କେନ୍ଦ୍ରାପଡ଼ା ଓ ପଟାମୁଣ୍ଡାଇରେ ଆରମ୍ଭ ହେଲା ବିଶୋଧନ ପ୍ରକ୍ରିୟା
କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍): କରୋନା ଭୂତାଣୁ ସଂକ୍ରମଣକୁ ମୁକାବିଲା କରାଯିବା ଲକ୍ଷରେ କେନ୍ଦ୍ରାପଡ଼ା ଓ ପଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କେନ୍ଦ୍ରାପଡ଼ା ସହର ଓ ପଟାମୁଣ୍ଡାଇ ସହରାଂଚଳରେ ଆଜି ଠାରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲା ଅଗ୍ନିଶମ ବିଭାଗ ସହାୟତାରେ କେନ୍ଦ୍ରାପଡ଼ା ପୌରପରିଷଦ ପକ୍ଷରୁ ଶୁକ୍ରବାର ପୂର୍ବାହ୍ଣରେ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡ ସହ ସହରର ବିଭିନ୍ନ ଗଳି ଓ ଖାଲି ସ୍ଥାନକୁ ବିଶୋଧନ କରାଯାଇଛି । ପାଣିରେ ସୋଡ଼ିୟମ ହାଇପୋକ୍ଲୋରାଇଡ୍ ମିଶାଯାଇ ଅଗ୍ନିଶମ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ସ୍ପ୍ରେ କରାଯାଇ ବିଶୋଧନ କରାଯାଉଛି। ଆଗାମୀ ଦିନରେ କେନ୍ଦ୍ରାପଡ଼ା ସହରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସହରକୁ ବିଶୋଧକ ସ୍ପ୍ରେ କରାଯାଇ ବିଶୋଧନ କରାଯିବ ବୋଲି କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ କୁହାଯାଇଛି ।
ଏଥିସହ କେନ୍ଦ୍ରାପଡ଼ା ସହରର ପୁରୁଣା ବସଷ୍ଟାଣ୍ଡ ଠାରେ ପୋରପାଳିକା ପକ୍ଷରୁ ଏକ ବିଶୋଧନ କ୍ୟାବିନ ମଧ୍ୟ ଖୋଲା ଯାଇଛି । ସହରକୁ ଆସୁଥିବା ଲୋକମାନେ ଏହି କ୍ୟାବିନ ଭିତରକୁ ଯାଇ ନିଜ ଶରୀର, ପୋଷାକ ଓ ହେଲମେଟ ଆଦିକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରିପାରିବେ । ଲୋକମାନେ ଏହି କ୍ୟାବିନ ଭିତରକୁ ଯାଇ ନିଜକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରିବା ପରେ ଯେ କୌଣସି କାର୍ଯ୍ୟାଳୟ ବା ହାଟ ବଜାରକୁ ଯାଇପାରିବେ ଓ ସେଠାରୁ ଫେରିବା ପରେ ନିଜ ଶରୀରକୁ ବିଶୋଧନ କରି ପୁଣି ନିଜ ଘରକୁ ଯାଇପାରିବେ ବୋଲି ପୌରପାଳିକା କହିଛି ।
ଖୁବ କମ ଦିନ ମଧ୍ୟରେ କେନ୍ଦ୍ରାପାଡ଼ା ସହରର ତିନିମୁହାଁଣି ଛକ ସହ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ବିଶୋଧନ କ୍ୟାବିନ ଖୋଲାଯିବାକୁ ବ୍ୟବସ୍ଥା କରାଯାଉଥିବା ପୌରପରିଷଦ ପକ୍ଷରୁ ସୂଚନା ମିଳିଛି । ସେହିପରି ପଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଅଗ୍ନିଶମ ବାହିନୀ ସହାୟତାରେ ପଟାମୁଣ୍ଡାଇ ସହରର ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବକ୍ତାରପୁର ହାଇସ୍କୁଲ ଠାରୁ ପଟାମୁଣ୍ଡାଇ ବାଇପାସ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା, ଗଳି ଓ ଖାଲି ସ୍ଥାନକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବିଶୋଧନ କରିଛନ୍ତି ଓ ଆଗାମୀ ଦିନରେ ପଟାମୁଣ୍ଡାଇ ସହରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବର କାର୍ଯ୍ୟକ୍ରମ ରହିଛି ।