ଶାମ୍ବ ଦଶମୀ ବିଶେଷ : ‘ମଣିଷ ଗୋଟିଏକୁ ପିଠା ଗୋଟିଏ’
ମକର ସଂକ୍ରାନ୍ତି ପରେ ସୂର୍ଯ୍ୟଦେବଙ୍କର ଆଉ ଏକ ବିଶେଷ ପୂଜା ଭାବେ ଆସିଛି ଶାମ୍ବ ଦଶମୀ । ପୌଷମାସର ଶୁକ୍ଲପକ୍ଷ ଦଶମୀ ତିଥିରେ ‘ଶାମ୍ବ ଦଶମୀ’ ପାଳନ କରାଯାଏ । ମୁଖ୍ୟତଃ ଏହି ପୂଜା ଦ୍ୱାରା ସମସ୍ତ ପ୍ରକାର ଦୂରାରୋଗ୍ୟର ମୁକ୍ତି ମିଳିଥାଏ ବୋଲି ଶାସ୍ତ୍ରବିଦିତ । ଅନ୍ୟପକ୍ଷରେ ସନ୍ତାମାନଙ୍କ ମାନସିକ ପୂଜା ଭାବେ ମା’ମାନେ ଏହି ବ୍ରତ କରିଥାନ୍ତି । ଏହି ପୂଜାର ବିଶେଷ ଦିଗ ହେଉଛି, ପ୍ରତ୍ୟେକ ସନ୍ତାନ ପାଇଁ ଭିନ୍ନ ଭିନ୍ନ ପିଠା କିମ୍ବା କୌଣସି ଫଳ ମାନସିକ କରାଯାଇ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଇଥାଏ । ତେଣୁ ଶାମ୍ବ ଦଶମୀ ପର୍ବର ଗାଉଁଲିଆ କଥନ ହେଉଛି – ‘ମଣିଷ ଗୋଟିଏକୁ ପିଠା ଗୋଟିଏ’ । ସକାଳେ ସୂର୍ଯ୍ୟପୂଜା ପାଇଁ ବିଭିନ୍ନ ପିଠାପଣା ସାଙ୍ଗକୁ ରାତିରେ ‘ଘଡ଼ଘଡ଼ା ତରକାରୀ’ ଓ ‘ବୁଢ଼ା ଚକୁଳି’ ଶାମ୍ବ ଦଶମୀର ମୁଖ୍ୟ ପୂଜା ବିଧି । ଏହି ଘଡ଼ଘଡ଼ା ତରକାରୀ ସବୁପ୍ରକାର ପରିବା ଦ୍ୱାରା ପ୍ରସ୍ତୁତ ହୋଇଥାଏ ଏବଂ ସିଝିବାର ଘଡ଼ଘଡ଼ ଶଦ୍ଦ ପରେ ଏହାକୁ ଚୂଲିରୁ ଓହ୍ଲାଇ ସନ୍ଧ୍ୟା ପୂଜା କରାଯାଇଥାଏ । ତେଣୁ ଏହି ବ୍ୟଞ୍ଜନର ନାମ ‘ଘଡ଼ଘଡ଼ା ତିଅଣ’ ହୋଇଛି ।
ପୌରାଣିକ ଆଖ୍ୟାନ
ଭାରତୀୟ ସଂସ୍କୃତିର ଆଧାର ବେଦ ଓ ପୁରାଣ ଅନୁଯାୟୀ ସମସ୍ତ ପର୍ବପର୍ବାଣୀ ପାଳିତ ହୋଇ ଆସୁଛି । ଏହି ଆଧାରରେ ଶାମ୍ବ ଦଶମୀ ପୂଜା ପାଳିତ ହେବା ପଛରେ ମଧ୍ୟ ଏକ ପୌରାଣିକ ଆଖ୍ୟାନ ରହିଛି । ଶାମ୍ବପୁରାଣରେ ଏହା ବିସ୍ତୃତ ଭାବେ ବର୍ଣ୍ଣିତ । ପୁରାଣର ଆଖ୍ୟାନ ଅନୁଯାୟୀ – ଶ୍ରୀକୃଷ୍ଣ ଓ ସତ୍ୟଭାମାଙ୍କ ପୁତ୍ର ଶାମ୍ବ କୁଷ୍ଠରୋଗରେ ପୀଡ଼ିତ ଥିଲେ । ଶ୍ରୀକୃଷ୍ଣଙ୍କ ସବୁ ପୁତ୍ର