ଟ୍ରାଫିକ୍ ପୁଲିସଠାରୁ ମାଡ଼ ଖାଇଥିଲେ ଶାହରୁଖ୍

ବ୍ଲକବଷ୍ଟର୍ ଫିଲ୍ମ ‘ଦିୱାନା’ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରୀ କରିଥିବା ଶାହରୁଖ୍ ଆଜି ପ୍ରଶଂସକ ମହଲରେ ବଲିଉଡ୍ ବାଦଶାହ, କିଙ୍ଗ୍ ଅଫ୍ ରୋମାନ୍ସ, କିଙ୍ଗ ଖାନ୍ ଭଳି ଅନେକ ନାଁରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କିଙ୍ଗଖାନଙ୍କର ଅନସ୍କ୍ରୀନ୍ ଓ ଅଫସ୍କ୍ରୀନ୍ ଲାଇଫ୍ ସମ୍ପୂର୍ଣ୍ଣ ଅଲଗା । କିନ୍ତୁ ପରଦା ଉପରେ ଥିବା ତାଙ୍କର କିଛି କ୍ୟୁଟ୍ ଦୁଷ୍ଟାମୀ ବାସ୍ତବ ଜୀବନରେ ମଧ୍ୟ ଅନେକଥର ଦେଖିବାକୁ ମିଳିଛି । ନିକଟରେ ଏଭଳି ଏକ ଦୁଷ୍ଟାମୀ ସମ୍ପର୍କରେ ଶାହରୁଖଙ୍କ ମୁହଁରୁ ଶୁଣିବାକୁ ମିଳିଛି ଏବଂ ସେହି ଦୁଷ୍ଟାମୀର ପରିଣାମ ବହୁତ ଭାରି ପଡ଼ିଥିଲା ବୋଲି ସେ କହିଛନ୍ତି ।

ତେବେ ଘଟଣାଟି ଏଭଳି । କଲେଜ୍ ସମୟରେ ଶାହରୁଖ୍ ଅନେକ ଷ୍ଟେଜ୍ ଡ୍ରାମା କରୁଥିଲେ । ତାଙ୍କ ସାଙ୍ଗର ଏକ ଫିଏଟ୍ ୮୦୦ ଗାଡ଼ି ଥିଲା । ଷ୍ଟେଜ୍ ଶୋ’ର ସମସ୍ତ କଳାକାର ସେଥିରେ ଯିବାଆସିବା କରୁଥିଲେ । ଦିନେ ଶୋ’ ସାରି ଫେରିବା ସମୟରେ ବହୁତ ରାତି ହୋଇଯାଇଥିଲା । ଦିଲ୍ଲୀର ତାଜମାନ୍ ସିଂ ଛକଠାରେ ଡିୟୁଟିରେ ଥିବା ଜଣେ ଟ୍ରାଫିକ୍ ପୁଲିସ୍ ତାଙ୍କର ଗାଡ଼ିକୁ ଅଟକାଇ ଡିକିରେ କ’ଣ ଅଛି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଅନ୍ୟସାଙ୍ଗମାନେ କିଛି କହିବା ପୂର୍ବରୁ ଶାହରୁଖ୍ କହିଥିଲେ ଯେ – ଡିକିରେ ଦୁଇଟି ଏକେ ୪୭ ଓ ଏକ ଡେଡବଡ଼ି ଅଛି । ଶାହରୁଖଙ୍କଠାରୁ ଏଭଳି ଶୁଣିବା ପରେ ହରିୟାଣବି ଟ୍ରାଫିକ୍ ପୁଲିସ୍ ଜଣକ ଶାହରୁଖଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ନିକଟରେ ଶାହରୁଖ୍ ଏକ ମିଡିଆ ସାକ୍ଷାତକାରରେ ଏଭଳି ଏକ ମଜାଦାର ଘଟଣା ସମ୍ପର୍କରେ କହିଥିଲେ । ଏହି ଖବର ପାଇବା ପରେ ପ୍ରଶଂସକ ମହଲରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *