ଉଜ୍ଜଳା ଯୋଜନାର ବିଫଳତାର ଗୁମର ଖୋଲିଦେଲେ ସମ୍ୱିତ୍ ପାତ୍ର

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ଆସନର ଦଳୀୟ ପ୍ରାର୍ଥୀ ଡ଼ା. ସମ୍ୱିତ ପାତ୍ର ଆଜି ଅଜାଣତରେ ରାଜ୍ୟ ତଥା ପୁରୀ ଜିଲ୍ଲାରେ ମୋଦି ସରକାରଙ୍କ ବହୁ ପ୍ରଚାରିତ ଉଜ୍ଜଳା ଯୋଜନାର ବିଫଳତାକୁ ଟ୍ୱିଟ କରି ସାରା ଦେଶରେ ପଦାରେ ପକାଇ ଦେଇଛନ୍ତି। ଏହାକୁ ନେଇ ସମଗ୍ର ଦେଶରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଆସିବାରେ ଲାଗିଛି।

ପୁରୀରୁ ପ୍ରାର୍ଥୀ ପତ୍ର ଦାଖଲ କରିବା ପରେ ଡ଼ା. ପାତ୍ର ଏବେ ପ୍ରଚାରରେ ମାତି ଯାଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ସେ କିପରି ଚୁଲି ମୁଣ୍ଡରେ ବସି ଖାଇବା ସହିତ ପରିବାରର ସଦସ୍ୟମାନଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି ତାର ଭିଡ଼ିଓ ପ୍ରସ୍ତୁତ କରି ପ୍ରଚାର ଉଦ୍ଦେଶ୍ୟରେ ଟ୍ୱିଟ କରିଥିଲେ। ସେ ତାଙ୍କର ଏହି ଟ୍ୱିଟରେ ଲେଖିଛନ୍ତି, ‘ପୁରୀର ଗୋଟିଏ ଛୋଟ ଗାଁରେ ଜଣେ ବିଧବା ମା’ଙ୍କ ସହିତ ତାଙ୍କର ୨ଜଣ ଦିବ୍ୟାଙ୍ଗ ଝିଅ ରହୁଛନ୍ତି। ତାଙ୍କର ଏକମାତ୍ର ପୁତ୍ର ମଜୁରୀ କରି ପରିବାର ଚଳାଉଛନ୍ତି। ଏହି ପରିବାରକୁ ନରେନ୍ଦ୍ର ମୋଦି ସରକାର ଘର ନିର୍ମାଣ କରିବାକୁ ସହାୟତା କରିଛି। ଏହି ପରିବାର ମୋର ପରିବାର। ମା’ ଖାିବା ତିଆରି କରି ଖୁଆଇଛନ୍ତି। ମୁଁ ମଧ୍ୟ ତାଙ୍କୁ ନିଜ ହାତରେ ଖାଇବା ଖୁଆଇଛି। ମୁଁ ମାନୁଛି ଏହି ମା’ଙ୍କ ସେବା ଇଶ୍ୱରଙ୍କ ସେବା ସହିତ ସମାନ’।

ଭିଡିଓରେ ଦେଖାଯାଉଥିବା ଚିତ୍ର ଅନୁସାରେ ଏକ ନୂଆ ଘରେ ଡ଼ା. ପାତ୍ର ଖାଇବାକୁ ବସିଛନ୍ତି। ଜଣେ ବୟସ୍କ ମହିଳା ଚୂଲିରେ ଖାଇବା ରାନ୍ଧୁଛନ୍ତି। ପୁରୀ ବିଜେପି ପ୍ରାର୍ଥୀ ଡ଼ା.ସମ୍ୱିତ ପାତ୍ର ନିଜେ ଖାଇବା ସହିତ ବୟସ୍କା ମହିଳା ଓ ତାଙ୍କ ଝିଅକୁ ଖୁଆଇ ଦେଉଛନ୍ତି। ଏହି ଭିଡ଼ିଓ ଟ୍ୱିଟରେ ସେୟାର କରିବା ପରେ ଏହାକୁ ସୋସାଲ ମିଡ଼ିଆ ବ୍ୟବହାରକାରୀମାନଙ୍କ ଦ୍ୱାରା ବହୁଳ ଭାବରେ ଉଜ୍ଜଳା ଯୋଜନା କୁଆଡେ ଗଲା ବୋଲି ଟ୍ରୋଲ କରାଯାଉଛି। ସୋସାଲ ମିଡ଼ିଆ ବ୍ୟବହାରକାରୀମାନେ କହିଛନ୍ତି, ‘ଆପଣ ମୋଦି ସରକାରର ଉଜ୍ଜଳା ଯୋଜନାର ପୋଲ ଖୋଲି ଦେଇଛନ୍ତି’।

