ଫାର୍ମହାଉସ୍‌ରେ ସଲୁ-ଲୁଲିଆ #ଲକ୍‌ଡ!

ମୁମ୍ବାଇ(ଓଟି): ଏକାଠି ରହୁଛନ୍ତି ସଲମାନ ଖାନ୍ ଓ ଲୁଲିଆ ବଣ୍ଟୁର୍‌। ଲକ୍‌ଡାଉନ୍‌ରେ ସମୟ ବିତାଉଛନ୍ତି ପନବେଲ୍‌ ଫାର୍ମହାଉସ୍‌ରେ। ଏବେ ସୋସିଆଲ୍‌ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋରଦାର। ଭାଇରାଲ୍‌ ହେଉଥିବା ଏକ ଫନି ଭିଡିଓ ଅନୁସାରେ ଲୁଲିଆ ମୋବାଇଲ୍ ଫୋନ୍‌ରେ ବ୍ୟସ୍ତ ଥିବାବେଳେ ପଛରୁ ସଲମାନ୍‌ ଆସି ତାଙ୍କ କାନ୍ଧରେ ହାତ ରଖୁଛନ୍ତି। ଆଉ ସେତିକିବେଳେ ବିଚଳିତ ଲୁଲିଆ ଇଶାରା ଦେଉଛନ୍ତି ଯେ ସେ ଲାଇଭ୍‌ ଚାଟ୍‌ରେ ରହିଛନ୍ତି। ବାସ୍‌ ସଲମାନ୍‌ ଫ୍ରେମ୍‌ରୁ ହଟି ଯାଉଛନ୍ତି ଓ ଲୁଲିଆ ହସୁଛନ୍ତି। ଏହା ଭାଇରାଲ୍‌ ହେବା ପରେ ଚର୍ଚ୍ଚା ଜୋର୍‌ ଧରିଛି। ଅନେକ କହୁଛନ୍ତି ଚୋରି ଚୋରି… ଚୁପ୍‌କେ ଚୁପ୍‌କେ…..

ସୂଚନା ଅନୁସାରେ ସଲମାନ ତାଙ୍କ ପନବେଲ୍ ଫାର୍ମହାଉସରେ ସମୟ ବିତାଉଛନ୍ତି। ସେ ମାର୍ଚ୍ଚରେ କିଛିଦିନ ପାଇଁ ପନବେଲ୍ ଫାର୍ମହାଉସକୁ ଆସିଥିଲେ କିନ୍ତୁ ଲକଡାଉନ୍ ଯୋଗୁଁ ସେଠାରେ ରହିବାକୁ ପଡ଼ିଥିଲା। ତେବେ ତାଙ୍କ ଘନିଷ୍ଠ ବାନ୍ଧବୀ ଲୁଲିଆ ମଧ୍ୟ ତାଙ୍କ ସହ ଅଛନ୍ତି ବୋଲି ଭିଡିଓ ଭାଇରାଲ୍‌ ପରଠୁ ସରଗରମ ଆଲୋଚନା ହେଉଛି। ଲୁଲିଆ ଜଣେ ମଡେଲ୍, ହୋଷ୍ଟ, ରେଡିଓ ଜକି ଏବଂ ସିଙ୍ଗର ଭାବେ ଖୁବ୍‌ ଜଣାଶୁଣା। ସେହିପରି ସଲମାନଙ୍କ ସହ ଅନ୍ତରଙ୍ଗ ବନ୍ଧୁତ୍ଵକୁ ନେଇ ମଧ୍ୟ କିଏ କେତେ କଥା କହୁଛନ୍ତି। ତେବେ ଏକ ସାକ୍ଷାତକାରରେ ସଲମାନଙ୍କ ସହ ନିଜ ସମ୍ପର୍କ ବିଷୟରେ କିଛି ବି କହିବାକୁ ଲୁଲିଆ ମନା କରିଦେଇଥିଲେ।

Leave a Reply

Your email address will not be published.