାଗତ କରିବ । ପୁରୁଣା ସ୍ମୃତିକୁ ମନେପକାଇ ସରୋଜ୍ କହିଥିଲେ ଯେ ସେ ନିଜ କ୍ୟାରିୟର୍ ଗ୍ରୁପ୍ ଡ୍ୟାନ୍ସର୍ ଭାବେ ଆରମ୍ଭ କରିଥିଲେ । ୧୦ ବର୍ଷ ବୟସରେ ତାଙ୍କୁ ଫିଲ୍ମ ଦୁନିଆରେ ଏଣ୍ଟ୍ରୀ ମିଳିଥିଲା । ତାଙ୍କର କ୍ୟାରିୟର୍ ଖୁବ୍ ସଂଘର୍ଷମୟ ଥିବାରୁ ସେ ଅନ୍ୟକଳାକାରଙ୍କ ପାଇଁ ଅନେକ କିଛି ସୁବିଧା ସୁଯୋଗ ସୃଷ୍ଟି କରିବେ ବୋଲି ତତ୍ପର ଅଛନ୍ତି ।