ଛୋଟ ପରଦାକୁ ଫେରିବେ କିଙ୍ଗ୍ ଖାନ୍
କିଙ୍ଗ୍ ଖାନଙ୍କୁ ପରଦା ଉପରେ ଦେଖିବା ପାଇଁ ତାଙ୍କ ପ୍ରଶଂସକଙ୍କୁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କାରଣ ଖୁବ୍ ଶୀଘ୍ର ଶାହରୁଖ୍ ଟେଲି ଶୋ’ ‘ଟେଡ୍ ଟକ୍ସ ଇଣ୍ଡିଆ ନେୟି ସୋଚ୍’ରେ ନଜର ଆସିବେ । ଏହାର ଦ୍ୱିତୀୟ ସଂସ୍କରଣ ଆସନ୍ତା ନଭେମ୍ବର ୨ ତାରିଖରେ ଏହା ଅନଏୟାର୍ ହେବାକୁ ଯାଉଛି । ନଭେମ୍ବର ୨ ତାରିଖରେ ଶାହରୁଖଙ୍କ ୫୪ତମ ଜନ୍ମଦିନ ଅବସରରେ ଶୋ’ର ପ୍ରିମିୟର୍ ଦର୍ଶକଙ୍କ ସାମନାକୁ ଆସିବ । ପୂର୍ବରୁ ଏହି ଶୋ’ ସପ୍ତାହରେ ଗୋଟିଏ ଦିନ ଟେଲିକାଷ୍ଟ୍ କରାଯାଉଥିଲା । କିନ୍ତୁ ଏବେ ଏହି ଶୋ’ର ଦ୍ୱିତୀୟ ସଂସ୍କରଣର ଏପିସୋଡ଼୍ ଗୁଡ଼ିକ ସପ୍ତାହରେ ଦୁଇଦିନ ପ୍ରସାରଣ ହେବ । ଶନିବାର ଓ ରବିବାର ଦିନ ଦର୍ଶକ ଏହି ଶୋ’ର ମଜା ନେଇ ପାରିବେ ।
ପୂର୍ବରୁ ଏହି ଶୋ’ରେ ବଲିଉଡ୍ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିଥିଲା । ଏଥର ଶୋ’ରେ ସାମିଲ୍ ହେବେ ସମାଜସେବୀ ଓ ସୋସିଆଲ୍ ଆକ୍ଟିଭିଷ୍ଟ୍ । ସେମାନେ ନିଜ ନିଜର ପ୍ରେରଣାଦାୟକ କାହାଣୀ ଦର୍ଶକଙ୍କ ସହିତ ସେୟାର୍ କରିବେ । ତେଣୁ ଶୋ’ର ପୂର୍ବପ୍ରସ୍ତୁତି ଖୁବ୍ ଉତ୍ସାହର ସହିତ ଆଗେଇ ଚାଲିଛି । ଶୋ’ର ପ୍ରଥମ ସଂସ୍କରଣ ସେଭଳି କିଛି ଆଖିଦୃଶୀୟା ଟିଆରପି ହାସଲ କରିପାରିନଥିଲା । ତେଣୁ ଏହାର ଦ୍ୱିତୀୟ ସଂସ୍କରଣକୁ ସଫଳ କରିବା ପାଇଁ ଶୋ’ର ଟିମ୍ ଓ ଚ୍ୟାନେଲ ପକ୍ଷରୁ ଅନେକ କିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।