ମଧ୍ୟରେ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିବାରୁ ଶ୍ରୀକୃଷ୍ଣ ତାଙ୍କର ଆରୋଗ୍ୟ କାମନା କରି କୁଷ୍ଠରୋଗରୁ ମୁକ୍ତି ପାଇଁ ଉପାୟ କହିଥିଲେ । ଅର୍କକ୍ଷେତ୍ରରେ ଶାମ୍ବ ସୂର୍ଯ୍ୟପୂଜା କରିବା ଦ୍ୱାରା ଏହି କୁଷ୍ଠରୋଗରୁ ମୁକ୍ତି ପାଇପାରିବେ ବୋଲି ଶ୍ରୀକୃଷ୍ଣ ଉପଦେଶ ଦେଇଥିଲେ । ଶାମ୍ବ ଅର୍କକ୍ଷେତ୍ରକୁ ଯାଇ ସୂର୍ଯ୍ୟଙ୍କର ପୂଜା ଆରମ୍ଭ କରିଥିଲେ । ସୂର୍ଯ୍ୟଦେବଙ୍କ କୃପା ବଳରେ ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇ ପୁନର୍ବାର ଏକ ସୁନ୍ଦର ଶରୀର ପାଇଥିଲେ । ସେଦିନ ଥିଲା ପୌଷମାସର ଶୁକ୍ଲପକ୍ଷ ଦଶମୀ ତିଥି । ତେଣୁ ଏହି ପର୍ବ ‘ଶାମ୍ବ ଦଶମୀ’ ନାମରେ ଖ୍ୟାତ ହୋଇଥିଲା ଏବଂ ପ୍ରତିବର୍ଷ ପୌଷମାସର ଶୁକ୍ଲପକ୍ଷ ଦଶମୀ ତିଥିରେ ‘ଶାମ୍ବ ଦଶମୀ’ ପାଳିତ ହୋଇ ଆସୁଛି । ଯେଉଁ ସ୍ଥାନରେ ଶାମ୍ବ ସୂର୍ଯ୍ୟଙ୍କ କୃପା ଲାଭ ପାଇଁ ତପସ୍ୟା କରିଥିଲେ, ତାହା ‘ମୈତ୍ରେୟବନ’ ନାମରେ ଖ୍ୟାତ । କୁଷ୍ଠରୋଗରୁ ମୁକ୍ତ ହେବାପରେ ଶାମ୍ବ ସୂର୍ଯ୍ୟପୂଜା ବିଧି ପ୍ରଚଳନ କରାଇଥିଲେ । ଚନ୍ଦ୍ରଭାଗା କୁଳରେ ସୂର୍ଯ୍ୟଙ୍କର ପ୍ରଥମ ମନ୍ଦିର ନିର୍ମାଣ ହୋଇଥିଲା ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଆଉ ଏକ ପୌରାଣିକ ଆଖ୍ୟାନ ଅନୁଯାୟୀ ଦେବର୍ଷି ନାରଦ ଧଳା କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟଙ୍କର ଦ୍ୱାଦଶ ନାମ ସ୍ମରଣ ଓ ଜପ କରିଥିଲେ । ଫଳରେ ନାରଦଙ୍କୁ ସୂର୍ଯ୍ୟଦେବଙ୍କର କୃପାଦୃଷ୍ଟି ମିଳିଥିଲା ଏବଂ ସେ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ କରିଥିଲେ ।
ଐତିହାସିକ ଆଖ୍ୟାନ
ଦିଗ୍ବିଜୟୀ ସମ୍ରାଟ୍ ହର୍ଷବର୍ଦ୍ଧନଙ୍କ ରାଜଦରବାରରେ ଥିବା ମୟୁର ଭଟ୍ଟ ନାମକ ଜଣେ ମହାନ୍ ସଂସ୍କୃତ କବି କୁଷ୍ଠରୋଗରେ ଆକ୍ରାନ୍ତ ହୋଇଥିଲେ । ସେ ୧୦୦ଶ୍ଳୋକ ବିଶିଷ୍ଟ ସୂର୍ଯ୍ୟସ୍ତୁତି ରଚନା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ ବୋଲି ଐତିହାସିକମାନେ କହିଛନ୍ତି ।
ପୂଜା ବିଧି – ଶାମ୍ବ ଦଶମୀର ଏକ ବିଶେଷ ପୂଜା ବିଧି ରହିଛି । ସକାଳେ ମା’ମାନେ ଶୁଦ୍ଧପୂତ ହୋଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥାନ୍ତି । ଏହାପରେ ସନ୍ତାନମାନଙ୍କ ପାଇଁ ମାନସିକ ହୋଇଥିବା ପିଠାପଣା ପ୍ରସ୍ତୁତ କରାଯାଏ । ସମସ୍ତ ପିଠା ଓ ଗୁଡ଼ରେ ତିଆରି ବିଶେଷ ପଣାକୁ ତୁଳସୀ ଚଉରା ମୂଳେ ରଖାଯାଇ ଭୋଗ ଲଗାଯାଇଥାଏ । ଏହାପରେ ସୂର୍ଯ୍ୟଦେବଙ୍କ ବ୍ରତକଥା ପଢ଼ିସାରି ପୂଜା ସମାପ୍ତ ହୁଏ । ପୂଜା ସ୍ଥଳରେ ଥିବା ପିତଳ ପାତ୍ରରେ ହଳଦି ପାଣିରେ ସୂର୍ଯ୍ୟଙ୍କ ପ୍ରତିବିମ୍ବକୁ ଦେଖିବାର ବିଧି ରହିଛି । ଏହାପରେ ସେହି ପାଣିରୁ ସନ୍ତାନମାନଙ୍କ ଉପରେ ସିଞ୍ଜନ କରାଯାଏ ଓ ପାଦୁକା ଭାବେ ଗ୍ରହଣ କରାଯାଏ । ରାତିରେ ମହାକାଳଙ୍କ ପୂଜା ହୋଇଥାଏ । ରାତିରେ ‘ଘଡ଼ଘଡ଼ା ତିଅଣ’ ଓ ‘ବୁଢ଼ା ଚକୁଳି’ ପ୍ରସ୍ତୁତ କରି ଘର ଅଗଣାରେ ଚନ୍ଦ୍ର ଆଲୋକ ପଡ଼ୁଥିବା ସ୍ଥାନରେ ପୂଜା କରାଯାଏ । ସନ୍ତାନମାନଙ୍କ ଦୀର୍ଘ ଆୟୁଶ କାମନା କରି ଏହି ପୂଜା କରାଯାଇଥାଏ ।
ଭାରତ ବାହାରେ ସୂର୍ଯ୍ୟପୂଜା
କେବଳ ଭାରତ ନୁହେଁ, ଭାରତ ବାହାରେ ମଧ୍ୟ ଗ୍ରହରାଜା ସୂର୍ଯ୍ୟଦେବଙ୍କ ଆରାଧନା ଓ ବିଭିନ୍ନ ପୂଜାବିଧି ରହିଛି ।
ଆମେରିକା- ଆମେରିକାରେ ସୂର୍ଯ୍ୟଙ୍କୁ ‘ତୋନାତିହୁ’ ଭାବେ ପୂଜା କରାଯାଇଥାଏ । ସକଳ ଶକ୍ତିର ଆଧାର ସୂର୍ଯ୍ୟ ସମସ୍ତଙ୍କୁ ଜୀବନଶକ୍ତି ପ୍ରଦାନର କୃପାଭିକ୍ଷା କରିବା ସହିତ ଭଲ ଫସଲ ଅମଳ ପାଇଁ ଆମେରିକାରେ ସୂର୍ଯ୍ୟପୂଜାର ଏକ ବିଶେଷ ମହତ୍ତ୍ୱ ରହିଛି ।
ଜାପାନ୍
ଜାପାନ୍ରେ ସୂର୍ଯ୍ୟଙ୍କୁ ଦେବୀ ଭାବେ ଆରାଧନା କରାଯାଏ । ‘ଅମତେରାସୁ ଓମିକାନି’ ପୃଥିବୀରେ ଆଲୋକ ସଞ୍ଚାର କରନ୍ତି ବୋଲି ମାନ୍ୟତା ରହିଛି । ଜାପାନ୍ର ସମ୍ରାଟଙ୍କ ସୂର୍ଯ୍ୟଙ୍କ ସ୍ୱରୂପ ଭାବେ ବିଶ୍ୱାସ କରାଯାଏ । ପ୍ରତି ୨୦ ବର୍ଷରେ ଜାପାନ୍ର ହୋତଶୁ ଦ୍ୱୀପରେ ଥିବା ସୂର୍ଯ୍ୟ ମନ୍ଦିରରେ ଏକ ମହାନ୍ ମେଳା ଅନୁଷ୍ଠିତ ହୋଇଥାଏ । ଏଥିରେ ପୂର୍ବ ମନ୍ଦିର ନିକଟରେ ସୂର୍ଯ୍ୟଙ୍କ ଅନ୍ୟ ଏକ ପ୍ରତିରୂପ ଭାବେ ଆଉ ଗୋଟିଏ ମନ୍ଦିର ନିର୍ମାଣ କରାଯାଏ ।
ରୋମ୍
ୟୁନାନ୍ କାହାଣୀ ଅନୁଯାୟୀ ଜିୟୁସ୍ ଓ ଲୋଟୋଙ୍କ ପୁତ୍ର ଆପୋଲୋଙ୍କୁ ସୂର୍ଯ୍ୟଦେବତା ଭାବେ ପୂଜା ବିଧି ଆରମ୍ଭ କରାଯାଇଥିଲା । । ଆପୋଲୋଙ୍କ ଅନ୍ୟ ନାମ ସୋଲ୍ । ରୋମ୍ ସାମ୍ରାଜ୍ୟର ଅଧିଷ୍ଠାତି ଦେବତା ଥିଲେ ସୋଲ୍ ।
ଇରାନ୍
ଖ୍ରୀଷ୍ଟପୂର୍ବ ୨୦୦ରୁ ୩୦୦ ମଧ୍ୟରେ ଇରାନ୍ ବାସିନ୍ଦା ସୂର୍ଯ୍ୟଦେବଙ୍କୁ ‘ମିତ୍ର’ ନାମରେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ । ମିତ୍ରଦେବଙ୍କ ଛାୟା ଇରାନ୍ ସମ୍ରାଟ୍ ଉପରେ ପଡ଼ୁଥିବାରୁ ତାଙ୍କୁ ଏକ ପବିତ୍ର ଆତ୍ମା ଭାବେ ଗ୍ରହଣ କରାଗଲା । ସେଠାକାର ଲୋକସ୍ମୃତି ଅନୁଯାୟୀ ଏକ ଗୁମ୍ଫାରୁ ମିତ୍ର ସ୍ୱୟଂ ଆବିର୍ଭୁତ ହୁଅନ୍ତି ।
ମିଶର
ଦିନରେ ସୂର୍ଯ୍ୟଙ୍କର ବିଭିନ୍ନ ଗତି ଅନୁଯାୟୀ ଏଠାରେ ସୂର୍ଯ୍ୟଘଙ୍କର ୩ଟି ନାମ ରହିଛି । ଉଦିତ ସୂର୍ଯ୍ୟଙ୍କୁ ‘ହୋରୁସ୍’, ଦ୍ୱିପ୍ରହର ସୂର୍ଯ୍ୟଙ୍କୁ ‘ରା’ ଓ ଅସ୍ତଗାମୀ ସୂର୍ଯ୍ୟଙ୍କୁ ‘ଓସିରିସ୍’ ବୋଲି କୁହାଯାଏ । ମିଶର ବାସିନ୍ଦାଙ୍କ ଅନୁଯାୟୀ ‘ରା’ ହିଁ ସମଗ୍ର ବିଶ୍ୱକୁ ଶାସନ କରୁଛନ୍ତି ଏବଂ ବାଜପକ୍ଷୀର ମସ୍ତକ ଧାରଣ କରି ନକାରାତ୍ମକ ଶକ୍ତିଠାରୁ ବିଶ୍ୱକୁ ରକ୍ଷା କରୁଛନ୍ତି । ତେଣୁ ସେଠାରେ ସୂର୍ଯ୍ୟପୂଜା ଅଧିକ ଭାବେ କରାଯାଏ ।
ପ୍ରସ୍ତୁତି: ଦିପ୍ତିମୟୀ ମହାପାତ୍ର