‘ସମାଜ’ ଓଜସ୍ବିନୀ ଓଡ଼ିଶା ପ୍ରତିଯୋଗୀତା: ପବିତ୍ର ପଣ୍ଡା ଓ ଆକାଂକ୍ଷା କବି ପ୍ରଥମ
ଭୁବନେଶ୍ବର,(ଓଟି): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୧ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ତରୁଣ ପିଢ଼ିର ଚିନ୍ତା ଓ ଚେତନାର ଅନ୍ୟାନ୍ୟ ପରିପ୍ରକାଶ ପାଇଁ ସମାଜ ପକ୍ଷରୁ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଭୁବନେଶ୍ଵରରେ ଆୟୋଜିତ ଏହି ପ୍ରତିଯୋଗୀତାର କନିଷ୍ଠ ବିଭାଗରେ ଭୀମଟାଙ୍ଗୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ପବିତ୍ର ପଣ୍ଡା ପ୍ରଥମ ହୋଇଥିବା ବେଳେ କିଟ୍ ଲ’ ସ୍କୁଲ୍ର ଛାତ୍ରୀ ଆକାଂକ୍ଷା କବି ବରିଷ୍ଠ ବିଭାଗରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି।
କନିଷ୍ଠ ବିଭାଗରେ ବତ୍କୃତା ପ୍ରତିଯୋଗୀତାର ବିଷୟ ଭାବେ ‘ଭାରତର ବର୍ଦ୍ଧିତ ଜନସଂଖ୍ୟା ଦେଶ ବିକାଶରେ ସହାୟକ କି’ ଶୀର୍ଷକରେ ଅଂଶ ଗ୍ରହଣ କରି ଓଡିଏମ୍ ପବ୍ଲିକ ସ୍କୁଲର ପ୍ରିୟାଂଶୁ ଷଡଙ୍ଗୀ ଏବଂ ସରସ୍ବତୀ ବିଦ୍ୟାମନ୍ଦିର ୟୁନିଟ୍-୮ର ସିଦ୍ଧେଶ୍ବର ରାଉତ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ସେହିପରି ବରିଷ୍ଠ ବିଭାଗର ପ୍ରତିଯୋଗୀତାର ବିଷୟ ଥିଲା ‘ସାମ୍ପ୍ରତିକ ଭାରତରେ ସ୍ଥାନ ସଂରକ୍ଷଣ ଯଥାର୍ଥ କି’। ଏଥିରେ ଆକାଂକ୍ଷା ପ୍ରଥମ ହୋଇଥିବା ବେଳେ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ମୋନାଲି ସାହୁ ଏବଂ ବେସିକ୍ ସାଇନ୍ସ କଲେଜର ବିଶ୍ବକେଶନ୍ ଦାଶ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଚିକିତ୍ସକ ତଥା ଏମ୍ସ ଭୁବନେଶ୍ବର ଚିକିତ୍ସାଳୟର ପ୍ରାକ୍ତନ ନିର୍ଦେଶକ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଯୋଗ ଦେଇଥିଲେ। ସେ କହିଥିଲେ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ରାଜ୍ୟ ନୁହେଁ ସାରା ଭାରତର ଗର୍ବ ଓ ଉଜ୍ଜଳମୟ ତାରାକା। ଛାତ୍ରଛାତ୍ରୀ ପିଲା ଗୋପବନ୍ଧୁଙ୍କ ବିଷୟରେ ଜାଣିବାର ଆବଶ୍ୟକତା ରହିଛି।
‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ୟ୍ୟକ୍ରମରେ ଅତିଥିମାନେ ଗୋପବନ୍ଧୁଙ୍କ ସେବା ତ୍ୟାଗର ମୁର୍ତ୍ତିମନ୍ତ ପ୍ରତୀକ ବୋଲି ଅଭିହିତ କରିଥିଲେ। ବିଜେବି ମହାବିଦ୍ୟାଳୟ କଳା ବିଭାଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସମ୍ମାନିତ ଅତିଥି ତଥା ବିଚାରକ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ଶାସନ ସଚିବ ଶୁଭଶ୍ରୀ ନନ୍ଦ, ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳସଚିବ ଅଶୋକ ଦାଶ, ଜେକେବିକେ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡ. ବିଭୂତି ମହାପାତ୍ର, ପିଏନ୍ ମହାବିଦ୍ୟାଳୟ ଖୋର୍ଦ୍ଧାର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ପ୍ରାକ୍ତନ ପ୍ରଫେସର ବିଷ୍ଣୁପ୍ରିୟା ଓତା, ନେତାଜୀ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିଲେ।