ପରଦାକୁ ଫେରିବ ଅମର-ପ୍ରେମ୍ ଯୋଡ଼ି
୧୯୯୪ରେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର୍ ଫିଲ୍ମ ‘ଅନ୍ଦାଜ୍ ଆପନା ଆପନା’ର ସୁପରହିଟ୍ ଯୋଡ଼ି ଅମର ଓ ପ୍ରେମ୍ ପୁଣିଥରେ ବଡ଼ ପରଦାକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି । ‘ଅନ୍ଦାଜ୍ ଆପନା ଆପନା’ ପାର୍ଟ ୨ ନିର୍ମାଣ କରିବା ପାଇଁ ଅନେକ ଦିନରୁ ଯୋଜନା ରହିଥିଲେ ମଧ୍ୟ ବଜେଟ୍ ଦୃଷ୍ଟିରୁ ଦେଖିବାକୁ ଗଲେ ଆଜିର ସମୟରେ ସଲମାନ୍ ଓ ଅମିରଙ୍କ ଭଳି ଦାମୀ ଅଭିନେତାଙ୍କୁ ଏକାସାଙ୍ଗରେ କୌଣସି ଫିଲ୍ମ ପାଇଁ ସାଇନ୍ କରିବା ସମ୍ଭବ ନୁହେଁ । ଏହା ବ୍ୟତୀତ ତାରକାଦ୍ୱୟଙ୍କ ବ୍ୟସ୍ତ ସୁଟିଂ ସେଡ୍ୟୁଲ୍ ଯୋଗୁଁ ପାର୍ଟ ୨ର ସୁଟିଂରେ ସମସ୍ୟା ଆସିବ ।
ତେଣୁ ଏଭଳି କିଛି ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିଲେ ମଧ୍ୟ ଶେଷରେ ଫିଲ୍ମର ନିର୍ଦ୍ଦେଶକ ଭାଇଜାନଙ୍କ ସହିତ ଏ ସମ୍ପର୍କରେ କଥା ହୋଇଥିଲେ । ପାର୍ଟ ୨ କଥା ଶୁଣିବା ପରେ ସଲମାନ୍ ଆଉ ଡେରି ନକରି ରାଜି ହେବା ସହ ଏହାର ପ୍ରଯୋଜନା ଦାୟିତ୍ୱ ମଧ୍ୟ ନେବେ ବୋଲି ଶୁଣିବାକୁ ମିଳୁଛି । ମିଷ୍ଟର୍ ପରଫେକ୍ଟ ଅମୀର୍ ମଧ୍ୟ ଏହି ଫିଲ୍ମ ପାଇଁ ହଁ ଭରିବା ସହ ପ୍ରଯୋଜକ ଭାବେ ସାମିଲ୍ ହେବେ । ଏଥିରେ କରିସ୍ମା ଓ ରବିନାଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ । ପାର୍ଟ ୨ରେ ୨ ଜଣ ନବାଗତା ସଲ୍ଲୁ ଓ ଅମୀରଙ୍କ ସହିତ ସ୍କ୍ରିନ୍ ସେୟାର୍ କରିପାରନ୍ତି । ଖୁବ୍ କମ୍ ଦିନ ମଧ୍ୟରେ ଫାଇନାଲ୍ ଷ୍ଟାରକାଷ୍ଟ୍ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।