ପିୟୁଷ ନାମକ ଜଣେ ସୋସାଲ ମିଡ଼ିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଉଜ୍ଜଳା ଯୋଜନାକୁ ମୋଦି ବଡ଼ ବଡ଼ କଥା କୁହନ୍ତି, ନିଜ ଭାଷଣରେ ମିଛ କଥା ପ୍ରଚାର କରୁଛନ୍ତି। ପାର୍ଟିର ପ୍ରାର୍ଥୀ ଡ଼ା. ସମ୍ୱିତ ପାତ୍ର ବିଫଳତାର ଭିଡିଓ କରି ତାହାକୁ ପ୍ରମାଣିତ କରିଛନ୍ତି’।

ରଫଲନାନା ନାମକ ଆଉ ଜଣେ ସୋସାଲ ମିଡ଼ିଆ ବ୍ୟବହାରକାରୀ ଲେଖିଛନ୍ତି, ‘ ଏ ମା’ ଆଜି ବି ଚୂଲୀରେ ଖାଇବା ରାନ୍ଧିବାକୁ ବାଧ୍ୟ ହେଉଛନ୍ତି। ସେ ଜଣେ ବିଧବା ଓ ତାଙ୍କର ୨ଝିଅ ଦିବ୍ୟାଙ୍ଗ। ଉଜ୍ଜଳା ଯୋଜନା କୁଆଡେ଼ ଗଲା? ବିଧବା ପେନସନ ଓ ଦିବ୍ୟାଙ୍ଗ ପେନସନ କୁଆଡେ଼ ଗଲା? ତୁମ ଭଳି ଚୌକିଦାର ଥାଉ ଥାଉ ଏମାନଙ୍କ ଅଧିକାରକୁ କିଏ ଗୋରୀ କରିନେଲା’।

ପ୍ରିନ୍ସ ଲେଖିଛନ୍ତି, ଆରେ ପାତ୍ର ଜି ଖାଇବା ପାଇଁ ପହଞ୍ଚି ଗଲେ। ଭୋଟ ପାଇଁ ଉଜ୍ଜଳା ଯୋଜନାରେ ଗ୍ୟାସ ସିଲିଣ୍ଡର ବୁଢ଼ୀ ମା’କୁ ଦେଇ ଦେଇଥାନ୍ତେ। ବୁଢ଼ୀ ମା’କୁ ଗ୍ୟାସ ଜଳାଇ ଆସେ ନାହିଁ ବୋଲି କହିବେ ନାହିଁ’।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ଟିକଟ ଦାବିରେ ଗେଟରେ ତାଲା ପକାଇଲା ମହିଳା କଂଗ୍ରେସ

କେନ୍ଦ୍ରାପଡ଼ା ରାଜନୀତି : ମୁଖ୍ୟ ମଙ୍ଗୁଆଳ ଅତନୁ; ଅସନ୍ତୋଷ କିନ୍ତୁ ଚରମରେ

ବିଜେପିରେ ମୋହନ-ଅର୍ଜୁନ

Leave a Reply

Your email address will not be published. Required fields are marked *